Home General କମୁଛି ସନ୍ତାନ ଜନ୍ମହାର

କମୁଛି ସନ୍ତାନ ଜନ୍ମହାର

ଭୁବନେଶ୍ୱର : ଓଡ଼ିଶାରେ ଏବେ ବି ବାଲ୍ୟ ବିବାହର ପ୍ରାଦୁର୍ଭାବ ରହିଛି । ଏଥିସହ ମହିଳାମାନଙ୍କ ସନ୍ତାନ ଜନ୍ମହାର କମୁଥିବାରୁ ଭବିଷ୍ୟତରେ ଏହା ସାମାଜିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

ଜାତୀୟ ସ୍ତରରେ ଜଣେ ଜଣେ ମହିଳା ହାରାହାରି ଦୁଇଟି ସନ୍ତାନ ଜନ୍ମ କରୁଥିବାବେଳେ ଓଡ଼ିଶାରେ ଏହି ହାର ୧.୭ ରହିଛି । ଏହି ତଥ୍ୟ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୬ ରିପୋର୍ଟରେ ପ୍ରକାଶ ପାଇଛି । ଅର୍ଥାତ୍‍ ଦେଶରେ ହାରାହାରି ୧୦ଜଣ ମହିଳା ୨୦ଟି ସନ୍ତାନ ଜନ୍ମ କରୁଥିବାବେଳେ ଓଡ଼ିଶାରେ ହାରାହାରି ୧୦ଜଣ ମହିଳା ଜନ୍ମ କରୁଛନ୍ତି ମାତ୍ର ୧୭ଜଣ ସନ୍ତାନ । ପୂର୍ବ ସର୍ଭେ ତୁଳନାରେ ଏଥର ଓଡ଼ିଶାରେ ଏହି ହାର ଅପେକ୍ଷାକୃତ କମ୍‍ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ଏହି ହାର ଓଡ଼ିଶା କ୍ଷେତ୍ରରେ ୧.୮ ରହିଥିଲା ।

ଗ୍ରାମାଞ୍ଚଳ ତୁଳନାରେ ଓଡ଼ିଶାର ସହରାଞ୍ଚଳରେ ମହିଳାମାନଙ୍କ ସନ୍ତାନ ଜନ୍ମ ହାର ତୁଳନାତ୍ମକ ଭାବେ କମ୍‍ ରହୁଛି । ପୂର୍ବରୁ ଯୌଥ ପରିବାରରେ ବହୁ ସନ୍ତାନ ଜନ୍ମ ନେଉଥିଲେ । ପରବର୍ତ୍ତୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଯେଉଁ ଅଭିଯାନ ଚାଲିଲା ସେଥିରେ ଦୁଇ ବା ତିନୋଟି ସନ୍ତାନରେ ସୀମିତ ରଖିବାକୁ କୁହାଯାଉଥିଲା ଏବଂ ଏହା ପରେ ‘ଆମେ ଦୁଇ ଆମର ଦୁଇ’ ନାରା ଦିଆଯାଇଥିଲା । ଏବେ କିନ୍ତୁ ଏହା ଦୁଇରୁ ହ୍ରାସ ପାଇଛି । ଏଥିରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ ଜନସଂଖ୍ୟା ନିୟନ୍ତ୍ରଣ ସଫଳ ହୋଇଥିବା କୁହାଯାଉଛି ।

ଓଡ଼ିଶାରେ ଏବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ କମ୍‍ ରହୁଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏହି ପରିସ୍ଥିତି ଥିବା ୨୦୧୧ ଜନଗଣନାରୁ ସ୍ପଷ୍ଟ ବାରି ହେଉଥିଲା । ୨୦୨୧ରେ ଜନଗଣନା ହୋଇନଥିବାବେଳେ ବର୍ତ୍ତମାନ ଚାଲିଥିବା ଜନଗଣନା ରିପୋର୍ଟ ଆସିବା ପରେ କେଉଁ କେଉଁ ଜିଲ୍ଲାରେ ମହିଳା ଓ ଶିଶୁକନ୍ୟାଙ୍କ ତୁଳନାରେ ପୁରୁଷ ଓ ଶିଶୁପୁତ୍ରଙ୍କ ଅନୁପାତ ଅଧିକ ରହୁଛି ତାହା ସ୍ପଷ୍ଟ ହୋଇଯିବ । ଏହି ସମସ୍ୟା ଲାଗି ରହିଲେ ଆଉ କିଛିବର୍ଷ ମଧ୍ୟରେ ପୁଅମାନଙ୍କୁ ବାହା ହେବା ପାଇଁ ବହୁ କ୍ଷେତ୍ରରେ ଝିଅ ମିଳିବେ ନାହିଁ ।

ଶିଶୁ ସନ୍ତାନ ଜନ୍ମ ହାର କମିବାର ପ୍ରଭାବ ସିଧାସଳଖ ଏବେ ଶିକ୍ଷା ସେବା ଉପରେ ପଡୁଛି । ଅନେକ ଏକସନ୍ତାନବର୍ତ୍ତୀ ପରିବାର ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲ କିମ୍ବା ଓଡ଼ିଆ ମାଧ୍ୟମ ସ୍ୱତନ୍ତ୍ର ଘରୋଇ ସ୍କୁଲରେ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟବସାୟିକ ଭିତ୍ତିରେ ବେସରକାରୀ ଶିକ୍ଷାନୁଷ୍ଠାନମାନ ମୁଣ୍ଡ ଟେକୁଛି । ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ତୁଳନାତ୍ମକ ଭାବେ ଅଧିକ ପିଲାଙ୍କର ନାମାଙ୍କନ ହେଉଥିବାବେଳେ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ସ୍ଥିତି ବିପନ୍ନ ହୋଇପଡୁଛି । ଅନେକ କ୍ଷେତ୍ରରେ ବିଦ୍ୟାଳୟ ଥିଲେ ବି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଢେର କମ୍‍ ରହୁଥିବାରୁ ସରକାର ହଜାର ହଜାର ସଂଖ୍ୟକ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ବନ୍ଦ କରିଦେଉଛନ୍ତି । ଯେଉଁ ବିଦ୍ୟାଳୟଗୁଡ଼ିକ ଦିନେ ଛାତ୍ରଛାତ୍ରୀଙ୍କୁ ନେଇ ହସୁଥିଲା ସେଗୁଡ଼ିକ ବନ୍ଦ ହୋଇଯିବା ପରେ ବହୁ କ୍ଷେତ୍ରରେ ଭୂତକୋଠି ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି । ସମାଜ ବିଜ୍ଞାନୀମାନେ ଏବେ ଏହି ସମସ୍ୟା ଘେନି ବେଶ୍‍ ଉଦ୍‍ବିଘ୍ନ ।

ସେହିଭଳି ଏହି ରିପୋର୍ଟରେ ଦିଆଯାଇଥିବା ଅନ୍ୟ ଏକ ତଥ୍ୟ ମୁତାବକ ଏବେ ୨୦ରୁ ୨୪ ବର୍ଷ ବୟସରେ ପହଞ୍ôଚଥିବା ମହିଳାମାନଙ୍କ ଭିତରୁ ୧୮.୬ ପ୍ରତିଶତଙ୍କ ବିବାହ ୧୮ବର୍ଷରୁ କମ୍‍ ବୟସରେ ହୋଇଛି । ସେହିଭଳି ୨୫ରୁ ୨୯ ବର୍ଷ ବୟସ୍କ ଯୁବକମାନଙ୍କ ଭିତରୁ ୧୨.୫ ପ୍ରତିଶତଙ୍କ ବିବାହ ମଧ୍ୟ ସେମାନେ ୨୧ ବର୍ଷ ବୟସରେ ପହଞ୍ôଚବା ପୂର୍ବରୁ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।(ତଥ୍ୟ)