ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥି ମଧ୍ୟରେ ଓଡିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ ୧୯୮୨କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଅଧିକ କଠୋର ଆଇନ ବ୍ୟବସ୍ଥା ଥିବା ଓଡିଶା ସାମୁଦ୍ରିକ ମତ୍ସ୍ୟଚାଷ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୨୦୨୬ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ଦୃଢ, ଆଧୁନିକ ଏବଂ ସମାବେଶୀ ଆଇନଗତ ରୂପରେଖ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ଓଡିଶା ସାମୁଦ୍ରିକ ମତ୍ସ୍ୟଚାଷ ନିୟନ୍ତ୍ରଣ ବିଧେଶକର ସ୍ମାରକପତ୍ରକୁ ଅନୁମୋଦନ କରିଛି। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ପୂର୍ବ ଆଇନର ପରିସର ସୀମିତ ଥିଲା। ସାମୁଦ୍ରିକ ସମ୍ପଦ ସଂରକ୍ଷଣ, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଉପକୂଳ ନିରାପତ୍ତା ଓ ବିଦେଶୀ ମାଛଧରା ଡଙ୍କାର ଅନଧିକୃତ ପ୍ରବେଶ ରୋକିବା ଭଳି ନୂଆ ଆହ୍ବାନଗୁଡିକର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନିଥିଲା। ତେବେ ଅନୁମୋଦିତ ନୂଆ ଅଧିନିୟମରେ ଗଭୀର ସମୁଦ୍ରରେ ମାଛ ଧରିବାର ନିୟନ୍ତ୍ରଣ ଏବଂ ମେରିକଲଚର କାର୍ଯ୍ୟକଳାପ, ଏବଂ ଅନ୍ୟାୟ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ଉଦ୍ୟମକୁ ପ୍ରୋତ୍ସାହିତ କରିବାକୁ ଏହାର ପରିସରକୁ ବ୍ୟାପକ କରିଛି।
ଏହା ସହିତ ଓଡିଶା ଉପକୂଳରେ ଥିବା ମାଛଧରା ବନ୍ଦର ଏବଂ ଫିସ ଲ୍ୟାଣ୍ଡିଂ ସେଣ୍ଟରଗୁଡିକର ଆଧୁନିକୀକରଣ ତଥା ପରିଚାଳନା ପାଇଁ ବ୍ୟାପକ ସ୍ମାର୍ଟ-ଗ୍ରୀନ ସମନ୍ବିତ ଭିତ୍ତିଭୂମି ବିକାଶର ବାଟ ଫିଟାଇବ। ଏଥିସହିତ ନୂଆ ଆଇନରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା ଏବଂ ତଟିୟ ଓ ଜାତୀୟ ନିରାପତ୍ତାକୁ ପ୍ରାଥମିକତା ଦିଆଯାଇଛି। ଏଥିରେ ଟ୍ରାନ୍ସପଣ୍ଡର, ଭିଏଚଏଫ ରେଡିଓ ଓ ଭେସେଲ ଟ୍ରାକିଂ ସିଷ୍ଟମ ଭଳି ନିରାପତ୍ତା ଉପକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ବିକଶିତ ଓଡିଶା ଭିଜନ-୨୦୩୬ ଏବଂ ରାଜ୍ୟର ବ୍ଲୁ-ଅର୍ଥନୀତି ବିକାଶ ସହଜ ହୋଇପାରିବ। ୨୦୩୬ ସୁଦ୍ଧା ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରି ୨୫ ହଜାର କୋଟିର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ଦିଗରେ ନୂଆ ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେହିଭଳି ୧୯୭୪ରୁ ୨୦୨୫ ମଧ୍ୟରେ ରାଜ୍ୟ ବିଧାନସଭାର ଦ୍ବାରା ପ୍ରଣୀତ ୩୫୮ଟି ଅଧିନିୟମର ବିଲୋପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି। ଏହିସବୁ ଆଇନ ଅପ୍ରଚଳିତ ଓ ପ୍ରୟୋଜନହୀନ ହୋଇପଡିଥିଲା। ବିଲୋପ ପାଇଁ ଚିହ୍ନଟ ହୋଇଥିବା ଏହିସବୁ ଅଧିନିୟମ ମଧ୍ୟରୁ ଅଧିକାଂଶ ସଂଶୋଧନ ଅଧିନିୟମ ହୋଇଥିବା ବେଳେ କାର୍ଯ୍ୟକାରୀ ହେବା ପରେ ତାହା ମୂଳ ଅଧିନିୟମରେ ସମାବେଶିତ ହୋଇଛି। ଏହି ଅଧିନିୟମଗୁଡିକର ବିଲୋପ ପାଇଁ ରାଜ୍ୟ ଆଇନ ଆୟୋଗ ତାଙ୍କ ରିପୋର୍ଟରେ ସୁପାରିଶ କରିଥିଲେ।
ପାରାଦୀପ ଏବଂ କେନ୍ଦ୍ରାପଡାରେ ପେଟ୍ରୋଲିୟମ, ରସାୟନିକ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ର (ପିସିପିଆଇଆର)ରେ ଆଗାମୀ ଶିଳ୍ପ ସଂସ୍ଥା ପାଇଁ ଏରସମା ଠାରେ ଗ୍ରୀଡ ସବଷ୍ଟେସନ ଓ ପରିବହନ ଲାଇନର ସଂଶୋଧିତ ବ୍ୟୟ ଅଟକଳକୁ ଆଜି କ୍ୟାବିନେଟ ମଞ୍ଜୁରି ଦେଇଛି। ୨୦୨୦-୨୧ରେ ଏହି ପ୍ରକଳ୍ପ ପାଇଁ ୬୩୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସେ ମଧ୍ୟରୁ ରାଜ୍ୟ ସରକାର ୧୯୧ କୋଟି ୨୩ କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ ବଳକା ରାଶି ଓପିଟିସିଏଲ ଋଣ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ସଂଶୋଧିତ ବ୍ୟୟ ଅଟକଳ ୮୫୪ କୋଟି ୨୪ ଲକ୍ଷକୁ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କ ଭାଗ ୨୫୬ କୋଟି ୨୭ ଲକ୍ଷକୁ ବୃଦ୍ଧି କରିବାକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟର ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଲୋକଙ୍କ ପାଇଁ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଏହିସବୁ ବର୍ଗ ପାଇଁ ଓଡିଶା ଅମଲା ସଂଘ ନିୟମାବଳୀକୁ ଆଜି ମଞ୍ଜୁରି ମିଳିଛି। ପୂର୍ବରୁ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନିୟନ୍ତ୍ରଣାଧିନ ଜିଲ୍ଲା କାର୍ଯ୍ୟାଳୟ ଓ ଏହାର ଅଧସ୍ତନ କାର୍ଯ୍ୟାଳୟରେ ଅମଲା ପଦବୀଗୁଡିକ ଜିଲ୍ଲା ରାଜସ୍ବ ଅମଲା କ୍ୟାଡର କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଥିଲା। ନୂଆ ନିୟମରେ ଏହିସବୁ ମୂଳ ପଦବୀ ଏବଂ ପରବର୍ତ୍ତୀ ପଦୋନ୍ନତି ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ନିୟନ୍ତ୍ରଣରେ ରହିବ। ନୂଆ ନିୟମରେ ଚାରୋଟି ସ୍ତରରେ ୧୦୩୨ଟି ନିଯୁକ୍ତି କରାଯିବ। ସେ ମଧ୍ୟରେ ୬୩୦ କନିଷ୍ଠ ସହାୟକ, ୨୪୯ ବରିଷ୍ଠ ସହାୟକ, ୧୦୦ଟି ସହକାରୀ ଉପବିଭାଗ ଅଧିକାରୀ ଏବଂ ୫୩ଟି ଉପବିଭାଗ ଅଧିକାରୀ ନିଯୁକ୍ତ ହେବେ।
ଏଥିସହିତ ତାପଜ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ନିବେଶ ଆକର୍ଷଣ ପାଇଁ ଓଡିଶା ତାପଜ ବିଦ୍ୟୁତ ନୀତି ୨୦୦୮ରେ ସଂଶୋଧନ କରାଯାଇଛି। ତଦନୁଯାୟୀ ଏଣିକି ଭବିଷ୍ୟତ ଆଇପିପି ସହ ପ୍ରସ୍ତାବିତ ଏମଓୟୁ ବଦଳରେ ଭବିଷ୍ୟତ ଆଇପିପି ସହ ଏମଓୟୁ ବୋଲି କୁହାଯିବ। ଏହାସ ସହ ବର୍ତ୍ତମାନ ଆଇପିପି ଠାରୁ ପରିବର୍ତ୍ତନଶୀଳ ମୂଲ୍ୟରେ ଅର୍ଥାତ ଅଧା ଦରରେ କିଣାଯାଉଥିବା ୧୨ରୁ ୧୪ ପ୍ରତିଶତ ବଦଳରେ ସରକାର ୫ ପ୍ରତିଶତ ଶକ୍ତି କ୍ରୟ କରିବେ।

