ଭୁବନେଶ୍ୱର : ଜାତୀୟ ରାପପଥଗୁଡିକରେ ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳ (ବ୍ଲାକ ସ୍ପଟ୍) ମଧ୍ୟରୁ ଓଡିଶାରେ ୧୯୪ଟି ରହିଛି । ଏଥି ମଧ୍ୟରୁ ସର୍ବାଧିକ ୨୮ଟି ଖଣି ଖାଦାନ ଭରା ଯାଜପୁର ଜିଲ୍ଲାରେ ଅଛି । ଜାତୀୟ ରାଜପଥରେ ଦୁର୍ଘଟଣା ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଭୂପୃଷ୍ଟ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡକରି ।
ମନ୍ତ୍ରୀ ଦର୍ଶାଇଛନ୍ତି ଜାତୀୟ ରାଜପଥଗୁଡିକର କେତେକ ସ୍ଥାନରେ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବାରୁ ଏହାକୁ ବ୍ଲାକ କରିଡର ଭାବେ ଚିହ୍ନଟ ହୋଇଛି । କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ଟୁଲ୍ ବ୍ୟବହାର କରି ଏହାର ଚିହ୍ନଟ ହୋଇଛି । ଏହାବାଦ୍ ୨୦୨୩ ରୁ ୨୦୨୫ ମଧ୍ୟରେ ରାଜପଥଗୁଡିକରେ ଘଟିଥିବା ଦୁର୍ଘଟଣାର ହିସାବକୁ ଏଥିରେ ସାମିଲ କରାଯାଇଛି ।
ଏଥିରୁ ଜଣାଯାଇଛି ଯେ ସମଗ୍ର ଦେଶରେ ୬୩୫୮ଟି ବ୍ଲାକସ୍ପଟ୍ ରହିଥିବାବେଳେ ଓଡିଶାରେ ମୋଟ୍ ୧୯୪ ଟି ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ଏଥିରୁ ସର୍ବାଧିକ ୨୮ଟି ଯାଜପୁର ଜିଲ୍ଲାରେ ରହିଛି । ଏହାଛଡା ଗଞ୍ଜାମରେ ୧୭ଟି, କଟକ ସହରାଞ୍ଚଳ ଓ ପୁରୀରେ ୧୩ଟି କରି ଥିବାବେଳେ ଭୁବନେଶ୍ୱର ସହରାଞ୍ଚଳ ଓ ମୟୁରଭଞ୍ଜରେ ୧୧ଟି କରି, ନୟାଗଡ,ଭଦ୍ରକ ଓ ବ୍ରହ୍ମପୁରରେ ୧୦ଟି କରି ବ୍ଲାକ ସ୍ପଟ୍ ରହିଛି । ବାଲେଶ୍ୱର, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ ଓ ଜଗତ୍ସିଂହପୁରରେ ଥିବା ଜାତୀୟ ରାଜପଥରେ ଗୋଟିଏ କରି ସ୍ଥାନ ଚିହ୍ନଟ ହୋଇଛି । କେନ୍ଦୁଝର ଜିଲ୍ଲାରେ ଥିବା ରାଜପଥରେ ୭ଟି ବ୍ଲାକ କରିଡର ଚିହ୍ନଟ ହୋଇଛି ।
ଏହିସବୁ ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣା, ମୃତ୍ୟୁ ଏବଂ ଆହତ ସଂକ୍ରାନ୍ତରେ କେନ୍ଦ୍ର ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଓଡିଶାରେ ୨୦୨୦ ମସିହାରେ ୩୬୭୩ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୪ ମସିହାରେ ତାହା ୪୫୫୫କୁ ବୃଦ୍ଧି ପାଇଛି । ସେହିଭଳି ମୃତ୍ୟୁସଂଖ୍ୟା ଏହି ସମୟରେ ୧୭୮୧ ରୁ ବୃଦ୍ଧି ପାଇ ୨୩୫୮ରେ ପହଞ୍ଚଛି । ଦୁର୍ଘଟଣାରେ ଆହତମାନଙ୍କ ସଂଖ୍ୟା ୨୦୨୦ ରେ ୩୪୨୧ ଥିବାବେଳେ ୨୦୨୪ୋର ତାହା ୪୨୫୭ରେ ପହଞ୍ଚିଛି ।
ଜାତୀୟ ରାପଥଗୁଡିକରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଓ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥି ମଧ୍ୟରେ ବିଭିନ୍ନ ସ୍ଥାନରେ ଗାଡି ଚାଳନା ତାଲିମ ଓ ଗବେଷଣା ପ୍ରତିଷ୍ଠାମାନ ପ୍ରତିଷ୍ଠା କରାଯାଉଛି ।
ନିକଟରେ ଏ ସଂକ୍ରାନ୍ତରେ ନିୟମାବଳୀରେ କେତେକ ପରିବର୍ତ୍ତନ ଅଣାଯକିବା ସହିତ ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଅନୁଦାନରାଶି ଯୋଗାଇ ଦେଉଛନ୍ତି । ସମସ୍ତ ଜାତୀୟ ରାଜପଥରେ ସଡକ ସୁରକ୍ଷା ଅଡିଟ୍କୁ ବାଧ୍ୟମତାମୂଳକ କରାଯାଇଛି । ଜାତୀୟ ରାଜପଥର ଡିଜାଇନ୍, ନିର୍ମାଣ, ପରିଚାଳନା ଆଦିର ତୃତୀୟ ପକ୍ଷ ଅଡିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ତଥ୍ୟ)

