Home Agriculture ଉତ୍ସାହଜନକ ନୁହେଁ କୃଷିଜାତ ସାମଗ୍ରୀ ରପ୍ତାନି

ଉତ୍ସାହଜନକ ନୁହେଁ କୃଷିଜାତ ସାମଗ୍ରୀ ରପ୍ତାନି

ଭୁବନେଶ୍ୱର : କୃଷି ପ୍ରଧାନ ରାଜ୍ୟ ଓଡିଶାରୁ କୃଷିଜାତ ସାମଗ୍ରୀ ରପ୍ତାନି ସେତେଟା ଉତ୍ସାହଜନକ ନୁହେଁ । ଯଦିଓ ଏହାର ପରିମାଣ ବଢିଛି କିନ୍ତୁ ବାର୍ଷିକ ୫ଶହ କୋଟି ଟଙ୍କା ରହିଛି । ସେହିଭଳି ହସ୍ତତନ୍ତ ସାମଗ୍ରୀର ରପ୍ତାନି ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ଜଣାଯାଇଛି ।

ଓଡିଶାରୁ ବାର୍ଷିକ ରପ୍ତାନି ପରିମାଣ ୯୦ ହଜାର କୋଟି ଟଙ୍କାକୁ ଟପିଥିବାବେଳେ ଏଥିରେ ସିଂହଭାଗ ରହିଛି ଖଣିଜ ପଦାର୍ଥର । ରାଜ୍ୟରୁ ରପ୍ତାନି ହେଉଥିବା ବିଭିନ୍ନ ଖଣିଜ ସାମଗ୍ରୀର ରପ୍ତାନି ପରିମାଣ ୭୦ହଜାର କୋଟି ଟଙ୍କାରୁ ଅଧିକ ରହିଛି । ଏହା ପଛକୁ ରହିଛି ଇଞ୍ଜିନିୟରିଂ ଏବଂ କେମିକାଲ୍ସ ସାମଗ୍ରୀର ରପ୍ତାନି । ଏହାର ପରିମାଣ ୭ହଜାର କୋଟି ଟଭ୍‍କାରୁ ଅଧିକ ଥିବାବେଳେ ସାମୁଦ୍ରିକ ଖାଦ୍ୟ ରପ୍ତାନିର ପରିମାଣ ସାଢେ ୪ହଜାର କୋଟି ଟଙ୍କାରୁ ଅଧିକ ରହିଛି ।

ତେବେ କୃଷି ପ୍ରଧାନ ରାଜ୍ୟ ଓଡିଶାରୁ କୃଷିଜାତ ସାମଗ୍ରୀର ରପ୍ତାନି ପରିମାଣ ୨୦୨୪-୨୫ ବର୍ଷରେ ରହିଛି ମାତ୍ର ୫୦୯ କୋଟି ଟଙ୍କା । ତେବେ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୨ଶହ କୋଟି ଟଙ୍କାରୁ ଅଧିକ ରହିଛି । ଧାନ ଉତ୍ପାଦନ କ୍ଷେତ୍ରରେ ଓଡିଶା ରେକର୍ଡ କରିଥିବାବେଳେ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର ଉତ୍ପାଦନ ସେତେଟା ଉତ୍ସାହଜନକ ନୁହେଁ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ୱେ ଡାଲି ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏପରିକି ଆଳୁ, ପିଆଜ ବି ବର୍ଷସାରା ଆମଦାନୀ କରିବାକୁ ପଡୁଛି । ଏ ବାବଦରେ କୋଟି କୋଟି ଟଙ୍କା ରାଜ୍ୟ ବାହାରକୁ ଚାଲି ଯାଉଛି ।

ସେହିଭଳି ହସ୍ତତନ୍ତ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଓଡିଶାରୁ ମଧ୍ୟ ହସ୍ତତନ୍ତ ସାମଗ୍ରୀ ଅତ୍ୟନ୍ତ ନୈରାଶ୍ୟଜନକ । ଏହାର ରପ୍ତାନି ପରିମାଣ ୫୦ଲକ୍ଷ ଟଙ୍କା ବି ଟପୁନାହିଁ । ଏକଦା ଓଡିଶା ହସ୍ତତନ୍ତର ବିକାଶ ପାଇଁ ରାଜ୍ୟରେ ହସ୍ତତନ୍ତ ଉନ୍ନୟନ ନିଗମ ଥିବାବେଳେ ରାଜ୍ୟ ଭିତରେ ଓ ବାହାରେ ଶତାଧିକ ସରକାରୀ ବିକ୍ରୟ କେନ୍ଦ୍ର ରହିଥିଲା । ଦେଶ ବାହାରକୁ ମଧ୍ୟ ଓଡିଶାର ହସ୍ତତନ୍ତ ରପ୍ତାନି ହେଉଥିଲା । ଏବେ ବି ଓଡିଶା ହସ୍ତତନ୍ତର ବେଶ୍‍ ଚାହିଦା ରହିଛି । ହେଲେ ରପ୍ତାନି ପରିମାଣ ସେତେଟା ଉତ୍ସାହଜନକ ହେଉନାହିଁ । ବରଂ ଅନ୍ୟ ରାଜ୍ୟର ହସ୍ତତନ୍ତ ସାମଗ୍ରୀ ଏବେ ଓଡିଶା ବଜାରରେ ସେମାନଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ହସ୍ତତନ୍ତ ଭଳି ହସ୍ତଶିଳ୍ପର ଅବସ୍ଥା । ଯଦିଓ ଏହାର ରପ୍ତାନି ପରିମାଣ ହସ୍ତତନ୍ତ ଠାରୁ ସାମାନ୍ୟ ଅଧିକ ରହିଛି କିନ୍ତ ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ଏହା ୨କୋଟି ଟଙ୍କା ଟପିପାରୁ ନାହିଁ । ଓଡିଶାର କଂସା ପିତ୍ତଳ ଶିଳ୍ପ ଠାରୁ ତାରକସି, ଚାନ୍ଦୁଆ, ଲାଖ ଶିଳ୍ପ ଆଦି ଦେଶ ବିଦେଶରେ ବେଶ୍‍ ନାଁ କରିଥିବାବେଳେ ରପ୍ତାନି କିନ୍ତୁ ସେତେଟା ଉତ୍ସାହଜନକ ହୋଇପାରୁ ନାହିଁ । ଫଳରେ ରାଜ୍ୟର ଶିଳ୍ପୀମାନେ ଯେଭଳି ଭାବେ ଉପକୃତ ହେବାକଥା ତାହା ହେଉନାହିଁ ।

ଔଷଧ ଶିଳ୍ପ ଯଦିଓ ଧିରେ ଧିରେ ଆଗକୁ ବଢୁଛି, କିନ୍ତୁ ଏହାର ରପ୍ତାନି ପରିମାଣ ବାର୍ଷିକ ୨୦କୋଟି ଟଙ୍କାକୁ ଛୁଇଁ ପାରୁନାହିଁ । ନିକଟରେ ଏକାଧିକ ଔଷଧ କମ୍ପାନୀ ଓଡିଶାରେ ସେମାନଙ୍କର ଉତ୍ପାଦନ କରିବାକୁ ଯାଉଥିବାରୁ ରାଜ୍ୟରୁ ଔଷଧ ରପ୍ତାନି ପରିମାଣ ବଢିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ତେବେ ସଫ୍ଟୱର ରପ୍ତାନି କ୍ଷେତ୍ରରେ ଓଡିଶା ଆଗକୁ ବଢିବାରେ ଲାଗିଛି । ଏହାର ରପ୍ତାନି ପରିମାଣ ପାଖାପାଖି ୭ହଜାର କୋଟି ଟଙ୍କା ରହିଛି । ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର ଆଇଟି କମ୍ପାନୀମାନେ ଓଡିଶା ମୁହାଁ ହୋଇଥିବାରୁ ଆଗାମୀ ଦିନରେ ଓଡିଶାରୁ ଏହାର ରପ୍ତାନି ପରିମାଣ ଢେର ବୃଦ୍ଧି ପାଇବ ବୋଲି ଆଇଟି ଶିଳ୍ପ ସହିତ ଜଡିତ ଉଦ୍ୟୋଗୀମାନେ ଆଶା ରଖିଛନ୍ତି । ତେବେ ୨୦୨୩-୨୪ ତୁଳନାରେ ୨୦୨୪-୨୫ ବର୍ଷରେ ରପ୍ତାନି ପରିମାଣ ହ୍ରାସ ପାଇଥିବାରୁ ଏହା ଚିନ୍ତାର କାରଣ ହୋଇଛି । (ତଥ୍ୟ)