Home News in Odia ଟ୍ରାଫିକ ଛକରେ ଲୋକେ ଛଟପଟ

ଟ୍ରାଫିକ ଛକରେ ଲୋକେ ଛଟପଟ

ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ବୃଦ୍ଧି ସହିତ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଥିବାବେଳେ ରାସ୍ତା ଯା ଆସ କରୁଥିବା ଲୋକେ ଛାଇ ଟିକେ ଖୋଜୁଛନ୍ତି । ବିଶେଷକରି ଟ୍ରାଫିକ ଛକଗୁଡିକରେ ଅଟକି ରହୁଥିବା ଦୁଇ ଚକିଆ ଆରୋହୀମାନେ ଖରାରେ ସିଝି ଛଟପଟ ହେଉଛନ୍ତି ।

ରାଜଧାନୀର ପ୍ରାୟ ପ୍ରତ୍ୟେକ ଟ୍ରାଫିକ ଛକରେ ଭିଡ ରହୁଥିବାରୁ ଚାଳକମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । କଳ୍ପନା, ସିଆରପି, କଳିଙ୍ଗ ହସ୍ପିଟାଲ, ଡମଣା, ଜୟଦେବବିହାର ଆଦି ଛକ ଗୁଡିକରେ ଦୁଇ ଥରରେ ଚାଳକମାନେ ଟ୍ରାଫିକ ଅତିକ୍ରମ କରୁଛନ୍ତି । ଭିଡ ଯୋଗୁଁ ଦୁଇ ଚକିଆ ଆରୋହୀମାନେ ଧୂ ଧୂ ଖରାରେ ଛିଡାହୋଇ ରହୁଛନ୍ତି ।

କେବଳ ଏଜି ଛକରେ ଦୁଇ ପଟକୁ ବାଦ୍‍ ଦେଲେ ସହରର ଅନ୍ୟ କୌଣସି ଟ୍ରାଫିକ ଛକରେ ଏକ ପଥଚାରୀମାନଙ୍କ ଲାଗି ଛାଇର ବ୍ୟବସ୍ଥା ହୋଇନାହିଁ । ପୂର୍ବରୁ ବିଏମସି କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରାଫିକ ଛକରେ ଛାଇ ପାଇଁ ବ୍ୟବସ୍ଥା କରୁଥିଲେ । ବାଉଁଶ ଓ ନୀଳ ରଙ୍ଗର ପାଲ ପକାଯାଉଥିଲା । ଏଥିଯୋଗୁଁ ପଥଚାରୀ ବିଶେଷକରି ଯେଉଁମାନେ ଖରା ସମୟରେ ଟ୍ରାଫିକ ଛକରେ ଅଟକି ରହୁଥିଲେ ସେମାନଙ୍କୁ ଚଳିତ ବର୍ଷ ଭଳି ଖରାରେ ଛଟପଟ ହେଉନଥିଲେ । ହେଲେ ଚଳିତବର୍ଷ କୌଣସି କାରଣରୁ ବିଏମସି ଏହି ଯୋଜନାରୁ ଓହରିଯାଇଛି ।

କେବଳ ପଥଚାରୀ ନୁହନ୍ତି, ବହୁ ଟ୍ରାଫିକ ଛକରେ ଟ୍ରାଫିକ ପୁଲିସ୍‍ମାନେ ବି ଖରା ଓ ଗରମରେ ଛଟପଟ ହେଉଛି । ସ୍ମାର୍ଟ ଟ୍ରାଫିକ ପୋଷ୍ଟଗୁଡିକରେ କର୍ମଚାରୀମାନଙ୍କ ପାଇଁ ଫ୍ୟାନ୍‍ ବ୍ୟବସ୍ଥା ହୋଇଥିଲା । ହେଲେ ଏବେ ଅନେକ ସ୍ଥାନରେ ସ୍ମାର୍ଟ ବ୍ୟବସ୍ଥା ଭାଙ୍ଗିରୁଜି ଯାଇଥିବାରୁ ଟ୍ରାଫିକ ପରିଚାଳନାରେ ଥିବା କର୍ମଚାରୀମାନେ ଆଖପାଖରେ ଥିବା ଗଛ ଛାଇରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି ।

ସେହିଭଳି ପୂର୍ବରୁ ବିଭିନ୍ନ ଟ୍ରାଫିକ ଛକର ଲାଗିଥିବା ସ୍ମାର୍ଟ ଆଲୋକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟ କରୁନାହିଁ । ସ୍ମାର୍ଟ ବ୍ୟବସ୍ଥାରେ ଲାଇଟ୍‍ଗୁଡିକ କ୍ୟାମେରା ସହିତ ସଂଯୁକ୍ତ ରହିଥିଲା । ଯେଉଁପଟୁ ଗାଡିମୋଟର ଖାଲି ହୋଇଯାଉଥିଲା ତୁରନ୍ତ ଅନ୍ୟ ପଟରୁ ଛାଏଁ ଛାଏଁ ଲାଇଟ୍‍ ଜଳୁଥିଲା । ଫଳରେ ଲୋକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନଥିଲା । ଏହାଛଡା ଟ୍ରାଫିକ ଛକରେ ଲାଇଟ୍‍ ସହିତ ଘଣ୍ଟା ରହୁଥିବାରୁ ଲୋକଙ୍କୁ କେତେ ସମୟ ଅପେକ୍ଷା କରିବାକୁ ପଡିବ ତାହା ବି ସହଜରେ ଜାଣି ହେଉଥିଲା । ହେଲେ ଏବେ ସେହି ବ୍ୟବସ୍ଥା ଅଚଳ ହୋଇଯାଇଛି ।

ମୋଟାମୋଟି ଭାବେ ଚଳିତ ବର୍ଷ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ରାଜଧାନୀର ଟ୍ରାଫିକ ଛକଗୁଡିକର ଅଟକୁଥିବା ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ବିଏମସି ତାହାର ଛାଇ ବ୍ୟବସ୍ଥା କାର୍ଯ୍ୟକାରୀ କରିନଥିବାବେଳେ ଏବେ ଟ୍ରାଫିକ ପରିଚାଳନାରେ କିଛିଟା ପରିବର୍ତ୍ତନ ହୋଇପାରିଲେ ଲୋକେ ଖରାରୁ ରକ୍ଷାପାଇ ପାରନ୍ତେ ବୋଲି ମତ ଦେଉଛନ୍ତି । (ତଥ୍ୟ)