Home General ସବୁ ମନ୍ଦିରରେ ଘିଅ ଯାଞ୍ଚ କେବେ ?

ସବୁ ମନ୍ଦିରରେ ଘିଅ ଯାଞ୍ଚ କେବେ ?

ଭୁବନେଶ୍ୱର : କଡା ସୁରକ୍ଷା ବଳୟରେ ଥିବା ପୁରୀ ଶ୍ରୀମନ୍ଦିରରୁ ବିପୁଳ ପରିମାଣର ନିଷିଦ୍ଧ ଘିଅ ଜବତ କରାଯିବାପରେ ରାଜ୍ୟର ଅନ୍ୟ ମନ୍ଦିରଗୁଡିକରେ କିଭଳି ଘିଅରେ ପ୍ରସାଦ ତିଆରି ହେଉଛି ଓ ଦୀପ ଜଳାଯାଉଛି ତାହାର ଗୁଣବତ୍ତା ଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀର ଗୁଣବତ୍ତା ଉନ୍ନତମାନର ରଖିବା ସହିତ ପ୍ରଦୀପ ପ୍ରଜ୍ୱଳନରେ ବି କେବଳ ଓମଫେଡ୍‍ ଘିଅ ବ୍ୟବହାର କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ଘୋଷଣା ପରେ ଶ୍ରୀମନ୍ଦିରରେ ମହାପ୍ରସାଦର ମୂଲ୍ୟ ପାଖାପାଖି ତିନିଗୁଣ ବଢିଯାଇଥିଲା । ସେହିଭଳି ଫେଣି ଓ ଅନ୍ୟ ଶୁଖିଲି ଭୋଗର ଦର ସହିତ ଦୀପ ଦର ବି ବଢିଥିଲା । ଭକ୍ତମାନେ ବିଶ୍ୱାସର ସହ ଶ୍ରୀଜୀଉଙ୍କ ଉନ୍ନତମାନର ମହାପ୍ରସାଦ ଓ ଶୁଖିଲା ଭୋଗ ଯାହାସବୁ କିଣୁଥିଲେ ସେଗୁଡିକ ଓମଫେଡ୍‍ ପ୍ରସ୍ତୁତ ଖାଣ୍ଟି ଗାଈ ଘିଅରେ ତିଆରି ହେଉଥିଲା କି ବଜାରରେ ମିଳୁଥିବା ଅନ୍ୟ ବନସ୍ପତିରେ ତିଆରି କରି ଭକ୍ତମାନଙ୍କ ବିଶ୍ୱାସରେ ବିଷ ଦିଆଯାଉଥିଲା ସେଥିଘେନି ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଥିଲେ ବି ଯେଉଁମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିଲେ ସେମାନଙ୍କ ନାମ ଏଯାବତ୍‍ ପ୍ରକାଶ କରିନାହାନ୍ତି ।

ଶ୍ରୀମନ୍ଦିରରେ ଓମଫେଡ୍‍ ଘିଅ ମହାପ୍ରସାଦ ପ୍ରସ୍ତୁତ ଓ ପ୍ରଦୀପ ପ୍ରଜ୍ୱଳନ ପାଇଁ ବ୍ୟବହାର କରାଯିବା ବୋଲି ନିଷ୍ପତ୍ତି ନିଆଯିବାପରେ ରାଜ୍ୟର ଅନ୍ୟ ବହୁ ଉପାସନାପୀଠରେ ମଧ୍ୟ ପରିଚାଳନା କମିଟିମାନ ଅନୁରୂପ ନିଷ୍ପତ୍ତି ନେଇ ପ୍ରସାଦ ଓ ଦୀପ ମୂଲ୍ୟ ବଢାଇଛନ୍ତି ।

ଶ୍ରୀମନ୍ଦିରରେ ଓମଫେଡ୍‍ ଘିଅ ପରିବର୍ତ୍ତେ ବନସ୍ପତି ଘିଅ ଧରାପଡିବା ପରେ ରାଜ୍ୟସାରା ଏଭଳି ଠକେଇ ଚାଲିଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗମାନ ଆସୁଛି । ତେବେ ଅନ୍ୟ ମନ୍ଦିରଗୁଡିକ ସଂକ୍ରାନ୍ତରେ ଏଯାବତ୍‍ କିନ୍ତୁ ତଦନ୍ତ ଆରମ୍ଭ ହୋଇଥିବା କଥା ବିଭାଗୀୟ କର୍ତ୍ତୃପକ୍ଷ କହିନାହାନ୍ତି ।

ପୂର୍ବରୁ ସୀମିତ ସଂଖ୍ୟକ ମନ୍ଦିରରେ ରନ୍ଧା ପ୍ରସାଦ ବିକ୍ରି କରାଯିବାର ପରମ୍ପରା ଥିଲା । ଏବେ କିନ୍ତୁ ସଂଖ୍ୟାଧିକ ମନ୍ଦିର ଏକ ପ୍ରକାର ଭୋଜନାଳୟରେ ପରିଣତ ହୋଇଛି । ବିଶୁଦ୍ଧ ନିରାମିଷ ଖାଦ୍ୟ ଏଠାରେ ମିଳୁଥିବା ବିଶ୍ୱାସ କରି ଅନେକ ଲୋକ ନିୟମିତ ଏଠାରୁ ଭୋଜନ ସଂଗ୍ରହ କରିଥାନ୍ତି । ତେବେ ଏହି ପ୍ରସାଦ ଗାଈଘିଅରେ ତିଆରି ହୋଇଛି ପୋଡା ମୋବିଲରୁ ପ୍ରସ୍ତତ ନକଲି ଗାଈଘିଅରେ ତିଆରି ହୋଇଛି ସେଥିଘେନି କିନ୍ତୁ କେହି ପାଟି ଫିଟାଉନାହାନ୍ତି ।

ହାଟ ବଜାରରେ ଥିବା ପୂଜା ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନ ପର୍ଯ୍ୟନ୍ତ ଯେତେସବୁ ଗାଈଘିଅ ବିକ୍ରି ହେଉଛି ତାହାର ବି ନିୟମିତ ଗୁଣବତ୍ତା ଯାଞ୍ଚ ହେଉନାହିଁ । ଫଳରେ ପୋଡାମୋବିଲ ଓ ଅନ୍ୟାନ୍ୟ ସାମଗ୍ରୀରୁ ପ୍ରସ୍ତୁତ ହେଉଥିବା ଘିଅ ବଜାରରେ ହାଉଯାଉ ହେଉଛି । ଏମିତିକି ହୋମଯଜ୍ଞ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରେ ବି ଏହି ନକଲି ଘିଅ ଖୋଲାଖୋଲି ଭାବେ ବ୍ୟବହୃତ ହେଉଛି ।

ଅବଶ୍ୟ ମଝିରେ ମଝିରେ ବିଭାଗୀୟ ଚଢଉରୁ ଭୁବନେଶ୍ୱର, କଟକ ଉପକଣ୍ଠ ସମେତ ରାଜ୍ୟର ଅନ୍ୟକେତେକ ଅଞ୍ଚଳରେ ଅପମିଶ୍ରିତ ଓ ନକଲି ତେଲ ଘିଅ କାରଖାନା ବାରମ୍ବାର ଠାବ ହେଉଥିବାର ପ୍ରକାଶ ଗଣମାଧ୍ୟମରେ ପ୍ରକାଶ ପାଉଛି । କେବଳ ସେତିକି ନୁହେଁ ପୁରୀ, ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ସମେତ ରାଜ୍ୟର ପ୍ରାୟ ସମସ୍ତ ସହରରେ ଯେତେସବୁ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମିଳୁଛି ସେଗୁଡିକ ଅସଲି ନକଲି ତାହାର ନିୟମିତ ଯାଞ୍ଚ ହେଉନଥିବାରୁ ଏହା ମାଧ୍ୟମରେ ଲୋକେ ରୋଗ କିଣୁଛନ୍ତି । କିଛିଦିନ ତଳେ ଲୁଗାସଫା ପାଉଡର ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଗୋଟିଏ ଟ୍ୟାଙ୍କର ଦୁଗ୍ଧ କଟକ ଉପକଣ୍ଠରେ ଧରାପଡିଥିଲା ଏବଂ କର୍ତ୍ତୃପକ୍ଷ ତାହାକୁ ନଷ୍ଟକରି ଦେଇଥିଲେ । ଦୁଗ୍ଧ, ଘିଅ, ଛେନା, ପନିର, ଦହି ଆଦିର ମାନ ସରକାରୀ ସଂସ୍ଥାମାନେ ନିୟମିତ ଯାଞ୍ଚକରି ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)