Home Infrastructure ୭୫ ଦିନରେ ୧୦ହଜାର ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ

୭୫ ଦିନରେ ୧୦ହଜାର ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ

ଭୁବନେଶ୍ୱର : ଗୃହ ଏବଂ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ଧରି ରଖିବା (କ୍ୟାଚ୍‍ ଦି ରେନ୍‍) ଅଭିଯାନ ଆରମ୍ଭ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡିଶାର ୧୧୪ ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍‍ଏସ୍‍) ର୍ନିମାଣ ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ୭୫ ଦିନରେ ୧୦ହଜାର ପ୍ରକଳ୍ପ ନିର୍ମାଣ ସରିଛି ।

ମିଶନ୍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଂଗଠନଗୁଡିକର ଯୋଗଦାନ (ସିବିଓ) ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ, ବର୍ଷା ଜଳ ଧରି ରଖିବାର ଅଭିଯାନକୁ କ୍ଷେତ୍ର ସ୍ତରରୁ ବିପୁଳ ସମର୍ଥନ ମିଳୁଛି । ରାଜ୍ୟର ସହରାଞ୍ଚଳ ଗୋଷ୍ଠି ମାଧ୍ୟମରେ ଏହାର ସଫଳତା ଏବଂ ଗ୍ରହଣକୁ ଦେଖି ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶାର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ଆହୁରି ୧୦,୦୦୦ ରୁ ଅଧିକ ଆରଡବ୍ଲ୍ୟୁଏଚ୍‍ଏସ୍‍ ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଛି ।

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡିଶା ଅନ୍ୟତମ ଜଳ ବହୁଳ ରାଜ୍ୟ ଭାବରେ ପରିଗଣିତ । ବର୍ଷା ହେଉଛି ଓଡିଶାର ଜଳର ମୁଖ୍ୟ ଉତ୍ସ ଯାହା ସାରା ରାଜ୍ୟରେ ୧୨୦୦ ମିଲିମିଟରରୁ ୧୮୦୦ ମିଲିମିଟର ମଧ୍ୟରେ ବର୍ଷିଥାଏ । ଯଦିଓ ଓଡିଶାରେ ହାରାହାରି ବୃଷ୍ଟିପାତ ୧୪୦୦ ମିଲିମିଟର ପରିମାପ କରାଯାଏ, ଏହା ବିଭିନ୍ନ ସ୍ଥାନରେ ସମାନ ଭାବରେ ହୋଇନଥାଏ । ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ଓଡିଶା ପ୍ରାୟ ୭୬% ବୃଷ୍ଟିପାତ ହୁଏ ଏବଂ ବର୍ଷସାରା ଅବଶିଷ୍ଟ ୨୪% ବୃଷ୍ଟିପାତ ହୋଇଥାଏ ।

ରାଜ୍ୟ ବ୍ୟାପକ ଭାବରେ ଦୁଇଟି କୃଷି-ଜଳବାୟୁ ଜୋନ୍‌, ଅର୍ଥାତ୍‍ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉଚ୍ଚଭୂମି ଅଞ୍ଚଳରେ ବିଭକ୍ତ । ଉଚ୍ଚଭୂମି ଅଞ୍ଚଳର କିଛି ଅଂଶ ହେଉଛି ରାଜ୍ୟର ବର୍ଷା ଛାୟା ଅଞ୍ଚଳ । ତେଣୁ, ମାଟି ଉପରେ ବୋହି ଯାଉଥିବା ଜଳ ଉତ୍ସକୁ ଧରିବା ପାଇଁ ପର୍ଯ୍ୟାପ୍ତ ପରିସର ଅଛି ଯେଉଁଠାରେ ଏଥିପାଇଁ ଜ୍ଞାନକୌଶଳ ବ୍ୟବହାର କରିବାକୁ ପଡ଼େ । ରାଜ୍ୟର ସହରାଞ୍ଚଳରେ ଜଳ ଅଭାବର ମୁଖ୍ୟ ଆହ୍ୱାନକୁ ସମାଧାନ କରି ବର୍ଷା ଜଳ ଅମଳ ସଂରଚନା ଗଠନ ଦ୍ୱାରା ବର୍ଷା ଜଳକୁ ଧରି ରଖିବା ।

ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜ ବୃଦ୍ଧି ପାଇଁ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ରାଜ୍ୟର ୧୧୪ ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ ୨୦୩୫ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍‍ଏସ୍‍) ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ ଏବଂ ଅଭାବୀ ଲୋକମାନଙ୍କୁ ମଜୁରୀ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଏକ ନିୟମିତ ଯୋଜନା ‘ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା / ୟୁଡବ୍ଲ୍ୟୁଇଆଇ) ଅଧୀନରେ ଏହି ପଦକ୍ଷେପ ନିଆଯାଇଛି । ବୈଷୟିକ ସମ୍ଭାବ୍ୟତା ଏବଂ ସ୍ଥାନ ଉପଲବ୍ଧତା ଅନୁଯାୟୀ ସମସ୍ତ ପୌରାଞ୍ଚଳରେ ଉପଲବ୍ଧ ଥିବା ପାର୍କ, ଖେଳ ପଡିଆ, ଖୋଲା ସ୍ଥାନ ଏବଂ ଖାଲି ଜମିରେ ଆରଡବ୍ଲ୍ୟୁଏଚ୍‍ଏସ୍‍ ର୍ନିମାଣ କରାଯାଉଛି ।

ଆରଡବ୍ଲ୍ୟୁଏଚ୍‍ଏସ୍‍ର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ପ୍ରମୁଖ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ସ୍ୱଚ୍ଛତା ଏବଂ ଉତ୍ତରଦାୟି ପଦକ୍ଷେପ ନିଶ୍ଚିତ କରିବାକୁ, ଗୃହ ଓ ନଗର ଉନ୍ନୟନ ବିଭାଗ ଆରଡବ୍ଲ୍ୟୁଏଚ୍‍ଏସର ତୃତୀୟ ପକ୍ଷ ଯାଞ୍ଚଞ୍ଚ ସହିତ ବିଭିନ୍ନ ରଣନୀତି ଦର୍ଶାଇ ଏକ ମାର୍ଗଦର୍ଶିକା ଜାରି କରିଛି । କ୍ଷେତ୍ର ସ୍ତରରେ ଆରଡବ୍ଲ୍ୟଏଚଏସର ୧୦୦% ତୃତୀୟ ପକ୍ଷ ଯାଞ୍ଚ କରିବା ପାଇଁ ଇନହାଉସ୍ ବୈଷୟିକ ସମ୍ବଳକୁ ନିର୍ଦ୍ଦେଶ ଦେବା ପାଇଁ ବିଭାଗ ଏକ ଟୁଲକିଟ୍‍ ଜାରି କରିଛି । ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପଦକ୍ଷେପକୁ ଆହୁରି ଦୃଢ କରିବାକୁ, ପାଇଲଟ୍ ଆଧାରରେ କାର୍ଯ୍ୟଦକ୍ଷତା ଉନ୍ନତି ଏବଂ ଫଳାଫଳ ମାପ ପାଇଁ ଏକ ଉପକରଣ ଭାବରେ ସାମାଜିକ ଅଡିଟ୍ ଉପସ୍ଥାପନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗର ଚାଲିଥିବା ମୁକ୍ତା ପଦକ୍ଷେପରେ ମିଶନ୍ ଶକ୍ତି ଗୋଷ୍ଠୀର ଯୋଗଦାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ / ମହାସଂଘ ଏବଂ ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ କାର୍ଯ୍ୟକାରୀ ସଂସ୍ଥା ଭାବରେ ଆରଡବ୍ଲ୍ୟୁଏଚଏସ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ସମଗ୍ର ରାଜ୍ୟରେ ମିଶନ ଶକ୍ତି ଅଧୀନରେ ସୃଷ୍ଟି ହୋଇଥିବା ଏସଏଚଜି ଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ସଶକ୍ତିକରଣ ହୋଇପାରିବ ।

ଏହି ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ, ଆଇନ୍‍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ସଫଳତାରେ ଖୁସି ବ୍ୟକ୍ତ କରି ଶ୍ରୀ ଜେନା କହିଛନ୍ତି ଯେ ଗୃହ ଓ ନଗର ଉନ୍ନୟନ ବିଭାଗ ମାତ୍ର ୭୫ ଦିନ ବ୍ୟବଧାନରେ ଓଡିଶାର ୧୧୪ ପୌରାଞ୍ଚଳରେ ୧୦ହଜାର ଆରଡବ୍ଲ୍ୟୁଏଚଏସ ପ୍ରତିଷ୍ଠା କରି “କ୍ୟାଚ୍‍ ଦି ରେନ୍‍” ଅଭିଯାନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲ୍ୟୁଏଚଏସ୍‍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।