Home Mining ଖଣି ଖନନ ପ୍ରୋତ୍ସାହନ ପାଇଁ ୫୧୭୫ କୋଟି

ଖଣି ଖନନ ପ୍ରୋତ୍ସାହନ ପାଇଁ ୫୧୭୫ କୋଟି

ଭୁବନେଶ୍ୱର : ନିଲାମ ହୋଇଥିବା ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁଁ କେନ୍ଦ୍ର ସରକାର ଯେଉଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ସେଥିରୁ ଓଡିଶା ସିଂହଭାଗ ପାଇବାର ଆଶା ସଞ୍ଚାର ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏଥିପାଇଁ ୫୧୭୫ କୋଟି ଟଙ୍କାର ପ୍ରୋତ୍ସାହନରାଶି ଦେବାକୁ ଘୋଷଣା କରିଥିବାବେଳେ ଅଗ୍ରଣୀ ଖଣିଜ ଭିତ୍ତିକ ରାଜ୍ୟ ଭାବେ ପ୍ରାଧାନ୍ୟ ପାଇଥିବା ଓଡିଶା ଏଥିରୁ ବିଶେଷ ଲାଭବାନ ହେବ ।

ସେଥିପାଇଁ କେନ୍ଦ୍ର ସରକାର ଚଳିତବର୍ଷ ଡିସେମ୍ବର ୩୧ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି । ଓଡିଶାରେ ୮ଟି ଖଣିରୁ ଉତ୍ପାଦନ ଆରମ୍ଭ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ପଦକ୍ଷେପ ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଚଳିତବର୍ଷ ଖଣି ରାଜସ୍ୱରୁ ରାଜ୍ୟ ସରକାର ୬୦ହଜାର କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖି ବଜେଟ୍‍ ପ୍ରସ୍ତୁତ କରିଛନ୍ତି । ତେଣୁ ଯେତେ ଅଧିକରୁ ଅଧିକ ଖଣି କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ କରିବ ରାଜ୍ୟ ସରକାର ଖଣି ରାଜସ୍ୱ ବାବଦରେ ସେତେ ଅଧିକ ଅର୍ଥ ପାଇବା ସଂଗେ ସଂଗେ କେନ୍ଦ୍ରରୁ ପ୍ରୋତ୍ସାହନ ରାଶି ମଧ୍ୟ ପାଇବେ ।

ବିଭିନ୍ନ କେନ୍ଦ୍ରୀୟ ଯୋଜନା ପାଇଁ କେନ୍ଦ୍ରରୁ ମିଳୁଥିବା ଅନୁଦାନ କମି ଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟରେ ଖଣି ଉତ୍ପାଦନ ବୃଦ୍ଧି କରି ଏହି ରାଜସ୍ୱକୁ ଅଧିକ ଭାବରେ ହାତେଇବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଚଳିତ ଆର୍ଥିକ ବର୍ଷର ତିନିମାସ ମଧ୍ୟରେ ଖଣି ରାଜସ୍ୱ ପରିମାଣ ବଢିବାରେ ଲାଗିଛି ।

ପୂର୍ବ ଦୁଇବର୍ଷ ତୁଳନାରେ ଚଳିତବର୍ଷ ଖଣି ରାଜସ୍ୱ ପରିମାଣ ବଢିଥିବା ଯୋଗୁଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଯୋଗାଇବାରେ ଅସୁବିଧା ରହିବନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି । ବଜେଟର ସିଂହଭାଗ ବିଭିନ୍ନ ସାମାଜିକକ୍ଷେତ୍ର ପାଇଁ ବିନିଯୋଗ ହେଉଥିବାବେଳେ ସୁଭଦ୍ରା ଓ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଛି । ସେଥିପାଇଁ ଖଣି ରାଜସ୍ୱ ଅଧିକ ସଂଗ୍ରହ ହେବା ଅପରିହାର୍ଯ୍ୟ ହୋଇପଡିଛି ।

ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କର ଖଣି କାର୍ଯ୍ୟାନ୍ୱୟନ ପ୍ରୋତ୍ସାହନ ରାଶି ଘୋଷଣା ଓଡିଶା ପାଇଁ ଅଧିକ ଅନୁଦାନ ପାଇବାର ବାଟ ଫିଟାଇଛି । ତେବେ ଏହି ଅନୁଦାନ ପାଇବାକୁ ହେଲେ ଓଡିଶା ସରକାରଙ୍କୁ ନିଲାମ ହୋଇ ସାରିଥିବା ଖଣିଗୁଡିକୁ ଚଳାଇବାକୁ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । କାରଣ ବିଭିନ୍ନ କାରଣ ଯୋଗୁଁ ଅନେକ ଖଣି ନିଲାମଧାରୀ ସେମାନଙ୍କର ଖଣିକାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି ।

ବିଶେଷକରି ନିଲାମ ହୋଇଥିବା କେତେକ ଖଣି ଅଞ୍ଚଳରେ ସ୍ଥାନୀୟ ଲୋକେ ଖଣି ଖନନକୁ ପ୍ରବଳ ବିରୋଧ କରୁଛନ୍ତି । ଏମାନଙ୍କ ସହିତ ପରିବେଶବିତ୍‍, ବେସରକାରୀ ସଂସ୍ଥାମାନେ ସ୍ୱର ମିଳାଉଥିବାରୁ ଖଣି ଖନନ ସହଜ ହେଉନାହିଁ । ଏହାଛଡା ବିସ୍ଥାପନ ପାଇଁ ବିଭିନ୍ନ ଦାବି, ଖଣି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡିକର ଅନୁମତି ଆଦି ମଧ୍ୟ ଖଣିଗୁଡିକ କାର୍ଯ୍ୟକ୍ଷମ କ୍ଷେତ୍ରରେ ବାଧକ ସାଜୁଛି । ବର୍ତ୍ତମାନ କେନ୍ଦ୍ର ସରକାର ଖଣି କାର୍ଯ୍ୟାନ୍ୱୟନ ପାଇଁ ବଡ ଧରଣର ପ୍ରୋତ୍ସାହନ ରାଶି ଘୋଷଣା କରିଥିବାରୁ ରାଜସ୍ୱ ବୃଦ୍ଧି ପାଇଁ ଓଡିଶା ସରକାର ଏ କ୍ଷେତ୍ରରେ ତତ୍ପରତା ପ୍ରକାଶ କରିବେ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି । (ତଥ୍ୟ)