Home Finance କେବଳ ଭାରତୀୟ କମ୍ପାନୀର ଇଭି କିଣାହେବ

କେବଳ ଭାରତୀୟ କମ୍ପାନୀର ଇଭି କିଣାହେବ

ଭୁବନେଶ୍ୱର : ରାଜ୍ୟ ସରକାର ନିଜର ମନ୍ତ୍ରୀ, ବିଚାରପତି ଓ ସରକାରୀ ଅଧିକାରୀମାନଙ୍କ ପାଇଁ କେବଳ ଭାରତୀୟ କମ୍ପାନୀ ତିଆରି କରିଥିବା ଇଭି ଖରିଦ କରିବେ । ଅର୍ଥ ବିଭାଗ ପକ୍ଷରୁ ଏହି ମର୍ମରେ ସମସ୍ତ ବିଭାଗମାନଙ୍କୁ ଅବଗତ କରାଯାଇଛି ।

ଇଭି କିଣା ସଂକ୍ରାନ୍ତରେ ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟଭାବେ କୁହାଯାଇଛି ଯେ ଟାଟା, ମହିନ୍ଦ୍ରା ଓ ମାରୁତି କମ୍ପାନୀ ନିର୍ମାଣ କରୁଥିବା ଇଭି ହିଁ ଖରିଦ କରାଯିବ । ଏହିସବୁ ଯାନ କିଣିବା ପୂର୍ବରୁ ଅର୍ଥ ବିଭାଗର ଅନୁମତି ନେବା ନିହାତି ଜରୁରୀ ।

ତେବେ କେଉଁ ଅଧିକାରୀଙ୍କ ପାଇଁ କେତେ ମୂଲ୍ୟର ଇଭି କିଣାଯିବ ତାହା ମଧ୍ୟ ଅର୍ଥ ବିଭାଗ ନିର୍ଦ୍ଧାରଣ କରିଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀମାନଙ୍କ ଲାଗି କିଣାଯିବାକୁ ଥିବା ଇଭିର ସର୍ବୋଚ୍ଚ ଦର ୩୦ଲକ୍ଷ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଏବଂ ସେହି ପାହ୍ୟାର ଅଫିସରଙ୍କ ଲାଗି କିଣାଯିବାକୁ ଥିବା ଇଭିର ମୂଲ୍ୟ ୨୫ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲା ଜଜ୍‍, ଜିଲ୍ଲାପାଳ ଓ ଏସ୍‍ପିମାନଙ୍କ ପାଇଁ ଏହା ୨୦ଲକ୍ଷ ଟଙ୍କା ରହିଛି ।

ସେହିଭଳି ସରକାରୀ ସ୍ତରରେ ଇଭି କିଣିବାପାଇଁ ଅର୍ଥ ବିଭାଗ କେତେକ ସର୍ତ୍ତ ଜାରି କରିଛି । ଏହା ଅନୁଯାୟୀ ବର୍ତ୍ତମାନ ଚଳାଚଳ କରୁଥିବା ସରକାରୀ ଯାନଗୁଡିକର ଧାର୍ଯ୍ୟ ଅବଧି ସରିବା ଏବଂ ଏଗୁଡିକ ସ୍କ୍ରାପ୍‍ ହେବାପରେ ହିଁ ନୂଆ ଗାଡି ଖରିଦ କରାଯିବ । ଫଳରେ ଯେଉଁସବୁ ବିଭାଗ ନିଜ ନିଜର ମନ୍ତ୍ରୀ କିମ୍ବା ବାବୁମାନଙ୍କ ପାଇଁ ନୂଆ ଯାନ କିଣିଛନ୍ତି ସେମାନଙ୍କର ଏବେ ଇଭି କିଣିବାର ସମ୍ଭାବନା କମ୍‍ ରହିଛି । ସେହିଭଳି ଜଣେ ବାବୁଙ୍କ ପାଇଁ ଗୋଟିଏ ଗାଡି ନୀତିକୁ କଡାକଡି ଭାବେ ପାଳନ କରାଯିବ ।

ଅର୍ଥ ବିଭାଗ ପକ୍ଷରୁ ଇଭି ଖରିଦ ନେଇ ଏଭଳି ନିର୍ଦ୍ଦେଶନାମା ଜାରି ପରେ ଏବେ ଇଭି ଖରିଦ ପାଇଁ ବିଭାଗମାନେ ଆଗଭର ହେବେ । ହେଲେ ପାହ୍ୟା ଅନୁସାରେ ଅର୍ଥ ବିଭାଗ ଯେଉଁ ଇଭିର ଯେଉଁ ସର୍ବୋଚ୍ଚ ଦର ଧାର୍ଯ୍ୟ କରିଛନ୍ତି ସେତିକି ଅର୍ଥରେ କେଉଁ କମ୍ପାନୀରୁ କେଉଁ ଗାଡି କିଣାଯିବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ଉଲ୍ଲେଖନୀୟ ଯେ ଦେଶରେ ତୈଳସଙ୍କଟ ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଜ ନିଜର କାରକେଡ୍‍ ଗାଡି ସଂଖ୍ୟା ହ୍ରାସ କରିବା ସହିତ ଇଭି ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । ଓଡିଶା ସରକାର ମଧ୍ୟ ତୈଳ ସଙ୍କଟର ମୁକାବିଲା ପାଇଁ ସରକାରୀ ସ୍ତରରେ ଇଭି ଖରିଦ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ଅର୍ଥ ବିଭାଗପକ୍ଷରୁ ବିଧିବଦ୍ଧ ଭାବେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । (ତଥ୍ୟ)