Home Culture ଓଡିଶାର ଗଣପର୍ବ ରଜ ଆରମ୍ଭ

ଓଡିଶାର ଗଣପର୍ବ ରଜ ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ତିନି ଦିନ ବ୍ୟାପି ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଛି । ଆଜି ପହିଲି ରଜରେ ଓଡିଶାର ଗାଁ ଠୁ ସହର ଯାଏ ପିଠା ପଣାର ମହକ ସହିତ ରଜ ପାନ ଓ ଦୋଳିଖେଳ ଜମିଛି । ଆଉ ଦୁଇ ଦିନ ଧରି ସାରା ଓଡିଶାରେ ଏହା ପାଳନ କରାଯିବ । ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କରୋନା ମହାମାରୀର ପ୍ରକୋପ ଯୋଗୁଁ ବିଗତ ଦୁଇ ବର୍ଷଧରି ରଜପର୍ବ ଏକ ପ୍ରକାର ଫିକା ପଡିଥିଲା । ହେଲେ ଚଳିତ ବର୍ଷ କରୋନା ପ୍ରକୋପ ଥମି ଥିବାରୁ ଲୋକେ ଧୂମଧାମରେ ରଜକୁ ପାଳନ କରୁଛନ୍ତି । ଏଥିପାଇଁ ବେଶ୍‍ କିଛି ଦିନ ଆଗରୁ ଲୋକେ ନୂତନ ପୋଷାକ ପତ୍ର କିଣିଥିବାବେଳେ ଏବେ ରଜର ମୁଖ୍ୟ ଆକର୍ଷଣ ପୋଡପଡା ସହିତ ଭଳିକି ଭଳି ସୁଆଦିଆ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି ।

ଗାଁ ଗହଳରେ ରଜପର୍ବ ଅତ୍ୟନ୍ତ ନିଆରା । ପ୍ରତ୍ୟେକ ଘରେ ପାଳନ ହେଉଥିବା ଏହି ପର୍ବରେ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବିଶେଷକରି ଯୁବତୀମାନେ ରଜ ପର୍ବକୁ ବେଶି ଉପଭୋଗ କରିଥାନ୍ତି । ନୂତନ ବସ୍ତ୍ର ପିନ୍ଧ ଦଳ ଦଳ ହୋଇ ଯୁବତୀମାନେ ବୁଲାବୁଲି କରିବା ସହିତ ବିଭିନ୍ନ ଦୋଳି, ବାଗୁଡି ଆଦି ଖେଳର ଆୟୋଜନ ହୋଇଥାଏ । ଏହି ତିନି ଦିନ ଯୁବତୀମାନଙ୍କୁ ଘରେ କୌଣସି କାମ କରିବାକୁ ଦିଆଯାଏ ନାହିଁ ।

ଉପକୂଳ ଓଡିଶାରେ ରଜ ପର୍ବର ପ୍ରଭାବ ଅଧିକ ରହିଥିବାରୁ ଏଥିରେ ସାମିଲ ହେବାପାଇଁ ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ନିଜ ନିଜ ପରିବାର ନିକଟକୁ ଫେରିଛନ୍ତି । ଫଳରେ ଗାଁ ଗହଳ ଉତ୍ସବମୁଖର ହୋଇ ଉଠିଛି ।

ସହରରେ ମଧ୍ୟ ରଜ ପର୍ବ ଧୂମ୍‍ଧାମ୍‍ରେ ପାଳନ କରାଯାଉଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲୋକେ ଯେଭଳି ରଜର ଆନନ୍ଦ ଉଠାଇ ପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରଜର ପ୍ରମୁଖ ଆକର୍ଷଣ ପୋଡପିଠା ସହିତ ଅନ୍ୟାନ୍ୟ ଭଳିକି ଭଳି ପିଠା ଓଟିଡିସି ପକ୍ଷରୁ ପ୍ରସ୍ତୁତ କରାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ସେହିଭଳି ସହରରେ ମଲ୍‍ ଠାରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ରଜଦୋଳି ଲାଗିଛି ।

ରଜ ପାନ ପାଇଁ ସହରରେ ଏବେ ବହୁ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଖୋଲିଛି । ପାନ ଗୋଟିକର ଦର ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ପାନ କିଣିବାକୁ ଲୋକଙ୍କର ବେଶ୍‍ ଭିଡ ଜମୁଛି । ରାଜ୍ୟ ସରକାର ରଜ ପାଇଁ ଦୁଇଦିନ ଛୁଟି ଘୋଷଣା କରିଥିବାବେଳେ ଖୋରଧା ଜିଲ୍ଲାରେ ଏହି ସରକାରୀ ଛୁଟି ତିନି ଦିନ ରହିଛି । ଫଳରେ ଲୋକେ ରଜର ମଜା ଉଠାଇବାର ଅଧିକ ସୁଯୋଗ ପାଇଛନ୍ତି ।