Home Education ପତିଆରା ଲଢେଇରେ କଲେଜ କର୍ତ୍ତୃପକ୍ଷ ନୟାନ୍ତ

ପତିଆରା ଲଢେଇରେ କଲେଜ କର୍ତ୍ତୃପକ୍ଷ ନୟାନ୍ତ

ଭୁବନେଶ୍ୱର : ଚଳିତବର୍ଷ ମହାବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ନେଇ ସ୍ପଷ୍ଟ ସୂଚନା ମିଳନଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଗଣ୍ଡଗୋଳ ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । ଗୋଟିଏ ପଟେ ନାମଲେଖା ପର୍ବ ଚାଲିଥିବାବେଳେ ଅନ୍ୟପଟେ ଛାତ୍ରସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ପତିଆରା ଲଢେଇ ଆରମ୍ଭ ହୋଇଥିବାରୁ ଏହାକୁ କିଭଳି ସାମ୍ନା କରାଯିବ ତାହାକୁ ନେଇ କଲେଜ କର୍ତ୍ତୃପକ୍ଷ ଅଡୁଆରେ ପଡିଛନ୍ତି ।

ରାଜ୍ୟ ରାଜଧାନୀର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଏଭଳି ଗଣ୍ଡଗୋଳ ଘଟିଯାଇଛି । ପ୍ରଥମେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଦୁଇ ରାଜନୈତିକଦଳର ସମର୍ଥିତ ଛାତ୍ର ସଂଗଠନ ନିଜ ନିଜର ପୋଷ୍ଟର ମାରିବାକୁ ନେଇ ହାତାହାତି ହୋଇଥିବାବେଳେ ଏଥିରେ ଅଣଛାତ୍ରମାନେ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିଥିଲେ । ସ୍ଥିତି ସମ୍ଭାଳିବାପାଇଁ କଲେଜ କର୍ତ୍ତୃପକ୍ଷ ପୁଲିସ୍‍ ଡାକିବା ପରେ ମାମଲା ଥଣ୍ଡା ପଡିଥିଲା । ଅନୁରୂପ ଘଟଣା ଘଟିଛି ରାଜଧାନୀ ମହାବିଦ୍ୟାଳୟରେ । ସେଠାରେ ଦୁଇ ଗୋଷ୍ଠି ଛାତ୍ର ନିଜ ନିଜର ପତିଆରା ପାଇଁ ଅଧ୍ୟକ୍ଷଙ୍କ ସାମ୍ନାରେ ମାରପିଟ୍‍ ହୋଇଛନ୍ତି । ମାରପିଟର ମାତ୍ରା ଏତେ ଅଧିକ ଥିଲା ଯେ କିଛି ଛାତ୍ର ଡାକ୍ତରଖାନରେ ଭର୍ତ୍ତି ହେବା ସହିତ ପରସ୍ପର ବିରୁଦ୍ଧରେ ମାମଲା ଦାଏର କରିଛନ୍ତି । ଏଠାରେ ମଧ୍ୟ ସ୍ଥିତି ସମ୍ଭାଳିବାପାଇଁ କଲେଜ କର୍ତ୍ତୃପକ୍ଷ ପୁଲିସ୍‍ର ସହାୟତା ଲୋଡିଥିଲେ ।

ବର୍ତ୍ତମାନ ରାଜ୍ୟର କଲେଜଗୁଡିକରେ ନାମଲେଖା ପର୍ବ ଚାଲୁଥିବାରୁ ନୂଆକରି କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଛାତ୍ରସଂଗଠନରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ କଲେଜ ପରିସରରେ କେତେକ ଛାତ୍ର ସଂଗଠନ ‘ହେଲ୍ପ ଡେସ୍କ’ ବି ପ୍ରତିଷ୍ଠା କରିଛନ୍ତି । ନିଜ ପଟୁ ନୂଆ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ ପାଇଁ ପୋଷ୍ଟର, ବ୍ୟାନର ବି ଲଗାଉଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ନାମଲେଖାରେ ବ୍ୟସ୍ତ ଥିବା କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଅଡୁଆ ସ୍ଥିତି ସୃଷ୍ଟି କରିଛି ।

ତେବେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେଥିନେଇ କେହି ସ୍ପଷ୍ଟ କରୁନାହାନ୍ତି । କାରଣ ଦୀର୍ଘଦିନ ହେଲା ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ନୂଆ ସରକାର ଆସିବାପରେ ସମସ୍ତେ ଆଶା କରୁଥିଲେ ଯେ ଛାତ୍ରସଂସଦ ନିର୍ବାଚନ ହେବ । ହେଲେ ଗତ ଦୁଇବର୍ଷ ଧରି ଏହାକୁ ବିଭିନ୍ନ କାରଣ ଦର୍ଶାଇ ଟାଳି ଦିଆଯାଉଛି । ଚଳିତ ବର୍ଷ ଛାତ୍ର ସଂଘଗୁଡିକ ସକ୍ରିୟ ଥିବାରୁ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଜର ସଂଗଠନକୁ ମଜବୁତ କରୁଥିବାରୁ ଛାତ୍ରସଂସଦ ନିର୍ବାଚନ ନେଇ ଆଶା ସଞ୍ଚାର ହୋଇଛି ।

ହେଲେ ଏଭଳି ଅନିଶ୍ଚିତତା ଭିତରେ ମହାବିଦ୍ୟାଳୟଗୁଡିକରେ ଯେଭଳି ପତିଆରା ଲଢେଇ ଆରମ୍ଭ ହୋଇଛି ଓ ପୁଲିସ୍‍ ଡାକିବାକୁ ପଡୁଛି ସେଥିରେ ଛାତ୍ରସଂସଦ ନିର୍ବାଚନ ହେବ କି ନାହିଁ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । (ତଥ୍ୟ)