Home Health ଓଡିଶାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ

ଓଡିଶାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ

ଭୁବନେଶ୍ୱର : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟକୁ ଘାରିଲାଣି ମ୍ୟାଲେରିଆ ଚିନ୍ତା। ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଓଡ଼ିଶା ଏବେ ବି ଆଗରେ । ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଦେଶରେ ଚିହ୍ନଟ ହୋଇଥିବା ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଓଡ଼ିଶାରୁ ରହିଛନ୍ତି ।

ବର୍ଷ ବର୍ଷ ଧରି ଓଡ଼ିଶାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା ଚାଲିଛି । ହେଲେ ଏବେ ବି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ ଅଧିକ ରହୁଛି ।

ଜଙ୍ଗଲ ଅଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ସଚେତନତାର ଅଭାବ ମଧ୍ୟ ସଂକ୍ରମଣ ବଢିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଜୁଲାଇ ଶେଷ ସୁଦ୍ଧା ଦେଶରେ ପ୍ରାୟ ୧ ଲକ୍ଷ ୯ ହଜାର ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ୩୦ ହଜାର ୨୬୮ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ଜୀବନ ଯାଇଛି ।

ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ରିପୋର୍ଟ ଅନୁସାରେ, ୨୦୨୫ରେ ୬୨ ହଜାର ୧୩୭ ମ୍ୟାଲେରିଆ ମାମଲା ସହ ଓଡ଼ିଶା ଦେଶରେ ଶୀର୍ଷରେ ଥିଲା । ଚଳିତ ବର୍ଷ ମଧ୍ୟ ଏହି ଧାରା ଜାରି ରହିଛି । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କେବଳ ସରକାରୀ ପଦକ୍ଷେପ ନୁହେଁ, ଲୋକଙ୍କ ସଚେତନତା ମଧ୍ୟ ଜରୁରୀ । ମଶାରୀ ବ୍ୟବହାର ନକରିବା, ଘର ଆଖପାଖରେ ପାଣି ଜମିବାକୁ ଦେବା ଏବଂ ପରିବେଶକୁ ସନ୍ତସନ୍ତିଆ ରଖିବା ଭଳି କାରଣରୁ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ରହୁଛି । ପୂର୍ବରୁ ମ୍ୟାଲେରିଆ ଦମନ ପାଇଁ ଯେଭଳି ସଚେତନତା ଓ ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଉଥିଲା, ତାହାରେ ଗତ କିଛି ବର୍ଷ ହେଲା ଢିଲା ପଡ଼ିଥିବା ଅଭିଯୋଗ ହେଉଛି ।