ଭୁବନେଶ୍ୱର : ଓଡିଶାରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଷିଦ୍ଧ ନିଶା ସାମଗ୍ରୀର ବ୍ୟବହାର ବଢି ଚାଲିଥିବାବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ । କେବଳ ବ୍ରାଉନସୁଗାର କି ଗଞ୍ଜେଇ ନୁହେଁ, ମଦ ସମେତ ଅନ୍ୟାନ୍ୟ ଅବକାରୀ ମାମଲାରେ ବି ୯୦ ପ୍ରତିଶତରୁ ଅଧିକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ।
ସରକାରୀ ତଥ୍ୟ ମୁତାବକ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ଓଡିଶାରେ ୬୭୭୯ କିଲୋ ଗଞ୍ଜେଇ ଓ ୩୪୧୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ସମୟ ମଧ୍ୟରେ ୨୬୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୩୨ ଜଣ ଜାମିନ ପାଇଛନ୍ତି । ତେବେ ଉକ୍ତ ସମୟ ସୁଦ୍ଧା ରାଜ୍ୟରେ ମାତ୍ର ୬ଜଣଙ୍କୁ ଗଞ୍ଜେଇ ଓ ବ୍ରାଉନସୁଗାର ମାମଲାରେ ଦଣ୍ଡବିଧାନ କରାଯାଇଛି ଯେଉଁଥିରୁ ଜଗତ୍ସିଂହପୁର ଜିଲ୍ଲାରେ ୫ଜଣ ଓ ମାଲକାନଗିରି ଜିଲ୍ଲାରେ ଜଣେ ଜେଲ୍ ଦଣ୍ଡ ପାଇଛନ୍ତି । ଅନ୍ୟ କୌଣସି ଜିଲ୍ଲାରେ ଜଣେ ହେଲେ ଏହି ମାମଲାରେ ଦଣ୍ଡିତ ହୋଇନାହାନ୍ତି ।
ସେହିପରି ୨୦୨୦-୨୧ ବର୍ଷରେ ଅବକାରୀ ବିଭାଗର ସୂଚନା ମୁତାବକ ୧୭୦୨୨ କିଲୋ ଗଞ୍ଜେଇ ଓ ୩୮୩୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ଘଟଣାରେ ୩୯୮ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ୯୧ଜଣ ଜାମିନ ପାଇଥିଲେ । ଉକ୍ତ ବର୍ଷରେ ଗଞ୍ଜେଇ ଓ ବ୍ରାଉନସୁଗାର ମାମଲାରେ ରାୟଗଡା ଜିଲ୍ଲାର ମାତ୍ର ଦୁଇଜଣଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିବାବେଳେ ଅନ୍ୟ କୌଣସି ଜିଲ୍ଲାରେ ଜଣେ ହେଲେ ଦଣ୍ଡିତ ହୋଇନାହାନ୍ତି ।
ତାହା ପୂର୍ବବର୍ଷ ରାଜ୍ୟରେ ୮୫୨୬ କିଲୋ ଗଞ୍ଜେଇ ଓ ୨୯୬୩ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସଂଗେ ସଂଗେ ୪୪୦ଜଣଙ୍କୁ ଗିରଫ କରାଯାଇ ୧୨୨ଜଣଙ୍କୁ ଜାମିନ ଦିଆଯାଇଥିଲା । ଉକ୍ତବର୍ଷରେ ବି ରାଜ୍ୟରେ ମାତ୍ର ୨ଜଣ ନିଶା ବେପାରୀ ଦଣ୍ଡିତ ହୋଇଥିଲେ । ୨୦୧୮-୧୯ ବର୍ଷରେ ଓଡିଶାରେ ଅବକାରୀ ବିଭାଗର ସୂଚନା ମୁତାବକ ୭୮୪୪ କିଲୋ ଗଞ୍ଜେଇ ଓ ୪୫୭୧ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୫୭୮ଜଣଙ୍କୁ ଗିରଫ କରାଯାଇ ୧୫୫ଜଣଙ୍କୁ ଜାମିନ ଦିଆଯାଇଥିଲା । ଉକ୍ତ ବର୍ଷରେ ବି ଗଞ୍ଜେଇ ବ୍ରାଉନସୁଗାର କାରବାରରେ ମାତ୍ର ୬ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିଲେ ।
କେବଳ ଗଞ୍ଜେଇ ଓ ବ୍ରାଉନସୁଗାର ବିକିବା, ଚାଲାଣ କରିବା ଓ ମହଜୁଦ ରଖିବା ଲୋକଙ୍କ ପାଇଁ ନୁହେଁ, ଏହି ନିଶା ସାମଗ୍ରୀ ସେବନ କରୁଥିବା ଲୋକଙ୍କୁ ବି ଦଣ୍ଡିତ କରିବାପାଇଁ ଆଇନ୍ରେ କଠୋର ବ୍ୟବସ୍ଥା ଅଛି । କିନ୍ତୁ ରାସ୍ତାଘାଟରେ ଖୋଲାଖୋଲି ଭାବେ ଗଞ୍ଜେଇ, ବ୍ରାଉନସୁଗାର ଠାରୁ ଆରମ୍ଭକରି ମଦ ପର୍ଯ୍ୟନ୍ତ ବିଭିନ୍ନ ନିଶା ସାମଗ୍ରୀ ସେବନ କରାଯାଉଥିବାବେଳେ ନିଶା ସେବନକାରୀଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଯୋଗୁଁ ଦଣ୍ଡବିଧାନ ହୋଇପାରୁନାହିଁ ।
ଯଦି ନିଶା ସେବନକାରୀମାନଙ୍କୁ ପୁଲିସ୍, ଅବକାରୀ ଓ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଧରିବା ସହ ସେମାନଙ୍କୁ ଜେଲ୍, ଜୋରିମାନା ଦଣ୍ଡ ଦେବାପାଇଁ ବ୍ୟବସ୍ଥା କରନ୍ତେ ତେବେ ନିଶା ସେବନ କରିବାକୁ ଲୋକେ ଡରନ୍ତେ ଏବଂ ସେମାନେ ନିଶା ବେପାରୀଙ୍କୁ ଧରାଇଦେବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତେ ବୋଲି ଆଇନ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)