Home News in Odia ଏମଏମଡିଆର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ

ଏମଏମଡିଆର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର : କଂଗ୍ରେସ ଭବନଠାରେ ଏମଏମଡିଆର ବିଲକୁ ନେଇ ଆଗାମୀ ପ୍ରତିବାଦ କାର୍ଯ୍ୟକ୍ରମ ବିଷୟରେ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମେଣ୍ଟର ସହଯୋଗୀ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଆଲୋଚନା ପରେ ଗଣମାଧ୍ୟମକୁ ମେଣ୍ଟର ସହଯୋଗୀଙ୍କ ସହ ଓପିସିସି ସଭାପତି ଶ୍ରୀ ଦାସ ବିବୃତି ଦେଇଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୮ ତାରିଖ ଲୋୟର ପିଏମଜି ଛକରେ ଇଣ୍ଡିଆ ମେଣ୍ଟର ଏକ ବିଶାଳ କାନଭେନ୍ସନ ଅନୁଷ୍ଠିତ ହେବ ଏବଂ ଏହି ସମାବେଶରେ ଏମଏମଡିଆର ବିଲ ଉପରେ ଆଲୋଚନା ଏବଂ ଅଭିଭାଷଣ ସହ ସରକାରଙ୍କଠାରେ ଏହି କଳା ବିଲ ପ୍ରତ୍ୟାହାର ପାଇଁ ଦାବୀ ଉପସ୍ଥାପନ କରାଯିବ l

ଏହି କ୍ରମରେ ସେପ୍ଟେମ୍ବର ୧୮ରେ ସୁନ୍ଦରଗଡ଼, ରାୟଗଡାରେ ୨୧ ତାରିଖରେ, କେନ୍ଦୁଝରରେ ୨୪ ତାରିଖରେ, ଅନୁଗୁଳରେ ୨୬ ତାରିଖରେ ଇଣ୍ଡିଆ ମେଣ୍ଟ ତରଫରୁ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ସୂଚନା ଦେବା ସହ କହିଛନ୍ତି ଯେ, ଯଦି ସରକାର କିଛି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ, ସେପ୍ଟେମ୍ବର ୨୯ ତାରିଖ ବିଧାନସଭା ଆଗରେ ବିରାଟ ପ୍ରତିବାଦ ସଭା ଇଣ୍ଡିଆ ମେଣ୍ଟ ତରଫରୁ ଆୟୋଜନ କରାଯିବ l

ସେ କହିଛନ୍ତି ଯେ, ଏମଏମଡିଆର କଳା ବିଲ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରୀ ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି l ରାଜ୍ୟବାସୀଙ୍କ ସ୍ୱାର୍ଥରେ ଇଣ୍ଡିଆ ମେଣ୍ଟ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିବା ସହ ରାଜ୍ୟସ୍ୱାର୍ଥ ପାଇଁ ରାଜ୍ୟର ସମସ୍ତ ଯୁବ, ମହିଳା, ବୁଦ୍ଧିଜୀବୀ, ସାମାଜିକ ଆଦି ସଂଗଠନ ସ୍ବେଛାରେ ପ୍ରତିବାଦ ସଭାରେ ଯୋଗଦାନ କରିବାକୁ ଆହ୍ୱାନ ଜଣାଇଛନ୍ତି l