Home Finance ଋଣ ଦେବାକୁ ବ୍ୟାଙ୍କ୍‍ ଅମଙ୍ଗ

ଋଣ ଦେବାକୁ ବ୍ୟାଙ୍କ୍‍ ଅମଙ୍ଗ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ ପାଇଁ ସୁଯୋଗ ଥିବାବେଳେ ଲୋକଙ୍କୁ ଋଣ ଦେବାକୁ କିନ୍ତୁ ବ୍ୟାଙ୍କ୍‍ମାନେ ମଙ୍ଗୁ ନାହାନ୍ତି । ରାଜ୍ୟର ୨୪ଟି ଜିଲ୍ଲାରେ ବ୍ୟାଙ୍କ୍‍ଗୁଡିକ ଯେତିକି ଜମା ସଂଗ୍ରହ କରୁଛନ୍ତି ତାହା ତୁଳନାରେ କମ୍‍ ଋଣ ପ୍ରଦାନ କରୁଥିବାବେଳେ ୬ଟି ଜିଲ୍ଲାରେ ଜମା ତୁଳନାରେ ଋଣ ପ୍ରଦାନର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ।

ନାବାର୍ଡ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶାରେ ଏକ ଲକ୍ଷ ୧୦ହଜାର କୋଟି ଟଙ୍କାର ଋଣ ଦିଆଯାଇ ପାରିବ । ଗତବର୍ଷ ତୁଳନାରେ ଏହା ୨୨.୫ ପ୍ରତିଶତ ଅଧିକ ରହିଛି । ସେହିଭଳି ୨୦୨୨-୨୩ ବର୍ଷରେ ରାଜ୍ୟରେ ୧.୩୪ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାର ଅବକାଶ ରହିଛି । ଜିଲ୍ଲା ଓ ରାଜ୍ୟର ବାର୍ଷିକ ଋଣ ଯୋଜନା (ଏସିପି) ନାବାର୍ଡ ଏହି ଆକଳନ କରୁଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇଥାଏ ।

ରାଜ୍ୟରେ ବ୍ୟାଙ୍କ୍‍ମାନେ ଜମା ତୁଳନାରେ କମ୍‍ ଋଣ ପ୍ରଦାନ କରୁଥିବାରୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେହିଭଳି ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ମଧ୍ୟ ବ୍ୟାଙ୍କ୍‍ମାନେ ଋଣ ପ୍ରଦାନରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ବ୍ୟାଙ୍କ ଋଣ ପ୍ରଦାନରେ ଏଭଳି ଅବସ୍ଥା ଯୋଗୁଁ ଗାଁ ଗହଳରେ ଘରୋଇ ପୁଞ୍ଜି ଖଟାଣ କମିଯାଉଛି । କେନ୍ଦ୍ର ସରକାର ଶତ ପ୍ରତିଶତ ଆର୍ଥିକ ଅର୍ନ୍ତଭୁକ୍ତକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ କିନ୍ତୁ ଏହା ସଫଳ ହୋଇପାରୁ ନାହିଁ ।

ରାଜ୍ୟରେ ଥିବା ୬୭୯୮ ଗ୍ରାମପଞ୍ଚାୟତ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ୍‍ ଶାଖା ରହିଛି । ଲୋକଙ୍କ ନିକଟରେ ବ୍ୟାଙ୍କ୍‍ ସେବା ପହଞ୍ଚାଇବାପାଇଁ ବ୍ୟାଙ୍କିଙ୍ଗ୍‍ କରେସପେଣ୍ଡେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ୍‍ ଗୁଡିକ ମାତ୍ର ୧୫୦୦ ସ୍ୱୟଂ ସହାୟିକା ଗୋଷ୍ଠିକୁ ଏଥିରେ ସାମିଲ କରିଛନ୍ତି । ତେବେ ବ୍ୟାଙ୍କ୍‍ ସେବା ଅପହଞ୍ଚ ଥିବା ୪୬୪୯ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ନିଯୁକ୍ତି ସହିତ ସେମାନଙ୍କ ତାଲିମ ଓ ଦକ୍ଷତା ବିକାଶ ପାଇଁ ଅର୍ଥର ଆବଶ୍ୟକତା ଥିବା ଅଧିକାରୀ ମାନେ ସ୍ୱୀକାର କରୁଛନ୍ତି । ସେଥିଲାଗି ଆର୍ଥିକ ଅର୍ନ୍ତଭୁକ୍ତିକରଣ ପାଣ୍ଠି (ଏଫ୍‍ଆଇଏଫ୍‍) ରୁ ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ସରକାର କହିଛନ୍ତି ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶତ ପ୍ରତିଶତ ଆର୍ଥିକ ଅର୍ନ୍ତଭୁକ୍ତିକରଣ କାର୍ଯ୍ୟକାରୀ ହୋଇପାରିବ ।

ସୂଚନା ଅନୁଯାୟୀ ଏଫ୍‍ଆଇଏଫ୍‍ ପାଣ୍ଠିର ପୂର୍ଣ୍ଣ ବିନିଯୋଗ ପାଇଁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାବାଦ୍‍ ବ୍ୟାଙ୍କ୍‍ସେବା ଅପହଞ୍ଚ ଥିବା ପଞ୍ଚାୟତଗୁଡିକାରେ ଶାଖା ଖୋଲିବା ସହିତ ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ନିଯୁକ୍ତି ପାଇଁ ବ୍ୟାଙ୍କ୍‍ ଗୁଡିକ ସହିତ ସମନ୍ୱୟ ରକ୍ଷା କରାଯାଉଛି ।

ରାଜ୍ୟ ସରକାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ବାରମ୍ବାର ବ୍ୟାଙ୍କ୍‍ ଶାଖା ବଢାଇବାପାଇଁ ଅନୁରୋଧ କରୁଛନ୍ତି । ଯଦିଓ ସହରାଞ୍ଚଳରେ ବ୍ୟାଙ୍କ୍‍ମାନେ ତାଙ୍କର ଶାଖା ଖୋଲୁଛନ୍ତି ଗ୍ରାମାଞ୍ଚଳରେ କିନ୍ତୁ ଶାଖା ଖୋଲିବାକୁ ଅମଙ୍ଗ ହେଉଛନ୍ତି । ଯାହା ଫଳରେ କି ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ରାଜ୍ୟର ୭୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ୍‍ ଶାଖାଟିଏ ନାହିଁ । ପ୍ରତିବର୍ଷ ବ୍ୟାଙ୍କ୍‍ ଶାଖା ସମ୍ପ୍ରସାରଣ ନୈରାଶ୍ୟକ ହେଉଥିବା ଯୋଗୁଁ ରାଜ୍ୟ ସ୍ତରୀୟ ବ୍ୟାଙ୍କ୍‍ ସମୂହ ବୈଠକରେ ସରକାରଙ୍କ ତାଗିଦ କରାଯାଉଛି । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । (ତଥ୍ୟ)