Home Agriculture ଆଳୁ ଚାଷରେ ବ୍ୟୟ ବଢୁଛି, ଚାଷୀ କମୁଛନ୍ତି

ଆଳୁ ଚାଷରେ ବ୍ୟୟ ବଢୁଛି, ଚାଷୀ କମୁଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆଳୁ ଚାଷ ପାଇଁ ସରକାରୀ ଖର୍ଚ୍ଚ ବଢି ଚାଲିଥିବାବେଳେ ଆଳୁ ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି । ବିଗତ ଦୁଇଟି ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ରେ ସରକାର ଯଥାକ୍ରମେ ୫୯ କୋଟି ଟଙ୍କା ଏବଂ ୭୫ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଆଳୁ ଚାଷୀଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି ।

୨୦୨୪-୨୫ ବର୍ଷରେ ର‌୍ୟାରେ ୧୩ହଜାର ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ ହୋଇଥିଲା । ଏଥିରେ ୮୩ ହଜାର ଆଳୁ ଚାଷୀ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୫୨୩ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିବାବେଳେ ସର୍ବାଧକ ୬୫୧୦ ଚାଷୀ ଥିଲେ କନ୍ଧମାଳ ଜିଲ୍ଲାରେ । ସବୁଠାରୁ କମ୍‍ ୭୩୬ ଜଣ ଚାଷୀ ବୌଦ୍ଦ ଜିଲ୍ଲାରେ ଥିଲେ । ୨୦୨୫-୨୬ ବର୍ଷରେ ଯଦିଓ ଆଳୁ ଚାଷ ହେଉଥିବା ଜମିର ପରିମାଣ ୧୬ହଜାର ହେକ୍ଟରକୁ ଟପିଯାଇଥିଲା, କିନ୍ତୁ ଆଳୁ ଚାଷୀଙ୍କ ସଂଖ୍ୟା ୬୦ହଜାର ତକଳୁ ଖସିଆସିଛି । ଏହିବର୍ଷ କୋରାପୁଟ ଜିଲ୍ଲାରେ ଆଳୁ ଚାଷ ହୋଇଥିବା ଜମିକର ପରିମାଣ ସର୍ବାଧିକ ପ୍ରାୟ ୪ହଜାର ହେକ୍ଟର ଥିବାବେଳେ ଚାଷୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ୭ହଜାରରୁ ଅଧିକ ରହିଥିଲା ।

ଚଳିତ ଆର୍ଥିକବର୍ଷରେ ଆଳୁ ଚାଷ ହେଉଥିବା ଜମିର ପରିମାଣ ଓ ଏଥିରେ ସାମିଲ ହୋଇଥିବା ଚାଷୀଙ୍କର ସବିଶେଷ ବିବରଣୀ ପହଞ୍ଚିପାରିନଥିବାବେଳେ ରାଜ୍ୟ ସରକାର କିନ୍ତୁ ଆଳୁ ଚାଷ ପାଇଁ ପାଖାପାଖି ୧୭୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଏତେ ସବୁ ସତ୍ୱେ ବି ଓଡିଶା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରୁ ନାହିଁ । ରାଜ୍ୟରେ ବାର୍ଷିକ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ ଥିବାବେଳେ ଉତ୍ପାଦନ ପରିମାଣ ୫ଲକ୍ଷ ମେଟ୍ରିକ ଟନକୁ ଟପିପାରୁ ନାହିଁ । ଫଳରେ ଅମଳ ଋତୁର କେତେଦିନକୁ ବାଦ୍‍ ଦେଲେ ଆଳୁ ପାଇଁ ପ୍ରାୟତଃ ଓଡିଶାକୁ ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ବିଶେଷକରି ପଶ୍ଚିମବଙ୍ଗର ବ୍ୟବସାୟୀମାନେ ବର୍ଷସାରା ଓଡିଶାକୁ ଆଳୁ ଯୋଗାଉଛନ୍ତି । ଅତି ଆବଶ୍ୟକ ପଡିଲେ ଓଡିଶା ଆଳୁ ପାଇଁ ଉତ୍ତରପ୍ରଦେଶ ଭଳି ରାଜ୍ୟ ଉପରେ ବି ନିର୍ଭର କରୁଛି ।

ତେବେ ଆଳୁର ଏଭଳି ଅବସ୍ଥା ପାଇଁ ଏହାର ସଂରକ୍ଷଣ ସଙ୍କଟ ଦାୟୀ ବୋଲି ଚାଷୀମାନେ ମତ ଦେଉଛନ୍ତି । ଶୀତଳଭଣ୍ଡାର ଅଭାବରୁ ଓଡିଶାରେ ଯେତିକି ବି ଆଳୁ ଫଳୁଛି ତିରୋଟ ସମୟ ପାଇଁ ତାହାକୁ ଗଚ୍ଛିତ ରଖାଯାଇ ପାରୁନାହିଁ । ଶୀତଳଭଣ୍ଡାରର ଅଭାବ ଏହାର ମୁଖ୍ୟ କାରଣ ହୋଇଛି । ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ଓଡିଶାର ଉଦ୍ୟୋଗୀମାନେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆଗଭର ହେଉନାହାନ୍ତି । ଫଳରେ ଅନୁକୂଳ କୃଷି ଜଳବାୟୁ ସତ୍ୱେ ଓଡିଶାର ଚାଷୀମାନେ ଆଳୁ ଚାଷରୁ ଧିରେ ଧିରେ ମୁହଁ ଫେରାଇବାରେ ଲାଗୁଛନ୍ତି । (ତଥ୍ୟ)