ଭୁବନେଶ୍ୱର : ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ତିନିଜଣିଆ ପ୍ରତିନିଧିମଣ୍ଡଳୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ସାକ୍ଷାତ କରିଥିଲେ । ପ୍ରତିନିଧିମଣ୍ଡଳୀରେ ଏସ୍ଓ ଶ୍ରୀ ସୁଧୀର ସିଂହ, ଗାଇଡେଡ୍ ଟ୍ରାନ୍ସପୋର୍ଟ ସ୍ପେସିଆଲିଷ୍ଟ ଶ୍ରୀ ରଞ୍ଜିଶ କୁମାର ଏବଂ ମ୍ୟାନେଜର୍, ୟୁଏମ୍ଆଇ ଶ୍ରୀମତୀ ରୀନା ଆରୋରା ଶ୍ରୀବାସ୍ତବ ରହିଥିଲେ। ଏହି ଅବସରରେ ଆସନ୍ତା ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ର ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠିତ ଜାତୀୟ ସ୍ତରର ପ୍ରମୁଖ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଶାସକ, ଶିଳ୍ପ ନେତୃତ୍ୱ, ଶିକ୍ଷାବିତ୍ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେଇ ସହରୀ ଗମନାଗମନ କ୍ଷେତ୍ରରେ ଉଦୀୟମାନ ପ୍ରବଣତା, ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । “ଡିଜିଟାଲ ଯୁଗରେ ସହରୀ ପରିବହନର ସୁଗମତା ଓ ଜୀବନଯାପନର ମାନ” ବିଷୟବସ୍ତୁକୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ସୁଗମ, ସ୍ଥାୟୀ, ସମାବେଶୀ, ପ୍ରଯୁକ୍ତି ଭିତ୍ତିକ ଏବଂ ଜଳବାୟୁ-ସହନଶୀଳ ସହରୀ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।
ଆଲୋଚନା ସମୟରେ ଶ୍ରୀମତୀ ପାଢ଼ୀ ଏକ ସୁସମନ୍ୱିତ ଓ ପ୍ରଭାବଶାଳୀ ୟୁଏମ୍ଆଇ ସମ୍ମିଳନୀ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ ରାଜ୍ୟର ସହରୀ ଗମନାଗମନ କ୍ଷେତ୍ରରେ ରୂପାନ୍ତରଣମୂଳକ ଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ ।
ବୈଠକରେ କାର୍ଯ୍ୟକ୍ରମ ପ୍ରସ୍ତୁତିର ବିଭିନ୍ନ ଦିଗ ଯଥା ସମ୍ମିଳନୀ ସ୍ଥଳର ବ୍ୟବସ୍ଥା, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ପାଭିଲିୟନ୍, ପ୍ରତିନିଧିମାନଙ୍କ ରହଣି ଓ ଯାତାୟାତ, ସ୍ଥାନୀୟ ପରିବହନ ବ୍ୟବସ୍ଥା, ପ୍ରୋଟୋକଲ, ସୁରକ୍ଷା ଓ ନିରାପତ୍ତା ଏବଂ ବୈଷୟିକ ସ୍ଥଳ ପରିଦର୍ଶନ ଆଦି ନେଇ ଆଲୋଚନା ହୋଇଥିଲା ।
ଆଗାମୀ ସପ୍ତାହଗୁଡ଼ିକ ପାଇଁ ପ୍ରସ୍ତୁତିର ରୋଡମ୍ୟାପ୍ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ । ବିଶେଷକରି ପ୍ରମୁଖ ଲଜିଷ୍ଟିକ୍, ବୈଷୟିକ ଓ ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଅତିରିକ୍ତ ସଚିବ-ତଥା-ଜିଏମ୍, କ୍ରୁଟ୍ ଶ୍ରୀ ସାହେଦେବ ସମାଧିଆ, ଯୁଗ୍ମ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶ୍ରୀମତୀ ମମତାରାଣୀ ନାଏକଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ ।

