ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା, ଖରସ୍ରୋତା ନଦୀ ଉପରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଯେ ରାଜ୍ୟ ସରକାରଙ୍କର ପକ୍ଷରୁ ଦିଆଯାଇଥିବା ପରିବେଶ ସାମାଜକି ପ୍ରଭାବ (ଇଏସ୍ଆଇଏ) ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତିହୀନ ।
ଯେହେତୁ ପ୍ରକଳ୍ପଟି ଭିତର କନିକା ଇକୋ ସେନ୍ସିଟିଭ ଜୋନ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ । ଭିତରକନିକା ଉପରେ ପ୍ରକଳ୍ପର କଣ ପ୍ରତିକୂଳ ପ୍ରଭାବ ବା ପଡ଼ିବନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ ପରେ ହିଁ ଇକୋ ସେନ୍ସିଟିଭ ଜୋନ କମିଟିର ମିଟିଂରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି ।
ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଜୁନ ୨୦୧୫ ମସିହାରେ ଏକ ଗେଜେଟ ନୋଟିଫିକସେନ ବା ବିଜ୍ଞପ୍ତି ଜାରିକରିଥିଲେ । ମାତ୍ର ରାଜ୍ୟ ସରକାର ଭଦ୍ରକ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି ପରିବେଶ ସାମାଜିକ ପ୍ରଭାବ ଅନୁଧ୍ୟାନ କରିନାହାଁନ୍ତି ବୋଲି କଂଗ୍ରେସ ମିଡ଼ିଆ କନଭେନର ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି ।
କେନ୍ଦ୍ରପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲେଇବା ପାଇଁ ଆଇଆଇଟି, ହାଇଦ୍ରାବାଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ମିଛ କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟ ସରକାର ଯେଉଁ (ଇଏସ୍ଆଇଏ) ରିପୋର୍ଟକୁ ଦେଖାଉଛନ୍ତି ତାହା ଆଇଟି, ହାଇଦ୍ରାବାଦର ଜାଲ୍ ରିପୋର୍ଟ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।
ନଅଶହ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସିଯିବେ ଏବଂ ଜାଲ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି ।