Home Education ବି.ଏଡ୍‍ ଆଶାୟୀ ଅନ୍ୟ ରାଜ୍ୟ ମୁହାଁ

ବି.ଏଡ୍‍ ଆଶାୟୀ ଅନ୍ୟ ରାଜ୍ୟ ମୁହାଁ

ଭୁବନେଶ୍ୱର : ଶିକ୍ଷକଟିଏ ହେବାପାଇଁ ଯେଉଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ବି.ଏଡ୍‍ ପ୍ରବେଶିକା ପରୀକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ଏବେ ଆସନ କମ୍‍ ରହିଛି । ରାଜ୍ୟରେ ଉଭୟ ସରକାରୀ ଓ ସେଲ୍ଫ ଫାଇନାନ୍ସି ପାଠ୍ୟକ୍ରମରେ ୨ବର୍ଷିଆ ବି.ଏଡ୍‍ରେ ୨୪୫୦ ଟି ଆସନ ଥିବାବେଳେ ଚଳିତବର୍ଷ ୧.୩୦ ଲକ୍ଷ ଛାତ୍ରଛାତ୍ରୀ ଏଥିପାଇଁ ପରୀକ୍ଷା ଦେଇଛନ୍ତି । ଓଡିଶାରେ ଆସନ ଅଭାବର ସୁଯୋଗ ନେଇ ପଡୋଶୀ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ଏବେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ପଢିବା ପାଇଁ ପ୍ରଲୋଭିତ କରିବାରେ ଲାଗିଛନ୍ତି ।

ରାଜ୍ୟରେ ଦୁଇ ବର୍ଷିଆ ବି.ଏଡ୍‍ ପାଠ୍ୟକ୍ରମ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧିନରେ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରହିଛି । ଏଠାରେ ୧୭୦୦ ଛାତ୍ରଛାତ୍ରୀ ନାମଲେଖାଇ ପାରିବେ । ଏହାଛଡା ଆଉ କିଛି ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସେଲ୍ଫ ଫାଇନାନ୍ସି କୋର୍ସ ଜରିଆରେ ବି.ଏଡ୍‍ ପାଠ ପଢାଯାଉଛି । ଏଥିପାଇଁ ମୋଟ୍‍ ୭୫୦ ଆସନ ରହିଛି । ମୋଟାମୋଟି ଭାବେ ଦୁଇ ବର୍ଷିଆ ବି.ଏଡ୍‍ ପାଠ୍ୟକ୍ରମ ପାଇଁ ମୋଟ୍‍ ୨୪୫୦ଟି ଆସନ ରହିଛି । ଏଥିଧ୍ୟରୁ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ବାଣ୍ଟି ଦିଆଯାଇଛି ।

ବର୍ତ୍ତମାନ ଶିକ୍ଷକ ବୃତ୍ତି ପାଇଁ ଆଗ୍ରହ ପ୍ରକାଶ ପାଇବା ଫଳରେ ଲକ୍ଷାଧିକ ଛାତ୍ରଛାତ୍ରୀ ବି.ଏଡ୍‍ରେ ନାମ ଲେଖାଇବାକୁ ଆଗ୍ରହୀ । ଫଳରେ ଚଳିତବର୍ଷ ଏକ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଉଥିବାବେଳେ ସରକାରୀ ସ୍ତରରେ ଏହାକୁ ବିଚାରକୁ ନେଇ ଆସନ ସଂଖ୍ୟା ବୃଦ୍ଧି କରାଯାଉନାହିଁ ।

ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଯେଉଁମାନେ ବି.ଏଡ୍‍ ପାଠ ପଢିବେ ସେମାନେ ଦୁଇ ବର୍ଷରେ ପାଖାପାଖି ୧୦ହଜାର ଟଙ୍କା ଦେଉଥିବାବେଳେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଏଥିପାଇଁ ୯୦ ହଜାର ଟଙ୍କା ଦେବାକୁ ପଡୁଛି । ତଥାପି ଛାତ୍ରଛାତ୍ରୀମାନେ ଉଭୟ ସରକାରୀ ଓ ସେଲ୍ଫଫାଇନାନ୍ସିଂରେ ବି.ଏଡ୍‍ ପଢିବାକୁ ଆଗ୍ରହୀ ଅଛନ୍ତି ।

ଓଡିଶାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ବି.ଏଡ୍‍ ଆସନ କମ୍‍ ଥିବାରୁ ଏବେ ରାଜ୍ୟ ବାହାରର ବିଶେଷକରି ଆନ୍ଧ୍ରପ୍ରଦେଶର କେତେକ ଶିକ୍ଷାନୁଷ୍ଠାନ ସେମାନଙ୍କ ଅନୁଷ୍ଠାନରେ ବି.ଏଡ୍‍ ପଢିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭିତ କରୁଛନ୍ତି । ପ୍ରବେଶିକା ପରୀକ୍ଷାକେନ୍ଦ୍ର ନିକଟରେ ସେମାନଙ୍କ ଏଜେଣ୍ଟମାନେ କାଗଜ ବାଣ୍ଟିବାରେ ଲାଗିଛନ୍ତି । ଅନ୍ୟ ରାଜ୍ୟରେ କିଭଳି ସହଜରେ ବି.ଏଡ୍‍ ପଢିହେବ ତାହା ବୁଝାଉଛନ୍ତି । ତେବେ ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନମାନେ ଏଥିପାଇଁ ଲକ୍ଷାଧିକ ଟଙ୍କା ନେଉଛନ୍ତି । ପିଲାମାନେ ଟଙ୍କା ଦେଇ ଘରେ ରହି ପାଠ ପଢୁଛନ୍ତି । ବିନା ପ୍ରାକ୍ଟିକାଲ ପରୀକ୍ଷାରେ ପିଲାମାନେ ସାର୍ଟିଫିକେଟ ପାଉଛନ୍ତି ଓ ତାହାରି ବଳରେ ସେମାନଙ୍କୁ ଓଡିଶାରେ ଶିକ୍ଷକ ଚାକିରି ପାଇଁ ପ୍ରବେଶିକା ପରୀକ୍ଷାରେ ବସିବାର ସୁଯୋଗ ମିଳୁଛି ।

ଯେହେତୁ ଓଡିଶାରେ ଦୁଇ ବର୍ଷିଆ ବି.ଏଡ୍‍ ପଢିବାପାଇଁ କମ୍‍ ଆସନ ରହିଛି ତେଣୁ ଓଡିଶାର ଛାତ୍ରଛାତ୍ରୀମାନେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି । ରାଜ୍ୟ ସରକାର ତୁରନ୍ତ ଓଡିଶାରେ ଦୁଇ ବର୍ଷିଆ ବି.ଏଡ୍‍ ଆସନ ବୃଦ୍ଧି ନକଲେ ଅନ୍ୟ ରାଜ୍ୟମାନେ ଏହାର ଫାଇଦା ନେଇଯିବେ ବୋଲି ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)