କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ।
ସଂପୂର୍ଣ୍ଣ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ଏବଂ ପ୍ରଥମେ ଏହି ବ୍ୟବସ୍ଥା ଆଗାମୀ ୪୮ ଘଣ୍ଟା ପାଇଁ ଜାରି ରହିବ । ବାଲେଶ୍ୱର ମାର୍ଗରେ ସାଧାରଣ ଟ୍ରେନ୍ ସେବା ପୁନଃ-ସ୍ଥାପନା ନହେଲା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯିବ ବୋଲି ଚିନ୍ତା କରାଯାଇଛି ।
ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଜାରି, ଆନ୍ତଃରାଜ୍ୟ ପରମିଟ୍ ଥିବା ସମସ୍ତ ବସ୍ ଭୁବନେଶ୍ୱର, ପୁରୀ ଏବଂ କଟକ ବସ୍ ଷ୍ଟାଣ୍ଡରୁ କୋଲକାତା ପର୍ଯ୍ୟନ୍ତ ବସ୍ ଚଲାଇପାରିବେ । ଏହି ସୁବିଧା ଓଏସଆରଟିସି ବସ୍ ରେ ମଧ୍ୟ ଉପଲବ୍ଧ ।
ଯେଉଁ ଯାତ୍ରୀମାନେ ଟିକେଟ୍ କିଣି ସାରିଛନ୍ତି ସେମାନେ ଯାତ୍ରା ଆରମ୍ଭ ପୂର୍ବରୁ ବସ୍ ଷ୍ଟାଣ୍ଡରେ ତାଙ୍କ ଟିକେଟ ବାବଦକୁ ଟଙ୍କା ଫେରସ୍ତ ପାଇପାରିବେ । ଯେକୌଣସି ସହାୟତା ପାଇଁ ଯାତ୍ରୀମାନେ ପ୍ରଦାନ କରାଯାଇଥିବା ବସ୍ ଆସୋସିଏସନ୍ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ଏବଂ ଆବଶ୍ୟକ ହେଲେ ସେମାନେ ଭୁବନେଶ୍ୱର, ପୁରୀ ଏବଂ କଟକ ର ଆରଟିଓ ମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବ।