Home Administration କରୋନା ପାଇଁ ଓଡିଶାରେ କେନ୍ଦ୍ରୀୟଦଳ

କରୋନା ପାଇଁ ଓଡିଶାରେ କେନ୍ଦ୍ରୀୟଦଳ

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ବି ଯାଇଛି । ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ ।

କୋଭିଡ ପରିଚାଳନା ପାଇଁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରୟାସକୁ ମଜଭୁତ କରିବା ସକାଶେ ଜାରି ରହିଥିବା ଉଦ୍ୟମ ଭାବେ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପରିଦର୍ଶନ ନିମନ୍ତେ କେନ୍ଦ୍ରୀୟ ଟିମ ମୁତୟନ କରୁଛନ୍ତି । ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର୍ଯ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରରେ ଟିମ୍ ମୁତୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଏବେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ମଣିପୁରକୁ ପଠାଯାଇଥିବା ଟିମର ନେତୃତ୍ୱ ଇଏମଆରର ଅତିରିକ୍ତ ଡିଡିଜି ଓ ନିଦେ୍ର୍ଦଶକ ଡ. ଏଲ୍ ସ୍ୱସ୍ତିଚରଣ ନେଉଥିବା ବେଳେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ସଞ୍ଜୟ ସାଧୁଖାନଙ୍କ ନେତୃତ୍ୱରେ ଏକ ଟିମ୍ ଅରୁଣାଚଳ ପ୍ରଦେଶ ପଠାଯାଇଛି ।

ସେହିଭଳି ତି୍ରପୁରାକୁ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ଆର୍ ଏନ୍ ସିହ୍ନା ଦିର୍ଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ କେରଳ ପାଇଁ ଆରଓଏଚଏଫଡବ୍ଲୁ୍ୟର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜିଆର୍.-୨ ଡ. ରୁଚି ଜୈନଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ ଛତିଶଗଡ଼ରେ ଏମସ ରାୟପୁର ସହକାରୀ ପ୍ରଫେସର ଡ. ଦିବାକର ସାହୁଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ରାଜ୍ୟଗୁଡ଼ିକ ଯେଉଁ ଉଦ୍ୟମ କରୁଛନ୍ତି, ଏହି ଟିମ୍ ଗୁଡ଼ିକ ସେଥିରେ ସହଯୋଗ କରିବେ ।

ଏହି ରାଜ୍ୟଗୁଡ଼ିକୁ ପଠାଯାଇଥିବା ଦୁଇ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସେବା ବିଶେଷଜ୍ଞ ସାମିଲ ଅଛନ୍ତି । ଏହି ଟିମଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ଗସ୍ତ କରି କୋଭିଡ-୧୯ ପରିଚାଳନା, ବିଶେଷକରି ଟେଷ୍ଟିଙ୍ଗ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତାର ତଦାରଖ କରିବେ । ଏହାସହିତ କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଆଦି, ଏବଂ ସର୍ବୋପରି କୋଭିଡ-୧୯ ଟିକାକରଣ ଅଗ୍ରଗତିର ମଧ୍ୟ ତଦାରଖ କରିବେ । ଟିମଗୁଡ଼ିକ କୋଭିଡ ସ୍ଥିତିର ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ।

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସ୍ଥିତିର ମୂଲ୍ୟାୟନ କରିବେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ପ୍ରଦାନ କରିବେ । ଏ ସଂକ୍ରାନ୍ତ ରିପୋର୍ଟର ନକଲଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।