ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବଶ କରିଥିବାବେଳେ ଚାଷକାର୍ଯ୍ୟ କିନ୍ତୁ ଆରମ୍ଭ ହୋଇପାରୁ ନାହିଁ । ଗାଁ ଗହଳରେ ଡିଜେଲ ସଙ୍କଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଡିଜେଲ କଳାବଜାରୀକୁ ରୋକିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାପରେ ହଠାତ୍ ଗାଁ ଗହଳରେ ଥିବା ତେଲଟାଙ୍କିଗୁଡିକରେ ଡିଜେଲ ଅଭାବ ଦେଖାଦେଇଛି । କେତେକ ଟାଙ୍କିରେ ତ ଆଦୌ ଡିଜେଲ ନାହିଁ । ତେଲ ସଙ୍କଟ ପରେ ଅଳ୍ପ ଅଳ୍ପ ଡିଜେଲ ମିଳୁଥିବାବେଳେ ଏବେ ପୁଣିଥରେ ଡିଜେଲ ଅଭାବ ପରିଲକ୍ଷିତ ହୋଇଛି ।
ଡିଜେଲ ମିଳୁନଥିବାରୁ ଚାଷକାର୍ଯ୍ୟରେ ବ୍ୟବହୃତ ଟ୍ରାକ୍ଟର ଓ ପାୱାରଟିଲରଗୁଡିକ ଗଡିପାରୁ ନାହାନ୍ତି । ଗାଁ ଗହଳରେ ଆଉ ପ୍ରାୟତଃ ବଳଦ ଚାଳିତ ହଳଲଙ୍ଗଳ ନଥିବାରୁ ଚାଷୀମାନେ ଟ୍ରାକ୍ଟର ଉପରେ ନିର୍ଭରଶୀଳ ହୋଇଛନ୍ତି । ମୌସୁମୀ ପ୍ରବେଶ ସହିତ ଚାଷୀମାନେ ବିଲରେ ଟ୍ରାକ୍ଟର ଯୋଗେ ହଳକରିଥାନ୍ତି ଓ ସବୁଜସାର କୁହାଯାଉଥିବା ଧନିଚା ବୁଣିଥାନ୍ତି । ସେହିଭଳି ଆଉ କେତେକ ଚାଷୀ ପାୱାରଟିଲର ଯୋଗେ ଏହା କରିଥାନ୍ତି ।
ହେଲେ ଗାଁ ଗହଳରେ ଏବେ ଡିଜେଲ ସଙ୍କଟ । ରାଜଧାନୀରୁ ମାତ୍ର ୭୦ କିଲୋମିଟର ଦୂରରେ ଥିବା ଜଗତ୍ସିଂହପୁର ଜିଲ୍ଲାରୁ ଏଭଳି ଖବର ଆସିବାରେ ଲାଗିଛି । ତେଲ ଟାଙ୍କିରେ ଡିଜେଲ ମିଳୁନଥିବାରୁ ଟ୍ରାକ୍ଟରଗୁଡିକ ଛିଡାହୋଇ ରହିଗଲେଣି । ଯେଉଁମାନେ ଅଳ୍ପକିଛି ଡିଜେଲ ସଂଗ୍ରହ କରୁଛନ୍ତି ସେମାନେ ନିର୍ମାଣକାର୍ଯ୍ୟରେ ତାହାକୁ ଲଗାଇ ଦେଉଛନ୍ତି ।
ଏହା ପୂର୍ବରୁ ସମୁଦ୍ରକୂଳିଆ ଅଞ୍ଚଳରେ ଡିଜେଲ ଅଭାବରୁ ମାଛଧରା ପ୍ରଭାବିତ ହୋଇଥିଲା । ଡିଜେଲ ଚାଳିତ ଟ୍ରଲର ଓ ଡଙ୍ଗାଗୁଡିକ ସମୁଦ୍ରକୁ ଯାଇପାରିନଥିଲେ । ଏହାଦ୍ୱାରା ଧୀବରମାନଙ୍କ ରୋଜଗାର ପ୍ରଭାବିତ ହେବା ସହିତ ବଜାରରେ ସମୁଦ୍ରମାଛ ଯୋଗାଣ ବି ହ୍ରାସ ପାଇଥିଲା । ଏହାକୁ ନେଇ ଅସନ୍ତୋଷ ଥମିନଥିବାବେଳେ ଏବେ ଚାଷକାର୍ଯ୍ୟ ପାଇଁ ଡିଜେଲ ଅଭାବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଉପକୂଳ ଜିଲ୍ଲାଗୁଡିକରେ ସାଧାରଣତଃ ରଜପର୍ବ ପରେ ପରେ ଚାଷୀ ବିଲକୁ ହଳ ନେଇ ଯାଇଥାଏ । କେଉଁଠାରେ ଧାନ ବୁଣା ହୋଇଥାଏ ତ ଆଉ କେଉଁଠାରେ ତଳି ପକାଇବାପାଇଁ ପ୍ରସ୍ତୁତିପର୍ବ ଚାଲିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧନିଚା ଠାରୁ ଧାନ ବିହନ ପର୍ଯ୍ୟନ୍ତ ସବୁକିଛି ଯୋଗାଣ କରୁଛନ୍ତି । ହେଲେ ଚାଷକାର୍ଯ୍ୟର ଆଦ୍ୟପର୍ବ ହଳ କରିବା କିନ୍ତୁ ଚଳିତବର୍ଷ କଷ୍ଟକର ହୋଇ ପଡିଲାଣି ।
ଚାଷୀମାନଙ୍କ କହିବାକଥା ଯେ ଗାଁ ଗହଳରେ ଯଦି ତୁରନ୍ତ ଚାଷପାଇଁ ଡିଜେଲ ଉପଲବ୍ଧ ନହେବ ତେବେ ଚଳିତବର୍ଷ ଧାନଚାଷରେ କେବଳ ବିଳମ୍ବ ହେବନାହିଁ ଅନେକ ସ୍ଥାନରେ ଧାନ ଚାଷ ବି ଅଧାରେ ରହିଯିବ । କାରଣ ଶୁଖିଲାଜମିରେ ହଳ ଠାରୁ ଆରମ୍ଭକରି ବିଲ କାଦୁଅ କରିବା, ମହୀଦେବା ଆଦି ସବୁ କାର୍ଯ୍ୟ ଟ୍ରାକ୍ଟର ଯୋଗେ ହିଁ ହେଉଛି । ସେହିଭଳି ଧାନ କାଟିବା ଠାରୁ ଅମଳ ପର୍ଯ୍ୟନ୍ତ ସବୁକିଛି ପାଇଁ ଚାଷୀମାନେ ଯାନ୍ତ୍ରିକ କୃଷି ଉପରେ ନିର୍ଭର କରୁଥିବାବେଳେ ଏଥିବାପାଇଁ ଡିଜେଲ ନିହାତି ଦରକାର । ଏଭଳି ସ୍ଥିତିରେ ଗାଁ ଗହଳର ତେଲ ଟାଙ୍କିରେ ଡିଜେଲ ସଙ୍କଟ ଏବେ ଚାଷୀମାନଙ୍କ ଚିନ୍ତାରେ ପକାଇ ଦେଇଛି । (ତଥ୍ୟ)

