ଭୁବନେଶ୍ୱର : ଓମାନ୍ ଓଡ଼ିଆ ସଂଘ ତରଫରୁ ରାଜ୍ୟର କୋଭିଡ଼୍ ଲଢ଼େଇରେ ଯୋଗଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନରେ ସଂଘର କର୍ମକର୍ତ୍ତା ସଂପଦ କୁମାର ବଳ, ସଂଜିତ୍ କୁମାର ମହାନ୍ତି ଏବଂ ବିଦ୍ୟୁତ୍ଲତା ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି ।
ଚେକ୍ ପ୍ରଦାନ ସମୟରେ ଶ୍ରୀ ବଳ କହିଥିଲେ ଯେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ରାଜ୍ୟର କୋଭିଡ୍ ଲଢ଼େଇରେ ସହଯୋଗ ସ୍ୱରୂପ ଏହି ରାଶି ନିଜ ନିଜ ପାଣ୍ଠିରୁ ସଂଗ୍ରହ କରିଛନ୍ତି । ଶ୍ରୀ ମହାନ୍ତି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି ।
ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡ଼ିଶା କୋଭିଡ୍ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ ।
ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓମାନ ଓଡ଼ିଆ ସଂଘର ସମସ୍ତ ସଦସ୍ୟଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସଂଘର ଭବିଷ୍ୟତ ବିକାଶ କାମନା କରିଥିଲେ ।