ଭୁବନେଶ୍ୱର : ଆଡଭୋକେଟ ଜେନେରାଲ (ଏଜି)ଙ୍କ ଦପ୍ତରର ବାରମ୍ବାର ତାଗିଦା ସତ୍ୱେ ବହୁ ମାମଲାରେ ବର୍ଷ ବର୍ଷ ଧରି ସରକାର ଉତ୍ତର ଦାଖଲ କରୁନାହାନ୍ତି । ଏହାଛଡା ଅନେକ କ୍ଷେତ୍ରରେ ମାମଲାର ବିଚାର ପାଇଁ ଅଦାଲତ ଯେତେସବୁ ତଥ୍ୟ ଚାହୁଁଛନ୍ତି ସେଥିରୁ ଅଧିକାଂଶ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗାଯାଉ ନାହିଁ ।
ଏହାଛଡା ମାମଲା ଫଏସଲା ହେବାର ବର୍ଷ ବର୍ଷ ପରେ ବି ଅନେକ କ୍ଷେତ୍ରରେ ଆଦେଶର ଅନୁପାଳନ ହୋଇପାରୁ ନାହିଁ । ଏଥିଯୋଗୁଁ ନ୍ୟାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବା ବ୍ୟକ୍ତିମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ବର୍ଷ ବର୍ଷ ଧରିକେବଳ ବେଡି ଉପରେ କୋରଡା ମାଡ ଭଳି ମାମଲା ପରିଚାଳନା ବାବଦରେ ଅର୍ଥ ଖର୍ଚ୍ଚକରି ଚାଲୁଛନ୍ତି ।
ସ୍ୟାଟ୍ରେ ୨୦୧୪ ମସିହାରେ ରିଭ୍ୟୁ ହୋଇଥିବା ଅନେକ ମାମଲାର ଉତ୍ତର ଏଯାବତ୍ ସରକାର ଦେଉ ନାହାନ୍ତି । ସ୍ୟାଟ୍ ଉଚ୍ଛେଦ ପରେ ଏସବୁ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିବାବେଳେ ତାରିଖ ପରେ ତାରିଖ ଗଡି ଚାଲିବା ସତ୍ୱେ ଉତ୍ତର ନଥିବାରୁ ମାମଲା ଗଡୁଛି । ଏମିତି ଗୁରୁତର ଅଭିଯୋଗ ଆସିଛି ପଞ୍ଚାୟତିରାଜ ବିଭାଗ ସମ୍ପର୍କରେ ।
୨୦୧୪ ମସିହାରେ ରାଜ୍ୟ ସରକାର ନିଷ୍ପତ୍ତି କ୍ରମେ ପ୍ୟାନେଲରୁ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଲାଗି ବ୍ୟବସ୍ଥା ହୋଇଥିବାବେଳେ ଏଥିରେ ପ୍ୟାନେଲ ପଞ୍ଚାୟତିରାଜ ବିଭାଗକୁ ଚାହିଦା ମୁତାବକ ଯେତେ ପ୍ରାର୍ଥୀଙ୍କ ନାମ ପଠାଇଥିଲେ ସେଥିରୁ ପଛୁଆବର୍ଗର ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଗଲା ନାହିଁ । ଏ ସଂକ୍ରାନ୍ତରେ ସେମାନେ ସ୍ୟାଟ୍ରେ ରୁଜୁ କରିଥିବା ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ଥିବାବେଳେ ୮ବର୍ଷ ଭିତରେ ବି ସରକାର ଉତ୍ତର ଦାଖଲ କରିପାରି ନାହାନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସ୍ୟାଟ୍ର ନିୟମାବଳୀ ଅନୁଯାୟୀ ନୋଟିସ୍ ପାଇବାର ୪ସପ୍ତାହ ମଧ୍ୟରେ ସରକାରୀ କର୍ତ୍ତୃପକ୍ଷ ଉତ୍ତର ଦାଖଲ କରିବାକଥା ।
ସେହିଭଳି ନଗର ଉନ୍ନୟନ ବିଭାଗ ଅଧିନରେ କାମ କରୁଥିବା ଜଣେ ତଳିଆ କର୍ମଚାରୀ ଅବସର ଗ୍ରହଣ ପରେ ପେନସନ ନପାଇ ମୃତ୍ୟୁବରଣ କଲେ ଓ ତାଙ୍କ ବିଧବା ପତ୍ନୀ ପେନସନ ପାଇଁ ଶେଷରେ ବାଧ୍ୟହୋଇ ଆଇନ୍ ଅଦାଲତର ଦ୍ୱାରସ୍ଥ ହେଲେ । ୨୦୧୩ ମସିହାରୁ ଓଡିଶା ହାଇକୋର୍ଟ ଏହି ମାମଲାର ବିଚାର କରି ଆବେଦନକାରୀଙ୍କୁ ପରିବାର ପେନସନ ଦେବାପାଇଁ ଆଦେଶ ଦେଇଥିଲେ । ଏହା ବିରୁଦ୍ଧରେ ନଗର ଉନ୍ନୟନ ସୁପ୍ରିମ୍କୋର୍ଟକୁ ଯାଇ ହାରିଥିଲେ ମଧ୍ୟ ପେନସନ ଦେଉନାହାନ୍ତି । ଏବେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ପ୍ରାୟ ୭୫ବର୍ଷ ବୟସରେ ନ୍ୟାୟ ପାଇଁ ବିକଳ ହେଉଥିବାବେଳେ ତୁରନ୍ତ ପେନସନ ପ୍ରଦାନ ନକଲେ ବିଭାଗୀୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଓଡିଶା ଲୋକସେବା ଆୟୋଗଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ କେନ୍ଦ୍ରୀୟ ଆଇନ୍କୁ ଅଣଦେଖା କରି ଜଣେ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଓଏଏସ୍ ଚାକିରିରୁ ବଞ୍ଚିତ କରାଯାଇଛି । ସେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ନଦେଇ ୧୩୦୨ ଓ ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୯ରୁ ଏଯାବତ୍ ବଞ୍ଚିତ ଭିନ୍ନକ୍ଷମ ଜଣଙ୍କ ଅନ୍ୟୁନ ୪ଟି ମାମଲା କରିସାରିଲେଣି ।
ସମ୍ପୃକ୍ତ ବ୍ୟାଚର ଯେତେ ପ୍ରାର୍ଥୀ ଓଏଏସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ଚାକିରିରେ ଅଛନ୍ତି ଓ ଆଉ କେତେଜଣ ଚାକିରି ଛାଡିଛନ୍ତି ସେ ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲେ ମଧ୍ୟ ଏଯାବତ୍ ବିଭାଗୀୟ କର୍ତ୍ତୃପକ୍ଷ ସତ୍ୟପାଠ ଦାଖଲ କରୁନାହାନ୍ତି । ଅନ୍ୟ ପକ୍ଷରେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକର ବିଭାଗ ଏହି ବଞ୍ଚିତ ପ୍ରାର୍ଥୀ ଅଧିକ ନମ୍ବର ରଖିଥିବାରୁ ତାଙ୍କ ନାମକୁ ଯୋଗ୍ୟତା ତାଲିକାରେ ଅଣସଂରକ୍ଷିତ ପ୍ରାର୍ଥୀଭାବେ ପଠାଇବାପାଇଁ ଆୟୋଗଙ୍କୁ ବାରମ୍ବାର କୁହାଯାଉଥିଲେ ବି କିଛି ଫଳ ଫଳୁନାହିଁ । (ତଥ୍ୟ)