Home Energy ସୌର-ଶକ୍ତିର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ

ସୌର-ଶକ୍ତିର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ନବୀକରଣଯୋଗ୍ୟ ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ  ଓଡ଼ିଶା ଅଣପାରମ୍ପରିକ ଶକ୍ତି  ବିକାଶ ସଂସ୍ଥା (ଓରେଡ଼ା) ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି ।

ବୈଠକରେ ଶକ୍ତି ବିଭାଗ  ପ୍ରମୁଖ ଶାସନ ସଚିବ ବିଗତ ବର୍ଷମାନଙ୍କରେ ଓରେଡ଼ା କାର୍ଯ୍ୟକଳାପ  ସହ ଆଗାମୀ ଦିନର କାର୍ଯ୍ୟଯୋଜନା ସମ୍ବନ୍ଧିତ  ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।  

ଓରେଡ଼ାର  କାର୍ଯ୍ୟକ୍ରମ ଓ ଯୋଜନାଗୁଡିକର ସମୀକ୍ଷାକରି ଘରୋଇ, ବେସରକାରୀ ଓ ବ୍ୟବସାୟିକ ସଂସ୍ଥାମାନଙ୍କରେ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ । ପାଣି ଗରମ ପାଇଁ ସୌର-ହିଟର, ସୌର-ଲାଇଟ୍‌, ମାଙ୍କଡ ଆଦି ବଣ୍ୟଜନ୍ତୁଙ୍କ ଠାରୁ ବଗିଚା, ଓ କୃଷି ଫାର୍ମ ଆଦି ସୁରକ୍ଷା ନିମନ୍ତେ ସୌର-ପାଚେରୀ, ଚାଷ ଏବଂ କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣରେ ସୌର-ଯନ୍ତ୍ରର ବ୍ୟବହାର ଆଦି ବଢ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥି ନିମନ୍ତେ ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ  ଅଧିକ ବ୍ୟାପକ  ଏବଂ ଆବଶ୍ୟକତା ଭିତ୍ତିକ  କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  

ଓରେଡ଼ା ମୁଖ୍ୟ କାର୍ଯ୍ୟନିର୍ବାହୀ ଧନଞ୍ଜୟ ସ୍ୱାଇଁ ଜଣାଇଥିଲେ ଯେ ଜୁଲାଇ ମାସ ଶେଷସୁଦ୍ଧା ଓରେଡ଼ା  ରାଜ୍ୟର ବିଭିନ୍ନ ସ୍ଥାନରେ  ୪,୦୦,୦୦୦ ବିଭିନ୍ନ ପ୍ରକାର ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ   ବ୍ୟବହାର ଯନ୍ତ୍ର  ପ୍ରତି​‌ଷ୍ଠା କରିଛି । ଏହି ସ୍ଥାପନା ମାଧ୍ୟମରେ ୫.୫ ନିୟୁତ ଲୋକ ଉପକୃତ  ହେଉଛନ୍ତି ।    ନବୀକରଣଯୋଗ୍ୟ ଶକ୍ତି ଯନ୍ତ୍ର ସ୍ଥାପନ ଯୋଗୁ  ଓରେଡ଼ା ବାର୍ଷିକ  ହାରାହାରି ୩୦ ମାଟ୍ରିକ୍‌ ଟନ୍ କାର୍ବନ ନିର୍ଗମନ କମାଇବାରେ ସକ୍ଷମ ହୋଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବର୍ତ୍ତମାନ ସୁଦ୍ଧା  ଓରେଡ଼ା ପ୍ରାୟ ୧୨.୩ ମେଗାଓ୍ୱାଟ୍‌ ସୌର ଶକ୍ତି ଉତ୍ପାଦନ  ପାଇଁ ୧୧୬୩ ଟି ଛାତ-ଉପର ସୌର ଶକ୍ତି ୟୁନିଟ୍ ସ୍ଥାପନ କରିଛି ।  ଏହା ଛଡା ଓରେଡ଼ା ୨.୪୪ ଲକ୍ଷ ଜୈବ-ଗ୍ୟାସ୍‌ ପ୍ଲାଣ୍ଟ୍‌, ୧୩,୨୧୯ ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ, ୧,୬୮୭ ସୌର-ଜଳସେଚନ ପମ୍ପ୍‌, ୧୮,୧୨୨ ଟି ଉନ୍ନତ୍ତ ସୌର-ରନ୍ଧନ ଚୁଲା ଆଦି ସ୍ଥାପନ  କରିଛି ।  ଏହି ସଂସ୍ଥା ମଧ୍ୟ  ୨,୯୦୩ ଟି ଗ୍ରାମରେ ୮୪,୮୫୮ ଟି ଘରୋଇ ବାସଗୃହକୁ ବିଦ୍ୟୁତ ଯୋଗାଇଛି ଏବଂ ୮୨,୦୩୩ ସୌର-ଲଣ୍ଠନ ବଣ୍ଟନ କରିଛି ।

ବୈଠକରେ ସୌର-ଶୀତଳ ଭଣ୍ଡାର, ସୌର-ପାନୀୟଜଳ କିଓସ୍କ, ସୌର ଚାଳିତ ଲୋକ-ସେବାକେନ୍ଦ୍ର; ଦଉଡି ତିଆରି ପାଇଁ ସୌର ଚାଳିତ ଯନ୍ତ୍ର;  ରେଶମ ଗୁଡା ସୌର ଯନ୍ତ୍ର; ପନିପରିବା, ଶସ୍ୟ, ମାଛ ଏବଂ ମସଲାଜାତୀୟ କୃଷି ଉତ୍ପାଦ ଆଦିକୁ ସ୍ୱାସ୍ଥ୍ୟକରଭାବେ ଶୁଖାଇବା ନିମନ୍ତେ ସୌର-ଶୋଷକ ଆଦି ନୂତନ ବୈଷୟିକ କୌଶଳ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ଏସବୁ ଅଭିନବ ସୌରଚାଳିତ ବୈଷୟିକ କୌଶଳର ବ୍ୟାପକ ପ୍ରୟୋଗ ଓ ବ୍ୟବହାର ନିମନ୍ତେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  କାର୍ଯ୍ୟଯୋଜନାର ରୂପରେଖ ତିଆରିକରିବା ପାଇଁ  ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ  ଅଧ୍ୟକ୍ଷତାରେ  ଏକ କମିଟି ଗଠନ କରାଯାଇଥିଲା । ସୌର-ଶକ୍ତି ବ୍ୟବହାର ସମ୍ଭାବନା ଥିବା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ କମିଟିରେ ସାମିଲ  କରାଯାଇଥିଲା ।  

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଜଣାଇଥିଲେ ଯେ ଇତି ମଧ୍ୟରେ  ଓରେଡ଼ାର ଗ୍ରାହକ ସେବା  ବ୍ୟବସ୍ଥାକୁ ସ୍ୱୟଂକ୍ରିୟ କରାଯାଇଛି । ଏଥିରେ ୧୮୦୦-୩୪୫-୭୧୩୫ ଟୋଲ୍‌ ଫ୍ରି ନମ୍ବର ଏବଂ ୯୪୩୮୦୧୬୦୦୭/୯୪୩୮୦୧୬୦୦୮ ଆଦି ଦୁଇଟି  ମୋବାଇଲ୍‌ ନମ୍ବର ସଂଯୋଜିତ  କରାଯାଇଛି ।  ଫୋନ୍‌ କଲ୍‌, ଇମେଲ୍‌, ଏସ୍‌.ଏମ୍‌.ଏସ୍‌ ଆଦି ମାଧ୍ୟମରେ ତୁରନ୍ତ ଗ୍ରାହକ ସେବା  ଯୋଗାଇ  ଦିଆଯାଉଛି ।  

ଉନ୍ନୟନ କମିଶନର ଶ୍ରୀ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର, ଅଣୁ-କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଶିଶୁ ଓ ମହିଳା ବିକାଶ ଶାସନ ସଚିବ ଡ଼ଃ ପ୍ରମୋଦ ମେହେର୍ଦ୍ଦା, ହସ୍ତତନ୍ତ, ବୟନଶିଳ୍ପ ଓ କାରିଗରୀ ଶାସନ ସଚିବ ଶୁଭା ଶର୍ମା, ପଂଚାୟତିରାଜ ଓ ପାନୀୟଜଳ ପ୍ରମୁଖ  ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ  ବିଶାଳ କୁମାର ଦେବ, ବିଜ୍ଞାନ ଓ ବୈଷୟିକ ବିଦ୍ୟା  ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ,ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।