Home Finance ଆସନ୍ତା ଆର୍ଥିକ ବର୍ଷରେ ଟିକସ ଆଦାୟ ବଢିବ

ଆସନ୍ତା ଆର୍ଥିକ ବର୍ଷରେ ଟିକସ ଆଦାୟ ବଢିବ

ଭୁବନେଶ୍ୱର : ରାଜ୍ୟରେ ନିଜସ୍ୱ ଟିକସ ଓ ନିଜସ୍ୱ ଅଣଟିକସ ଆଦାୟ ବଢୁଥିବାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ୱ ଟିକସ ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅର୍ଥ ବିଭାଗ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋଭିଡ ପରବର୍ତ୍ତୀ ସମୟରେ ଜାତୀୟ ଓ ରାଜ୍ୟ ସ୍ତରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ହାର ବୃଦ୍ଧି ପାଇଛି ।

୨୦୨୨-୨୩ ବର୍ଷରେ ଲୁହାପଥର ଦର ହ୍ରାସ ପାଇବାରୁ ଏହା ଖଣିଜ କ୍ଷେତ୍ରରୁ ମିଳୁଥିବା ଟିକସକୁ ପ୍ରଭାବିତ କରିବ । ତେବେ ଅଧିକ ଟିକସ ଆଦାୟ ଜରିଆରେ ଏହି ଅଭାବ ଭରଣା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତିା ରାଜ୍ୟର ନିଜସ୍ୱ ଟିକସ ଆଦାୟରେ ୨୦୨୩-୨୪ ରେ ସାମାନ୍ୟ ଅଭିବୃଦ୍ଧି ଆକଳନ ହୋଇଛି । ତେବେ ରାଜ୍ୟଗୁଡିକର ଜିଏସ୍‍ଟି କ୍ଷତିପୂରଣ ବନ୍ଦ ହୋଇଥିବାରୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ ୨୦୨୨-୨୩ ଏବଂ ୨୦୨୩-୨୪ରେ ହ୍ରାସପାଇବ ବୋଲି ଆକଳନ କରାଯାଇଛି ।

ଏହି ସମସ୍ତ କ୍ଷେତ୍ରକୁ ବିଚାରକୁ ନେଇ ଅଧିକ ପୁଞ୍ଜି ବ୍ୟୟର ଆବଶ୍ୟକତା ରହିଛି । ତେଣୁ ଚଳିତ ବର୍ଷର ସଂଶୋଧିତ ଆକଳନ ତୁଳନାରେ ୨୦୨୩-୨୪ ବର୍ଷରେ ସରକାରୀ ବ୍ୟୟଭାର ପ୍ରାୟ ୧୨ ପ୍ରତିଶତ ଅଧିକ ରହିବ । ୨୦୨୨-୨୩ରେ ବଜେଟ୍‍ରେ ପୁଞ୍ଜି ବ୍ୟୟ ପରିମାଣ ୩୮,୭୩୨ କୋଟି ଟଙ୍କା ରହିଛି ଯାହାକି ଜିଏସ୍‍ଡିପିର ୫.୪ ପ୍ରତିଶତ । ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ସର୍ବଶେଷ ଆକଳନ ଅନୁଯାୟୀ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ଚଳିତ ବର୍ଷ ୩.୨ ପ୍ରତିଶତ ରହିବ ଏବଂ ୨୦୨୩ରେ ଏହା ୨.୭ ପ୍ରତିଶତକୁ ଧିମେଇ ଯିବ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ପକ୍ଷରୁ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ଏବଂ ୨୦୨୩-୨୪ ରେ ୬.୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଓଡିଶା କ୍ଷେତ୍ରରେ ୨୦୨୨-୨୩ ଓ ୨୦୨୩-୨୪ରେ ଏହା ୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଆଇନ୍‍ ଅନୁଯାୟୀ ରାଜ୍ୟର ବିତ୍ତୀୟ ନିଅଣ୍ଟକୁ ଜିଏସ୍‍ଡିପିର ୩ ପ୍ରତିଶତ ମଧ୍ୟରେ ରଖାଯିବା ଆବଶ୍ୟକ । ସେହିଭଳି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଅନୁଯାୟୀ ନିୟମିତ ବ୍ୟବଧାନରେ ଭାରତ ସରକାରଙ୍କ ସଂସ୍କାର ସର୍ତ୍ତ ପୂରଣ କଲେ ୨୦୨୧-୨୨ ରୁ ୨୦୨୪-୨୫ ମଧ୍ୟରେ ଜିଏସ୍‍ଡିପିର ୦.୫ ପ୍ରତିଶତ ଋଣ କରିପାରିବେ ।

ତେବେ ଗୋଟିଏ ବର୍ଷରେ ହେଉଥିବା ଋଣ ଅର୍ଥ ଖର୍ଚ୍ଚ ହୋଇନପାରିଲେ ୨୦୨୪-୨୫ ପର୍ଯ୍ୟନ୍ତ ତାହା ପରବର୍ତ୍ତୀ ବର୍ଷରେ ବ୍ୟବହାର ହୋଇପାରିବ । ଅଧିକ ପରିମାଣର ପୁଞ୍ଜି ବ୍ୟୟ ବଳକା ରାଜସ୍ୱ ଆଦାୟ ଉପରେ ନିର୍ଭର କରୁଛି । ତେଣୁ ରାଜ୍ୟ ସରକାର ଏଫଆରବିଏମ ଆଇନ୍‍ ଅନୁଯାୟୀ ୨୦୨୨-୨୩ ଓ ୨୦୨୩-୨୪ ରେ ବିତ୍ତୀୟ ନିଅଣ୍ଟକୁ ଜିଏସ୍‍ଡିପିର ୩ ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ । ଉଭୟ ଆର୍ଥିକ ବର୍ଷ ରାଜ୍ୟ ପାଇଁ ବଳକା ବଜେଟ୍‍ ହେବ ବୋଲି ବରିଷ୍ଠ ଅଧିକାରୀମାନେ ଆଶା କରିଛନ୍ତି । (ତଥ୍ୟ)