Home Judiciary ଓଡିଶାର ମାମଲା ବୋଝ ପ୍ରାୟ ୧୫ଲକ୍ଷ

ଓଡିଶାର ମାମଲା ବୋଝ ପ୍ରାୟ ୧୫ଲକ୍ଷ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ଏବେ ପ୍ରାୟ ୧୫ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସେଥିରୁ ପାଖାପାଖି ୧୨ଲକ୍ଷ ଫୌଜଦାରୀ ମାମଲା ହୋଇଥିବାବେଳେ ୩ଲକ୍ଷରୁ ଅଧିକ ହେଉଛି ଜମିଜମା ଓ ଅନ୍ୟାନ୍ୟ ଦେୱାନୀ ମାମଲା ।

ଅପରାଧିକ ମାମଲାଗୁଡିକ ମଧ୍ୟରୁ ପ୍ରାୟ ଏକ ଲକ୍ଷ ୯୦ହଜାର ମାମଲା ୧୦ବର୍ଷରୁ ଅଧିକ ସମୟ ଧରି ଆଇନ୍‍ ଅଦାଲତରେ ବିଚାର ପ୍ରତୀକ୍ଷାରେ ରହିଛି । ଏମିତିକି ୨୦ରୁ ୩୦ବର୍ଷ ପୁରୁଣା ୩୦ହଜାରରୁ ଉର୍ଦ୍ଧ୍ୱ ଫୌଜଦାରୀ ମାମଲା କୋର୍ଟ କଚେରୀରେ ଗଡୁଥିବାବେଳେ ୩୦ବର୍ଷରୁ ଅଧିକ ସମୟ ଧରି ପ୍ରାୟ ସାଢେ ୪ହଜାର ମାମଲା ଓଡିଶାର ଆଇନ୍‍ ଅଦାଲତମାନଙ୍କରେ ବିଚାରପାଇଁ ପଡିରହିଛି ଯେଉଁଥିରୁ ୩୨୦୦ରୁ ଅଧିକ ହେଉଛି ଫୌଜଦାରୀ ମାମଲା ।

ଓଡିଶାରେ ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଦଫାରେ ଥିବା ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ଫଳରେ ଫଏସଲା ହେଉଥିବା ମାମଲାଗୁଡିକ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକରେ ଅଭିଯୁକ୍ତମାନେ ଖସିଯାଉଛନ୍ତି । ବିଳମ୍ବିତ ବିଚାର ପ୍ରକ୍ରିୟା ସହ ସଂଖ୍ୟାଧିକ ଫୌଜଦାରୀ ମାମଲାରେ ସରକାର ହାରିବା ଓ ଅଭିଯୁକ୍ତମାନେ ଖସିଯିବା ରାଜ୍ୟର ଆଇନ୍‍ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଅଭିଜ୍ଞ ଆଇନ୍‍ ବିଶାରଦମାନେ ମତପ୍ରକାଶ କରୁଛନ୍ତି ।

ପୁରୁଣା ମାମଲା ସଫେଇ ପାଇଁ ୨୦୧୧ ମସିହାରେ ଓଡିଶା ସରକାର ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ । ଏହି ମାମଲା ନୀତିର ପ୍ରମୁଖ ଉଦ୍ଦେଶ୍ୟ ଥିଲା ୫ବର୍ଷର ପୁରୁଣା ମାମଲା ସବୁକୁ ସଫା କରିଦେବା । କିନ୍ତୁ ଏବେ ରାଜ୍ୟ ଆଇନ୍‍ ଅଦାଲତଗୁଡିକରେ ୫ବର୍ଷର ପୁରୁଣା ମାମଲାସଂଖ୍ୟା ୫ଲକ୍ଷରୁ ଅଧିକ ରହିଥିବା ଜାତୀୟ ଜୁଡିସିଆଲ ଗ୍ରିଡ୍‍ ତଥ୍ୟରୁ ଜଣାପଡିଛି । ମାମଲା ନୀତିର ସଫଳ ରୂପାୟନପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଥିବାବେଳେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟିମାନ ମଧ୍ୟ ରହିଛି । ଏହା ସତ୍ୱେ ବି ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।

ଏହି ତଥ୍ୟ ମୁତାବକ ଓଡିଶା ହାଇକୋର୍ଟରେ ଏବେ ଲକ୍ଷେ ୮୨ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥି ମଧ୍ୟରୁ ପାଖାପାଖି ୭୫ହଜାର ମାମଲା ହେଉଛି ୫ବର୍ଷର ପୁରୁଣା । ଏମିତିକି ଓଡିଶା ହାଇକୋର୍ଟରେ ୮ଶହରୁ ଅଧିକ ୩୦ବର୍ଷର ପୁରୁଣା ଓ ୪ହଜାରରୁ ଅଧିକ ୨୦ରୁ ୩୦ବର୍ଷର ପୁରୁଣା ମାମଲା ପଡିଥିବାବେଳେ ୧୦ରୁ ୨୦ବର୍ଷର ପୁରୁଣା ମାମଲା ସଂଖ୍ୟା ୨୬ହଜାରରୁ ଅଧିକ ରହିଛି ।

ସରକାର ସ୍ୟାଟ୍‍ ଉଚ୍ଛେଦ କରିଥିବାରୁ ସେଠାରେ ଥିବା ସମସ୍ତ ମାମଲାର ବୋଝ ହାଇକୋର୍ଟଙ୍କ ଉପରକୁ ଆସୁଥିବାରୁ ଏଠି ବିଚାର ପ୍ରତୀକ୍ଷାରେ ଥିବା ମାମଲା ସଂଖ୍ୟା ଅଢେଇ ଲକ୍ଷକୁ ବୃଦ୍ଧି ପାଇପାରେ ବୋଲି ପୁରୁଖା ଓକିଲମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ହାଇକୋର୍ଟ ଲାଗି ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ଏବେ ୧୪ଟି ଖାଲିପଡିଛି । ମାମଲା ସଂଖ୍ୟା ଦୃଷ୍ଟିରୁ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୪୨କୁ ବୃଦ୍ଧି କରାଯିବା ସହ ସ୍ୟାଟ୍‍ ମାମଲା ବୋଝ ଦୃଷ୍ଟିରୁ ଚାକିରି ପେନସନ ଆଦି ସଂକ୍ରାନ୍ତୀୟ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାବେ ୬ଟି ବେଞ୍ଚ୍‍ର ଆବଶ୍ୟକତା ଥିବା କଥା ମଧ୍ୟ କୁହାଯାଉଛି ।

ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ୍‍ ପ୍ରଶାସନ ଓ ମାମଲା ଫଏସଲା ଲାଗି ବିଚାର ବିଭାଗ ପାଇଁ ବିପୁଳ ଅର୍ଥ ବରାଦ କରାଯାଉଥିବାବେଳେ ବିଭିନ୍ନ କାରଣରୁ ମାମଲା ସଂଖ୍ୟା କିନ୍ତୁ କମିବା ପରିବର୍ତ୍ତେ ବଢି ଚାଲୁଛି ଏବଂ ପ୍ରଶାସନିକ ସ୍ତରରେ ଦୁର୍ବଳ ଅଭିଯୋଗ ଶୁଣାଣି ଓ ଫଏସଲା ବ୍ୟବସ୍ଥା ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି । (ତଥ୍ୟ)