Home Energy କ୍ଷମତା ଥାଇ ବି ମିଳୁନି ବିଜୁଳି

କ୍ଷମତା ଥାଇ ବି ମିଳୁନି ବିଜୁଳି

ଭୁବନେଶ୍ୱର : ରାଜ୍ୟରେ ଏବେ ପିକ୍‍ ସମୟରେ ଯେତିକି ବିଜୁଳି ଆବଶ୍ୟକ ହେଉଛି ତାହାଠାରୁ ଅଧିକ ବିଜୁଳି ଉତ୍ପାଦନର କ୍ଷମତା ରାଜ୍ୟରେ ରହିଛି । ତେବେ ଅକ୍ଷୟଶକ୍ତି କ୍ଷେତ୍ରରୁ କମ୍‍ ବିଜୁଳି ଉତ୍ପାଦନ ହେଉଥିବାବେଳେ ଘରୋଇ ତାପଜ ବିଦ୍ୟୁତ୍‍ ଉତ୍ପାଦନକାରୀମାନେ ଠିକଣା ସମୟରେ ହାତଛାଡି ଦେଉଥିବାରୁ ବିଜୁଳି ପାଇଁ କର୍ତ୍ତୃପକ୍ଷ ନାକେଦମ ହେଉଛନ୍ତି । ସହର ଠାରୁ ଗାଁ ଗହଳି ପର୍ଯ୍ୟନ୍ତ ବିଦ୍ୟୁତ୍‍ କାଟ୍‍ର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଦାହ ଓ ଏଥିଯୋଗୁଁ ପ୍ରବଳ ଗୁଳୁଗୁଳି ଯୋଗୁଁ ବିଜୁଳି ଚାହିଦା ବଢିବାରେ ଲାଗିଛି । ପିକ୍‍ ସମୟରେ ଏହା ୮ହଜାର ମେଗାୱାଟକୁ ଟପି ଯାଉଛି । ତେବେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ମିଳିବାକୁ ଥିବା ବିଜୁଳି ପରିମାଣ ୯ହଜାର ମେଗାଓ୍ବାଟରୁ ଅଧିକବୋଲି ଜଣାଯାଇଛି । ଏଥି ମଧ୍ୟରେ ରାଷ୍ଟ୍ରାୟତ ସଂସ୍ଥା, ରାଜ୍ୟ ସଂସ୍ଥା, ଅକ୍ଷୟଶକ୍ତି ସଂସ୍ଥା ଓ ଘରୋଇ ତାପଜ ବିଦ୍ୟୁତ୍‍ ଉତ୍ପାନକାରୀମାନେ ରହିଛନ୍ତି । ଏହି ସମସ୍ତ ସୂତ୍ରରୁ ଯଦି ଠିକଣା ଭାବେ ବିଜୁଳି ମିଳନ୍ତା ତେବେ ପିକ୍‍ ସମୟରେ ଗ୍ରାହକକୁ ବିଜୁଳି ଯୋଗାଣରେ କୌଣସି ସମସ୍ୟା ଦେଖା ଦିଅନ୍ତା ନାହିଁ ।

ଏହି ସୂଚନା ଅନୁଯାୟୀ କେନ୍ଦ୍ରୀୟ ସଂସ୍ଥାଗୁଡିକରୁ ମୋଟ୍‍ ୪୦୩୮ ମେଗାୱାଟ ବିଜୁଳି ମିଳିବାକୁ ଥିବାବେଳେ ମିଳୁଛି ପାଖାପାଖି ୨ହଜାର ମେଗାୱାଟ । କେନ୍ଦ୍ରୀୟ ଉତ୍ସ ମଧ୍ୟରେ ସର୍ବାଧିିକ ବିଜୁଳି ତାପଜ କେନ୍ଦ୍ରରୁ ମିଳିବାକୁ ଥିବାବେଳେ ଜଳବିଦ୍ୟୁଦ୍‍, ପବନ ଶକ୍ତି ଓ ସୌରଶକ୍ତି ଆଦି ରହିଛି । ହେଲେ ଏହିସବୁ ସୂତ୍ରରୁ ମିଳୁଥିବା ବିଜୁଳି ପରିମାଣ ୨ହଜାର ମେଗାୱାଟ ଟପିପାରୁ ନାହିଁ । ସୌରଶକ୍ତି କ୍ଷେତ୍ରରୁ ୯୭୫ ମେଗାୱାଟ ବିଜୁଳି ସ୍ଥାନରେ ମିଳୁଛି ୧୮୩ ମେଗାୱାଟ । ବିଭିନ୍ନ କେନ୍ଦ୍ରୀୟ ତାପଜ କେନ୍ଦ୍ରରୁ ୨୩୪୨ ମେଗାୱାଟ ବିଜୁଳି ମିଳିବାକୁ ଥିବାବେଳେ ମିଳୁଛି ଦେଢ ହଜାର ମେଗାୱାଟରୁ ସାମାନ୍ୟ ଅଧିକ ।

ସେହିଭଳି ରାଜ୍ୟ ସ୍ତରୀୟ ଉତ୍ସରୁ ୫୮୬୮ ମେଗାୱାଟ ବିଜୁଳି ମିଳିବାକୁ ଥିବାବେଳେ ମିଳୁଥିବା ବିଜୁଳି ପରିମାଣ ଏହାର ଅଧାରୁ ସାମାନ୍ୟ ଅଧିକ ରହିଛି । ତେବେ ରାଜ୍ୟର ଚାହିଦା ମେଣ୍ଟାଇବାପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ଓପିଜିସି ଓ ଜଳବିଦ୍ୟୁତ୍‍ ଆଦି ଉତ୍ପାଦନ କ୍ଷମତାରୁ ୯୫ ପ୍ରତିଶତରୁ ଅଧିକ ଶକ୍ତି ଉତ୍ପାଦନ କରି ସ୍ଥିତି ସମ୍ଭାଳି ନେଉଛନ୍ତି । ରାଜ୍ୟରେ ସୌରଶକ୍ତି ପ୍ରକଳ୍ପଗୁଡିକୁ ୮୦ ମେଗାୱାଟ ବିଜୁଳି ମିଳୁଥିବାବେଳେ ଅନ୍ୟାନ୍ୟ ଅକ୍ଷୟଶକ୍ତି ଉତ୍ସରୁ ବି ଅନୁରୂପ ପରିମାଣର ଶକ୍ତି ମିଳୁଛି ।

ତେବେ ସବୁଠାରୁ ବଡକଥା ହେଉଛି ରାଜରେ ଥିବା ସ୍ୱାଧୀନ ଶକ୍ତି ଉତ୍ପାଦକ (ଆଇପିପି) ମାନେ ଓଡିଶା ସରକାରଙ୍କୁ ଠିକଣା ସମୟରେ ବିଜୁଳି ଦେଉନାହାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ୬୦୦ ମେଗାୱାଟ ବିଜୁଳି ଯୋଗାଇବାକୁ ଥିବା ବେଦାନ୍ତ ଓ ୨୦୦ ମେଗାୱାଟ ବିଜୁଳି ଯୋଗାଇବାକୁ ଥିବା ଜେଏସଡବ୍ଲୁ । ବେଦାନ୍ତ ଚୁକ୍ତିର ଅଧା ବିଜୁଳି ଦେଉଥିବାବେଳେ ଜେଏସଡବ୍ଲୁ ଆଦø ବିଜୁଳି ଦେଉନାହିଁ । ଫଳରେ ପିକ୍‍ ସମୟରେ ରାଜ୍ୟ ସରକାର ବିଜୁଳି ପାଇଁ ନାକେଦମ ହେଉଛନ୍ତି ।

ରାଜ୍ୟରେ ବିଜୁଳିର ଅଭାବ ନଥିବାବେଳେ ଓ ଉତ୍ପାଦନ କ୍ଷମତା ଚାହିଦା ଠାରୁ ଢେର ଅଧିକ ରହିଥିବାବେଳେ ପିକ୍‍ ସମୟ ସହିତ ଅନ୍ୟ ସମୟରେ ବି ବିଜୁଳି କାଟ୍‍ ହେଉଛି । ତେଣୁ ରାଷ୍ଟ୍ରାୟତ ସଂସ୍ଥା ସହିତ ଘରୋଇ ଆଇପିପିମାନେ କଭଳି ଚୁକ୍ତି ଅନୁଯାୟୀ ବିଜୁଳି ଯୋଗାଣ କରିବେ ତାହା ଉପରେ ଗୁରୁତ୍ୱ ଦେବା ସହିତ ଅକ୍ଷୟ ଶକ୍ତି ଉତ୍ସରୁ ଅଧିକ ବିଜୁଳି ପାଇବା ପାଇଁ ପଦକ୍ଷେପ ନେବା ଲାଗି ମତପ୍ରକାଶ ପାଉଛି । (ତଥ୍ୟ)