Home Banking କୃଷି ଭିତ୍ତିଭୂମି ପାଇଁ ବ୍ୟାଙ୍କ୍‍ ଦେଉନି ଋଣ

କୃଷି ଭିତ୍ତିଭୂମି ପାଇଁ ବ୍ୟାଙ୍କ୍‍ ଦେଉନି ଋଣ

ଭୁବନେଶ୍ୱର : ରାଜ୍ୟରେ କୃଷି ଭିତ୍ତିଭୂମି ପ୍ରତିଷ୍ଠା ସକାଶେ ମିଳୁଥିବା ପ୍ରସ୍ତାବଗୁଡିକୁ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଋଣ ଦେବା କ୍ଷେତ୍ରରେ ଅନାଗ୍ରହ ପ୍ରକାଶ କରୁଥିବା ଯୋଗୁଁ କୃଷି ଉଦ୍ୟୋଗୀମାନେ ଲାଭାନ୍ୱିତ ହେଉନାହାନ୍ତି ।

ଶହେଟି ପ୍ରସ୍ତାବ ଆସିଲେ ୧୩ଟିକୁ ଅର୍ଥ ମଞ୍ଜୁର କରାଯାଉଛି । ୬୪ ଟି ପ୍ରସ୍ତାବ ଅନୁପଯୁକ୍ତ ବୋଲି ଦର୍ଶାଯାଇ ଋଣ ମଞ୍ଜୁର କରାଯାଉନାହିଁ । କେନ୍ଦ୍ର ସରକାର ସମଗ୍ର ଦେଶପାଇଁ ଲକ୍ଷେ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଘୋଷଣା କରି ଚାଷୀମାନଙ୍କୁ କୃଷି ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଉଦାର ଭାବରେ ଋଣ ଦେବାପାଇଁ ୨୦୨୦ ମସିହାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ସମଗ୍ର ଦେଶପାଇଁ ଲକ୍ଷେ କୋଟି ଟଙ୍କା ଥିବାବେଳେ ଓଡିଶା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୫୦୦ କୋଟି ଟଙ୍କାର ପାଣ୍ଠି ଘୋଷିତ ହୋଇଥିଲା ।

ଏହି ଯୋଜନା ଜରିଆରେ ପ୍ରାଥମିକ ସେବା ସମବାୟ ସମିତି, ବାଣିଜ୍ୟିକ ସମବାୟ ସମିତି, କୃଷି ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟିକା ଗୋଷ୍ଠି, କୃଷି ଉଦ୍ୟୋଗୀ ଆଦିମାନଙ୍କୁ ଋଣ ଦେବା ସକାଶେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କୁହାଯାଇଥିଲା । ତେବେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ଯେତିକି ପ୍ରସ୍ତାବ ଆସୁଛି ସେଥିରୁ ୧୩ ପ୍ରତିଶତକୁ ଅର୍ଥ ମିଳୁଛି । ଏହା ଅତ୍ୟନ୍ତ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି ।

ସେହିଭଳି ପଶୁସମ୍ପଦ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ପାଇଁ ଋଣ ଯୋଗାଇଦେବା ସକାଶେ ଯେଉଁ ଯୋଜନା ହୋଇଥିଲା ସେଥିରେ ମଧ୍ୟ ଆଶାନୁରୂପ ସଫଳତା ମିଳୁନାହିଁ । ସମଗ୍ର ଦେଶପାଇଁ ପ୍ରଧାନମନ୍ତ୍ରୀ ୧୫ହଜାର କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲେ । ଦୁଗ୍ଧ ଓ ମାଂସ ଉତ୍ପାଦନ ବୃଦ୍ଧିରୁ ଚାଷୀମାନେ ଯେଭଳି ସୁଲଭ ମୂଲ୍ୟ ପାଇପାରିବେ, ଖାଉଟିମାନେ ଯେଭଳି ଗୁଣାତ୍ମକ ଦୁଗ୍ଧ ଓ ମାଂସ ପାଇବେ ସେଥିପାଇଁ ଏହି ଯୋଜନା ଘୋଷଣା ହୋଇଥିଲା । ତେବେ ଯାହା ଲକ୍ଷ୍ୟ କରାଯାଉଛି ଏହି କ୍ଷେତ୍ରରେ ମଧ୍ୟ ଆଶାନୁରୂପ ସଫଳତା ମିଳିପାରି ନାହିଁ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଯୋଜନାରେ ପ୍ରତିବର୍ଷ ଋଣର ପରିମାଣ ବଢିବା ପରିବର୍ତ୍ତେ କମିବାରେ ଲାଗିଛି ।

୨୦୧୯-୨୦ରେ ଶସ୍ୟ ଓ କୃଷିଋଣ ବାବଦରେ ୨୪୭୮ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ତାହା ଏବେ ୨୨୪୫ କୋଟି ଟଙ୍କାକୁ ଖସି ଆସିଛି । ଯାହା ଫଳରେ କି କୃଷି କ୍ଷେତ୍ରକୁ ଯେଉଁଭଳି ପରିମାଣର ଅର୍ଥ ମିଳିବାକଥା ତାହା ଉପଲବ୍ଧ ହେଉନାହିଁ ।

ସେହିଭଳି କିଷାନ କ୍ରେଡିଟ୍‍ କାର୍ଡ ଜରିଆରେ ଋଣ ପ୍ରଦାନ ଯୋଜନା ମଧ୍ୟ ପଛେଇ ଚାଲିଛି । ମତ୍ସ୍ୟ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଯୋଜନାରେ ମଧ୍ୟ ଅନୁରୂପ ନୈରାଶ୍ୟଜନକ ସ୍ଥିତି ଉପୁଜିଛି । ବ୍ୟବସାୟିକ ବ୍ୟାଙ୍କମାନଙ୍କର ଏଭଳି ଉଦାସୀନତା ସଂକ୍ରାନ୍ତରେ ଉଦ୍ୟୋଗୀମାନଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଗତି ପରିଲକ୍ଷିତ ହେଉନାହିଁ । (ତଥ୍ୟ)