Home News in Odia ପୁଣି ଅଳିଆଗଦା ପାଲଟିଲାଣି କନଜରଭେନ୍ସି

ପୁଣି ଅଳିଆଗଦା ପାଲଟିଲାଣି କନଜରଭେନ୍ସି

ଭୁବନେଶ୍ୱର : ରାଜଧାନୀରେ ଟାଇଲ୍‍ ବିଛା ହୋଇଥିବା କନଜରଭେନ୍ସିଗୁଡିକ ପୁଣି ଅଳିଆଗଦା ପାଲଟିଲାଣି । ଏଗୁଡିକୁ ସଫା କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜୁଥିବାବେଳେ ଭୁବନେଶ୍ୱର ମହାନିଗର ନିଗମ (ବିଏମସି)ର ବାବୁମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ଉଭୟ ସରକାରୀ ଓ ବେସରକାରୀ ଘରର ପଛପଟେ ଥିବା କନଜରଭେନ୍ସିଗୁଡିକ ବଣ ବୁଦା ପାଲଟିଥିବାବେଳେ ବିଏମସି କର୍ତ୍ତୃପକ୍ଷ ଗୋଟିଏ ବଡ ପଦକ୍ଷେପ ଗ୍ରହଣ କରି ତାହାକୁ ସଫା କରିବା ସହିତ ଟାଇଲ୍‍ ବିଛାଇଥିଲେ । ଏଠାରେ ଅସ୍ଥାୟୀ ବଜାର ଖୋଲିବାପାଇଁ ବି ପ୍ରସ୍ତାବ ଥିଲା । ଟାଇଲ୍‍ ବିଛା ସରିବାପରେ ଏହାକୁ କିଛିଦିନ ଧରି ନିୟମିତ ସଫା କରାଯାଉଥିଲା ।

ହେଲେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହେବାକୁ ବସିଲାଣି । କନଜରଭେନ୍ସିଂରେ ସ୍ୱରେଜ ଲାଇନ୍‍ରୁ ବାହାରୁଥିବା ମାଟି ବାଲି ପଡିବା ସହିତ ଆଖପାଖରେ ଥିବା ଗଛରୁ ଡାଳପତ୍ର, ବିଭିନ୍ନ ସରକାରୀ ଘରୁ ବାହାରୁଥିବା ନିର୍ମାଣ ବର୍ଜ୍ୟ ଆଦି ଧିରେ ଧିରେ ଗଦା ହେବାରେ ଲାଗିଛନ୍ତି । ସ୍ୱରେଜ ଲାଇନ୍‍ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ବାହାରୁଥିବା ବର୍ଜ୍ୟକୁ ନଉଠାଇ ସେଠାରେ ପକାଇଦେଇ ଯାଉଛନ୍ତି । ସେମାନଙ୍କୁ ତାଗିଦା କରିବାପାଇଁ ବି କେହି ନାହାନ୍ତି ।

କନଜରଭେନ୍ସିଂ ଦାୟିତ୍ୱ ଉପରେ ଜନସ୍ୱାସ୍ଥ୍ୟ ଓ ବିଏମସି ହାତରେ ଥିବା କେହି ହେଲେ ଏହାକୁ ସଫା କରିବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । କନଜେଭେନ୍ସିଂରେ ଯାଇଥିବା ସ୍ୱରେଜ ଲାଇନ୍‍ର ରକ୍ଷଣାବେକ୍ଷଣ ଜନସ୍ୱାସ୍ଥ୍ୟ ବିଭାଗ ହାତରେ ଥିବାବେଳେ ଟାଇଲ୍‍ ବିଛାଇବା ଓ ନିୟମିତ ସଫା କରିବାର ଦାୟିତ୍ୱ ରହିଛି ବିଏମ୍‍ସି ହାତରେ । ତେବେ ସ୍ୱରେଜରୁ ବାହାରୁଥିବା ବର୍ଜ୍ୟକୁ ଠିକାସଂସ୍ଥା ସଫା କରିବାକଥା ।

ରାଜଧାନୀର ପ୍ରତ୍ୟେକ ୱାର୍ଡରେ ନିର୍ବାଚିତ ପ୍ରତିନିଧିଙ୍କ ସହିତ ୱାର୍ଡ ଅଫିସରମାନେ ନିଯୁକ୍ତ ହୋଇଛନ୍ତି । ଏମାନଙ୍କ ସହିତ ସାନିଟାରୀ ଇନ୍ସପେକ୍ଟର ଅଛନ୍ତି । ସଫେଇ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି । ହେଲେ ବହୁ ଅର୍ଥ ବ୍ୟୟରେ ସଫା ହୋଇ ଟାଇଲ୍‍ ବିଛାଯାଇଥିବା କନଜରଭେନ୍ସି ପ୍ରତି ଆଉ କେହି ଦୃଷ୍ଟି ଦେଉନାହାନ୍ତି । କନଜରଭେନ୍ସିରେ ପରିବା ହାଟ ଖୋଲି ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇବାପାଇଁ ବିଏମସିର ଯୋଜନା ମଧ୍ୟ ନାଲିଫିତା ତଳେ ରହିଯାଇଛି ।

ସରକାରୀ ବାବୁମାନଙ୍କ ଏଭଳି ମନୋଭାବରୁ କନଜରଭେନ୍ସିଗୁଡିକ ବହୁ ସ୍ଥାନରେ ଧିରେ ଧିରେ ଆବର୍ଜନାକୁଣ୍ଡ ପାଲଟୁଥିବାବେଳେ ଏଠାରେ ଜବରଦଖଲ ଆରମ୍ଭ ହୋଇଯିବ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । କାରଣ ଟାଇଟ୍‍ ବିଛାଯିବା ପୂର୍ବରୁ ଯେଉଁସବୁ କନଜରଭେନ୍ସିରେ ଜବରଦଖଲ ହୋଇ ବେଆଇନ୍‍ ଘର ତିଆରି ହୋଇଥିଲା ବିଏମସି କର୍ତ୍ତୃପକ୍ଷ ତାହାକୁ ହଟାଇ ପାରିଲେ ନାହିଁ । ତେଣୁ କୋଟି କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ହୋଇଥିବା କନଜରଭେନ୍ସି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)