Home Industry ୨.୪୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

୨.୪୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ରାଜ୍ୟର ୧୫ଟି ଜିଲ୍ଲାରେ ୨୭ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୨ଲକ୍ଷ ୪୭ ହଜାର୧୧୫ କୋଟି ୭୦ ଲକ୍ଷ ଟଙ୍କାର ନିବେଶ ହେବା ସହ ରାଜ୍ୟର ୫୦,୧୬୨ ଜଣ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ମଞ୍ଜୁର ହୋଇଥିବା ନିବେଶର ଆକାର ଓ ବିବିଧତା ଓଡ଼ିଶା ପ୍ରତି ନିବେଶକଙ୍କ ବୃଦ୍ଧି ପାଉଥିବା ଆସ୍ଥାକୁ ଦର୍ଶାଉଛି। ଡାଟା ସେଣ୍ଟର, ଏଆଇ, ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ସବୁଜ ଶକ୍ତି, ସ୍ୱାସ୍ଥ୍ୟସେବା ଓ ଇସ୍ପାତ ପର୍ଯ୍ୟନ୍ତ ଓଡ଼ିଶା ଏବେ ପ୍ରଗତିର ନୂଆ ଅଧ୍ୟାୟ ରଚନା କରୁଛି। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବା ଏବଂ ସମସ୍ତ ଅଞ୍ଚଳର ସମାନ୍ତରାଳ ଶିଳ୍ପ ବିକାଶ ସୁନିଶ୍ଚିତ କରିବା।

ନିବେଶ ସୂଚୀରେ ପ୍ରଥମ ଥର ପାଇଁ ଡାଟା ସେଣ୍ଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ସେମିକଣ୍ଡକ୍ଟର, ଲାବ୍-ଗ୍ରୋନ୍ ଡାଇମଣ୍ଡ (କୃତ୍ରିମ ହୀରା) ଏବଂ ସବୁଜ ଶକ୍ତି ପରି ଆଧୁନିକ ନୂତନ-ଯୁଗର ଶିଳ୍ପଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏହି ବୈଠକର ସବୁଠାରୁ ବଡ଼ ଆକର୍ଷଣ ଥିଲା ଆଇଟି, ଆଇଟିଇଏସ ଓ ଡାଟା ସେଣ୍ଟର କ୍ଷେତ୍ର। କେବଳ ଏହି କ୍ଷେତ୍ରର ୪ଟି ପ୍ରକଳ୍ପରେ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ହାଇ ଡେନ୍ସିଟି ଡାଟାସେଣ୍ଟର ଲିମିଟେଡ୍ ଖୋର୍ଦ୍ଧାରେ ୧,୦୪,୫୫୦ କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଡାଟା ସେଣ୍ଟର ସ୍ଥାପନ କରିବ।

ସେଣ୍ଟ୍ରାଫୋର୍ଜ ଏଆଇ ଲିମିଟେଡ୍ ପୁରୀରେ ୨୨,୬୩୪ କୋଟି ଟଙ୍କା ବ୍ୟୟରେ ଏକ ଏଆଇ ଡାଟା ସେଣ୍ଟର ଓ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ନିର୍ମାଣ କରିବ। ଏଚସିଏଲ ଟେକ୍ନୋଲୋଜିସ (ଏଚସିଏଲ) ଖୋର୍ଦ୍ଧାରେ ୧୪,୨୫୭ କୋଟି ଟଙ୍କାର ଏଆଇ-ଅପ୍ଟିମାଇଜ୍ଡ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏଥିସହତ ଆରକେଡି କନଷ୍ଟ୍ରକ୍ସନ କଟକରେ ୧,୫୦୦ କୋଟି ଟଙ୍କାର ଡାଟା ସେଣ୍ଟର ସ୍ଥାପନ କରିବ।

ସ୍ୱାସ୍ଥ୍ୟସେବାରେ ଅଦାନୀ ଫାଉଣ୍ଡେସନ ଖୋର୍ଦ୍ଧାରେ ୨,୧୫୦ କୋଟି ଟଙ୍କା ବ୍ୟୟରେ ଏକ ୧,୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର-ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବ। ଏହି ପ୍ରକଳ୍ପକୁ ଆଜି ଏଚଏଲସିଏରେ ଅନୁମୋଦନ ମିଳିଛି। ରାଜ୍ୟର ଶକ୍ତି ସୁରକ୍ଷାକୁ ମଜବୁତ କରିବା ପାଇଁ ୪ଟି ବୃହତ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏନଏଲସି ଇଣ୍ଡିଆ ଦେବଗଡ଼ରେ ୩୪,୭୬୩.୫୧ କୋଟି ବିନିଯୋଗରେ ୩,୨୦୦ ମେଗାୱାଟ୍ ଥର୍ମାଲ ପାୱାର ପ୍ଲାଣ୍ଟ ଏବଂ ଅନୁଗୋଳରେ ୧୧,୬୦୪.୧୯ କୋଟି ନିବେଶରେ ୧,୦୮୦ ମେଗାୱାଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ରାୟଗଡ଼ାରେ ‘ବେକେମ୍ ଇନଫ୍ରା’ ୪,୦୨୦ କୋଟି ଏବଂ କୋରାପୁଟରେ ‘ଶ୍ରୀ ଆବନ୍ତିକା କଣ୍ଟ୍ରାକ୍ଟର’ ୩,୯୦୦ କୋଟି ନିବେଶରେ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବେ।

ଲାବ୍-ଗ୍ରୋନ୍ ଡାଇମଣ୍ଡ କ୍ଷେତ୍ରରେ ୫ଟି ପ୍ରକଳ୍ପ ଜରିଆରେ ୧୦,୬୮୦ କୋଟିର ନିବେଶ ଆସିବ। ଏଥିମଧ୍ୟରେ ଢୋଲାକିଆ ଲାବ୍ ଗ୍ରୋନ୍ ଡାଇମଣ୍ଡ (୪,୫୦୦ କୋଟି ନିବେଶ), ଗ୍ରୀନଲାବ୍ ଡାଇମଣ୍ଡସ (୨,୫୦୦ କୋଟି), ନିଓଅର୍ଗାନିକ ଡାଇମଣ୍ଡସ, ନୋଭୋ ଡାଇମଣ୍ଡସ ଓ ସୁପ୍ରିମ୍ ଗ୍ରୀନ୍ ଡାଇମଣ୍ଡସର ପ୍ରକଳ୍ପ ରହିଛି। ସେମିକଣ୍ଡକ୍ଟର ଓ ବ୍ୟାଟେରୀ କ୍ଷେତ୍ରରେ ସିକ୍ସେମ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୨,୦୭୮ କୋଟି ବ୍ୟୟରେ ସିଲିକନ୍ କାର୍ବାଇଡ୍ ୱେଫର୍ ନିର୍ମାଣ ୟୁନିଟ୍ ସ୍ଥାପନ କରିବ। ‘ଆରେ ସୋଲାର’ ନୂଆପଡ଼ାରେ ୧,୦୫୦ କୋଟି ଟଙ୍କାର ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ କରିବ। ସେହିଭଳି ରୁଙ୍ଗଟା ମାଇନ୍ସର ୯,୦୦୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ ପ୍ଲାଣ୍ଟର ସଂପ୍ରସାରଣ କରିବ ପ୍ରକଳ୍ପ ଏବଂ ଶାକମ୍ବରୀ ଇସ୍ପାତର ୫,୦୦୦ କୋଟି ନିବେଶ ପ୍ରସ୍ତାବକୁ ଆଜି ଏଚଏଲସିଏରେ ମଞ୍ଜୁରୀ ମିଳିଛି।