ଭୁବନେଶ୍ୱର : ଅଧା ଓଡିଶା ବନ୍ୟାରେ ଉବୁଟୁବୁ ହେଉଥିବାବେଳେ ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ଏବେ ଜଳାଭାବ ଯୋଗୁଁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ । ବିଶେଷକରି କେନାଲ ଜଳ ଉପରେ ନିର୍ଭରଶୀଳ ଜମିଗୁଡିକରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି ।
ଲଗାଣ ବର୍ଷା ଛାଡିଯିବା ପରେ ଏବେ ଚାଷୀମାନେ ତଳି ଓପାଡିବା, ବିଲ କାଦୁଅ କରିବା, ଧାନରୁଆ ଆଦି ପାଇଁ ପାଣି ଆବଶ୍ୟକ କରୁଛନ୍ତି । ହେଲେ କେନାଲ ପାଣି ନଥିବାରୁ ସେମାନଙ୍କ ଚାଷକାମ ଅଟକି ଗଲାଣି । ପୁରୀ କେନାଲର ଅବବାହିକାରେ ଯେଉଁମାନେ କେନାଲପାଣି ଉପରେ ନିର୍ଭରଶୀଳ ସେଠାରେ ଚାଷକାର୍ଯ୍ୟ ଏକ ପ୍ରକାର ଅଟକି ଗଲାଣି ।
ଜିଲ୍ଲାର ବହୁ ତଳିଆ ଅଞ୍ଚଳରେ କିନ୍ତୁ ବନ୍ୟାଜଳ ପ୍ରବେଶ କରିବା ଓ ବନ୍ୟା ସତର୍କତା ଜାରି ହୋଇଥିବାରୁ ପ୍ରଶାସନ ଚାଷ ପାଇଁ ଜଳଯୋଗାଣ କଥାକୁ ଏକପ୍ରକାର ପାଶୋରୀ ଗଲାଣି । ଚଳିତବର୍ଷ ବର୍ଷା ଅଭାବ ଯୋଗୁଁ ଚାଷକାମ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ କେନାଲ ଜଳର ଅନିଶ୍ଚିତତା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।
ଲଗାଣ ବର୍ଷା ଛାଡିଯିବା ପରେ ଏବେ ଟାଇଁ ଟାଇଁ ଖରାରେ ଅନେକ ସ୍ଥାନରେ ବିଲ ଶୁଖିଲା ପଡିଲାଣି । ଯେଉଁମାନେ ଧାନ ରୋଇବାପାଇଁ ଜମି କାଦୁଅ କରିଥିଲେ ଜଳଭାବ ଯୋଗୁଁ ସେହି ଜମିରେ ଆଉ ତଳି ପୋତିବା ବି ସମ୍ଭବପର ହେଉନାହିଁ । ଯେଉଁଠାରେ ଜମିରେ ଧାନତଳି ରହିଛି ପାଣି ନଥିବାରୁ ତାହାକୁ ମୂଲିଆମାନେ ଓପାଡି ପାରୁନାହାନ୍ତି ।
ରାଜ୍ୟର ଅଧିକାଂଶ ନଈରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଚାଷୀମାନଙ୍କୁ ପାଣିଟୋପେ ମିଳୁନଥିବାରୁ ଏହାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାଦ୍ୱାରା ଧାନ ଚାଷ ବିଶେଷଭାବେ ପ୍ରଭାବିତ ହେବାରେ ଲାଗିଛି । ଗୋଟିଏ ପଟେ ଧାନ ତଳି ବଢିବଢି ଯାଉଥିବାବେଳେ ଅନ୍ୟପଟେ ଜଳାଭାବରୁ ଜମି କାଦୁଆ ହୋଇପାରୁ ନଥିବାରୁ ଚାଷୀମାନେ ଧାନ ତଳିକୁ ନେଇ କ’ଣ କରିବେ ତାହା ବି ଜାଣିପାରୁ ନାହାନ୍ତି ।
ପୁରୀ କେନାଲରେ ସାଧାରଣତଃ ଜୁଲାଇମାସ ମଧ୍ୟଭାଗରୁ ଜଳଯୋଗାଣ ହୋଇଥାଏ । ଫଳରେ ଚାଷୀମାନେ ଠିକଣା ସମୟରେ ଧାନଚାଷ କାର୍ଯ୍ୟ କରିଥାନ୍ତି । କିନ୍ତୁ ଚଳିତବର୍ଷ କୌଣସି କାରଣରୁ ପ୍ରଶାସନ ଏହି କେନାଲରେ ବର୍ତ୍ତମାନସୁଦ୍ଧା ପାଣି ଛାଡିନଥିବାରୁ ଏହା ଶାଖା କେନାଲଗୁଡିକ ଶୁଖିଲା ପଡିବା ସହିତ ତଳମୁଣ୍ଡରେ ପାଣି ପହଞ୍ଚିପ ପାରୁ ନାହିଁ । ପ୍ରବଳ ବର୍ଷରେ ଯେଉଁ ଜମିରେ ଫୁଟେ ଉପରେ ପାଣି ଚାଲୁଥିଲା ବର୍ଷା ଛାଡିବା ପରେ ପରେ ସେଠାରେ ଆଉ ପାଣି ଟୋପାଏ ମିଳୁନାହିଁ ।
ଚାଷୀମାନେ କହୁଛନ୍ତି ଯେ ଯଦି ପ୍ରଶାସନ ତୁରନ୍ତ କେନାଲରେ ଜଳ ଯୋଗାଣ ନକରନ୍ତି ତେବେ ଜଳ ବିହୁନେ ସୃଷ୍ଟିନାଶ ଭଳି ଅବସ୍ଥା ଉପୁଜିବ ଓ ବହୁ ଅଞ୍ଚଳରେ ଧାନତଳି ବିଲରେ ବି ଶୁଖିଯିବ । ସମସ୍ତ ପ୍ରସ୍ତୁତି ଓ ଅର୍ଥ ଖର୍ଚ୍ଚ ସତ୍ୱେ ଚାଷୀମାନେ ଠିକଣା ସମୟରେ ଚାଷକାର୍ଯ୍ୟ କରିପାରିବେ ନାହିଁ । (ତଥ୍ୟ)

