ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସମେତ ଆଖପାଖ ଅଞ୍ଚଳରେ ଲୋକେ କିଣୁଥିବା ନିଆଳି ଅଞ୍ଚଳରେ ପ୍ରସ୍ତୁତ ପନିର୍ ଖାଦ୍ୟ ପାଇଁ ଅନୁପଯୁକ୍ତ ବୋଲି ସରକାରୀ କଳ ଦ୍ୱାରା କରାଯାଇଥିବା ନମୁନା ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଥିବାବେଳେ କେଉଁ ପନିର୍ ଖାଦ୍ୟ ଉପଯୁକ୍ତ ବୋଲି ଖାଉଟିମାନେ ପ୍ରଶ୍ନ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ବର୍ଷବର୍ଷ ଧରି ଓଡ଼ିଶା ବଜାରରେ ଅପମିଶ୍ରିତ ଓ ନକଲି ଦୁଗ୍ଧ ଏବଂ ପନିର, ଛେନା, ଘିଅ ସମେତ ଅନ୍ୟାନ୍ୟ ସାମଗ୍ରୀ ଖାଉଟିମାନଙ୍କୁ ଯୋଗାଯାଉଛି । ପୂର୍ବରୁ କଲିକତାରୁ ଅଣାଯାଉଥିବା ଏଭଳି ନକଲି ପନିର ବିପୁଳ ପରିମାଣରେ ଜବତ ହୋଇଥିଲେ ମଧ୍ୟ ଏବେ ବି ଏହାର ବଜାର ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଛି । ଏମିତିକି ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଆଦିରେ ମଧ୍ୟ ଏପରି ବିପଜ୍ଜନକ ପନିର ବିକ୍ରୟ ଚାଲିଛି ।
ବର୍ଷବର୍ଷ ଧରି ଏଭଳି ବିପଦଜନକ ବେପାର ଚାଲିବା ପରେ ଅପମିଶ୍ରିତ ଅଖାଦ୍ୟ ଖାଇ ବହୁ ଲୋକ ରୋଗାକ୍ରାନ୍ତ ହେଉଛନ୍ତି । ତେବେ ମଝିରେ ମଝିରେ ଧର୍ମକୁ ଆଖିଠାର ଭଳି ଧରପଗଡ଼ କରି କର୍ତ୍ତୃପକ୍ଷ ତାଙ୍କ କର୍ତ୍ତବ୍ୟ ସାରିଦେଉଛନ୍ତି । ରାଜଧାନୀ, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଖୋଲାଖୋଲି ଭାବେ ଟ୍ୟାଙ୍କର୍ରେ ହଜାର ହଜାର ଲିଟର ଦୁଗ୍ଧ ବିକ୍ରି ଚାଲିଛି । ବିକ୍ରେତାମାନେ କହୁଛନ୍ତି ଯେ ଏସବୁ ଦୁଗ୍ଧ କୁଆଡ଼େ ସେମାନଙ୍କ ଗୋପାଳନ ଫାର୍ମ ଓ ଆଖପାଖ ଗାଁରୁ ସଂଗ୍ରହ ହୋଇ ଆସୁଛି । ଏହି ଦୁଗ୍ଧରୁ ସେମାନେ ଛେନା, ପନିର ଆଦି ତିଆରି କରିବି ବିକୁଥିବା କହୁଛନ୍ତି । କିନ୍ତୁ ଏସବୁ ଦୁଗ୍ଧ ଓ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚ ହେଉନାହିଁ ।
ଡାକ୍ତରମାନେ କହୁଛନ୍ତି ଯେ ମା’ କ୍ଷୀରର ବିକଳ୍ପ ଭାବେ ଗାଈ କ୍ଷୀରକୁ ବ୍ୟବହାର କରାଯାଉଥିବାବେଳେ ଏବେ ନକଲି ଗାଈ କ୍ଷୀର ଓ ସେଥିରୁ ଉତ୍ପାଦିତ ସାମଗ୍ରୀ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଶ୍ନବାଚୀ ଛିଡ଼ା କରୁଛି । ଏମିତିକି ବୟସ୍କ ଲୋକେ ବି ଏହି ଅପମିଶ୍ରିତ ଓ ନକଲି କ୍ଷୀର ଓ ସେଥିରୁ ଜାତ ସାମଗ୍ରୀ ଖାଇ ବିଭିନ୍ନ ରୋଗ ବ୍ୟାଧିରେ ସଂକ୍ରମିତ ହେଉଛନ୍ତି । ବିଶ୍ୱାସରେ ବିଷ ଦେଇ ଚାଲିଥିବା ଏହି ଭୟଙ୍କର ବେପାର ମଣିଷ ଶରୀର ଉପରେ ‘ସ୍ଲୋ ପଏଜନ୍’ ଭଳି କାମ କରୁଛି ।
ନିଆଳି ପନିରର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେ ସଂକ୍ରାନ୍ତରେ ଭୟଙ୍କର ରିପୋର୍ଟ ଆସିବା ପରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଲାଗି ଏହି ରିପୋର୍ଟ ଉପରେ ମୁଖ୍ୟ ଖାଦ୍ୟ ନିରାପତ୍ତା କମିଶନର ପଦକ୍ଷେପ ନେବା କଥା । ଅତୀତରେ ବିଭିନ୍ନ ସ୍ଥାନରେ ପରୀକ୍ଷା କରାଯାଇଥିବା ଦୁଗ୍ଧରେ ଲୁଗା ଧୁଆ ପାଉଡର, ରାସାୟନିକ ସାର ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ଜଣାପଡିଥିଲେ ମଧ୍ୟ ଏଯାବତ ତା’ର ପ୍ରତିକାର କରାଯାଇପାରି ନାହିଁ । ରାଜଧାନୀ ଓ କଟକ ଉପକଣ୍ଠ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୂର୍ବରୁ ଅନେକ ନକଲି ଘିଅ, ମସଲା, ତେଲ ଆଦି ଜବତ କରାଯାଇଥିଲା । ଏବେ ବି ‘ପୂଜା ପାଇଁ’ ବୋଲି ଲେଖାଯାଇଥିବା ଅପମିଶ୍ରିତ ନକଲି ଘିଅ ରାଜଧାନୀ ସମେତ ରାଜ୍ୟର ସବୁ ଅଞ୍ଚଳରେ ବିପୁଳ ପରିମାଣରେ ଉପଲବ୍ଧ ।
ସେହିଭଳି ବଜାରରେ ମିଳୁଥିବା କଦଳି, ସେଓ, ଅଙ୍ଗୁରଠାରୁ ଆରମ୍ଭ କରି ବିଭିନ୍ନ କିସମର ଫଳ, ପନିପରିବା, ଶାଗ, ମାଛ, ମାଂସ, ଶୁଖୁଆ ଇତ୍ୟାଦିରେ ରାସାୟନିକ ପଦାର୍ଥମାନ ରହୁଛି । ଏମିତିକି ଫଳ ପଚାଇବା ପାଇଁ ବିଭିନ୍ନ କିସମର ରାସାୟନିକ ସାମଗ୍ରୀ ବ୍ୟବହାର କରାଯାଉଛି । ଏହାଛଡ଼ା ହରମୋନ୍, କୀଟନାଶକ, ରାସାୟନିକ ସାର ଆଦିର ଉପାଦାନ ମଧ୍ୟ ଅନେକ କ୍ଷେତ୍ରରେ ଏଗୁଡ଼ିକରେ ରହୁଛି । ଡାଲି, ଚାଉଳ, ମଟର, ବୁଟ, ଗହମ ଆଦିକୁ ପୋକଙ୍କ ଦାଉରୁ ରକ୍ଷା କରିବା ପାଇଁ ବି ରାସାୟନିକ ପଦାର୍ଥ ପ୍ରୟୋଗ ହେଉଛି । ବସ୍ତୁତଃ ଖାଉଟିମାନେ ଖାଦ୍ୟ ସାମଗ୍ରୀ କିଣିବା ବେଳେ ତାହା ସହିତ ମାଗଣାରେ ରୋଗ ଆଣୁଛନ୍ତି । ସବୁ ସ୍ଥାନରେ ନିୟମିତ ଯାଞ୍ଚ ସହିତ ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇପାରିଲେ ଅକାଳ ମୃତ୍ୟୁରୁ ବହୁ ଜୀବନ ବଞ୍ôଚଯାଇପାରନ୍ତା ବୋଲି ସମାଜ ବିଜ୍ଞାନୀମାନେ କହୁଛନ୍ତି ।(ତଥ୍ୟ)

