Home Finance ଏସଏଚ୍‍ଜିଙ୍କୁ ଋଣ ଦେବାକୁ କୁନ୍ଥୁ କୁନ୍ଥୁ

ଏସଏଚ୍‍ଜିଙ୍କୁ ଋଣ ଦେବାକୁ କୁନ୍ଥୁ କୁନ୍ଥୁ

ଭୁବନେଶ୍ୱର : ସ୍ୱୟଂ ସହାୟକ ଗୋଷ୍ଠି (ଏସ୍‍ଏଚ୍‍ଜି) ଗୁଡିକୁ ୬୦୦୦ କୋଟି ଟଙ୍କାର ଋଣ ଯୋଗାଣପାଇଁ ରାଜ୍ୟ ସରକାର ବ୍ୟାଙ୍କ୍‍ମାନଙ୍କୁ କହୁଥିବାବେଳେ ବ୍ୟାଙ୍କ୍‍ଗୁଡିକ କିନ୍ତୁ ଏ କ୍ଷେତ୍ରରେ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ଏ ନେଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଅଧିକାରୀମାନେ ଆଶଙ୍କାରେ ରହିଛନ୍ତି ।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଏସ୍‍ଏଚ୍‍ଜି ଗୁଡିକ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଆଧାରରେ ମିଶନ ଶକ୍ତି ବିଭାଗ ମଧ୍ୟ ୨୦୨୨-୨୩ ବର୍ଷରେ ପ୍ରତ୍ୟେକ ଏସଏଚ୍‍ଜିକୁ ହାରାହାରି ୪ଲକ୍ଷ ଟଙ୍କାର ଋଣ ଏବଂ ୨୦୨୧-୨୨ ବର୍ଷରେ ୬୦୦୦ କୋଟିରୁ ଅଧିକ ଋଣ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅନୁରୂପ ଭାବେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତ୍ୟେକ ଏସଏଚଜିକୁ ହାରାହାରି ଭାବେ ୨.୦୫ ଲକ୍ଷ ଟଙ୍କାର ଋଣ ମିଳିପାରିବ ।

ଏହି ଆଧାରରେ ୨୦୨୧-୨୨ ବର୍ଷରେ ଏସ୍‍ଏଚ୍‍ଜିଗୁଡିକୁ ୬୦୦୨ କୋଟି ୫୨ଲକ୍ଷ ଟଙ୍କାର ଋଣ ଦେବାର ଲକ୍ଷ୍ୟ ରହିଛି । ତେବେ ଅଗଷ୍ଟ ଶେଷ ସୁଦ୍ଧା ମାତ୍ର ୬୪,୫୪୮ ଏସଏଚ୍‍ଜିକୁ ୧୩୨୧.୦୯ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ଏସଏଚ୍‍ଜି କ୍ଷେତ୍ରରେ ଏହାର ୨୩ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବାବେଳେ ଋଣ ପ୍ରଦାନରେ ୨୨ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି । ଏଭଳି ହାରରେ ଗତିରେ ଆଗେଇଲେ ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟ ପୂରଣ ସମ୍ଭବ ନୁହେଁ ବୋଲି ବରିଷ୍ଠ ଅଧିକାରୀମାନେ ବିଚାରୁଛନ୍ତି । ସେମାନଙ୍କ ମତରେ ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ଅତି କମ୍‍ରେ ୪୦ ପ୍ରତିଶତ ଲକ୍ଷ୍ୟ ପୂରଣ ହେବାକଥା ।

ଏସଏଚଜିଙ୍କ ଲାଗି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ଲାଗି ରାଜ୍ୟ ସରକାର ଉଭୟ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଲକ୍ଷ୍ୟ ପୂରଣ ପାଇଁ ପ୍ରମୁଖ ସଚିବ ଶ୍ରୀ ଦେବ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଋଣ ପାଇଁ ଏସ୍‍ଏଚ୍‍ଜିମାନେ କରିଥିବା ୪୫,୬୫୦ ଆବେଦନ ଏବେ ବିଭିନ୍ନ ବ୍ୟାଙ୍କ୍‍ ଶାଖାରେ ପଡି ରହିଛି ।

ପଡି ରହିଥିବା ଆବେଦନର ତୁରନ୍ତ ଫଏସଲା କରି ଋଣ ଦେବା ସହିତ ୧୫ଦିନରୁ ଅଧିକ ସମୟ ଆବେଦନ ପଡିରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ୟାଙ୍କ୍‍ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନ ଗୁଡିକ ମାସାଧିକକାଳ ପଡି ରହୁଥିବାରୁ ଲକ୍ଷ୍ୟ ପୂରଣରେ ସମସ୍ୟା ଉପୁଜୁଛି । ଏସ୍‍ଏଚଜିଗୁଡିକୁ ଋଣ ପ୍ରଦାନରେ ଅଗ୍ରାଧିକାର ପାଇଁ ରାଜ୍ୟ ସରକାର ବ୍ୟାଙ୍କଗୁଡିକ ଲାଗି ୨୦୦ କୋଟି ଟଙ୍କାର ସୁଧ ରିହାତି ଘୋଷଣା କରିଛନ୍ତି ।

ମିଶନ ଶକ୍ତି ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୪.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନେକ ବ୍ୟାଙ୍କ୍‍ ସେମାନଙ୍କର ସୁଧ ରିହାତି ବାବଦରେ ପାଇବାକୁ ଥିବା ଅର୍ଥ ସଂକ୍ରାନ୍ତରେ ଅବଗତ କରିନାହାନ୍ତି । ତେଣୁ ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କର ବକେୟା ଦାଖଲ ପାଇଁ କୁହାଯାଇଛି । ବ୍ୟାଙ୍କ୍‍ଗୁଡିକ ଋଣ ବାବଦରେ ରିହାତି ଅର୍ଥ ପାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଏହା ଯେଭଳି ତୁରନ୍ତ ଏସଏଚଜିଗୁଡିକର ସଞ୍ଚୟଖାତାରେ ଜମା ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି । (ତଥ୍ୟ)