Home Infrastructure କଟକ ବାସହରାଙ୍କୁ ୨୦୦୦ ବର୍ଗଫୁଟ ଜମି

କଟକ ବାସହରାଙ୍କୁ ୨୦୦୦ ବର୍ଗଫୁଟ ଜମି

ଭୁବନେଶ୍ୱର : କଟକରେ କାର୍ଯ୍ୟକାରୀ ହେଉଥିବା ଦୁଇଟି ମେଗା ପ୍ରକଳ୍ପ ଏସ୍‍ସିବି ମେଡିକାଲ ଓ ତାଳଦଣ୍ଡା କେନାଲ ବିକାଶ କାର୍ଯ୍ୟରେ ଯେଉଁମାନେ ଘର ଓ ଜମି ହରାଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୨୦୦୦ ବର୍ଗଫୁଟର ବାସପଯୋଗୀ ଜମି ଯୋଗାଇଦେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କେନ୍ଦାଞ୍ଚଳ ଆରଡିସିଙ୍କୁ କହିଛନ୍ତି ।

ଏହି ମର୍ମରେ ଶ୍ରୀ ସାହୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଏସ୍‍ସିବି ମେଡିକାଲ କଲେଜର ପୁନଃ ବିକାଶ ଏବଂ ରାଣୀହାଟ ଠାରୁ ବିରିବାଟୀ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ବିକାଶ ପାଇଁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଜମି ଅଧିଗ୍ରହଣ ସମୟରେ ନିଜର ଜମି ଓ ଘର ହରାଇଥିବା କେତେକ ବ୍ୟକ୍ତି ସରକାରଙ୍କ ଦ୍ୱାରା ଘୋଷିତ ଥଇଥାନ ପ୍ୟାକେଜରେ ସନ୍ତୁଷ୍ଟ ନଥିବା ଏବଂ ଏଥିପାଇଁ ଜମି ସହିତ ଭଙ୍ଗା ଯାଇଥିବା ଘରର ମୂଲ୍ୟ ଦାବି କରୁଥିବା କଟକ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା ।

ତେବେ ଦେଖିବାକୁ ମିଳିଲା ଯେ ସମାନ ମୂଲ୍ୟର ଜମି ଯୋଗାଇଦେଲେ ତାହା ଘର କରିବାପାଇଁ ଅତ୍ୟନ୍ତ ଛୋଟ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ୨୦୦୦ ବର୍ଗଫୁଟର ଜମି ଦେବାକୁ ସ୍ଥିର କରିଛନ୍ତି । ଯଦି ଜମି ହରାଇଥିବା ଲୋକେ ଘର ତିଆରିପାଇଁ ଜମି ନେବାକୁ ଚାହାନ୍ତି ତେବେ ତାଙ୍କୁ ଉପଲବ୍ଧତା ଜମି ଆଧାରରେ ଘର ତିଆରି ପାଇଁ ୨୦୦୦ ବର୍ଗଫୁଟର ଜମି ଯୋଗାଇ ଦିଆଯିବ । ତେବେ ଏହି ଜମିର ମୂଲ୍ୟ ଲୋକଙ୍କୁ ମିଳୁଥିବା ମୋଟ୍‍ କ୍ଷତିପୂରଣ ଅର୍ଥରୁ କାଟି ଦିଆଯିବ । ଯଦି ମିଳିବାକୁ ଥିବା ଜମିର ମୂଲ୍ୟ କ୍ଷତିପୂରଣ ରାଶିଠାରୁ ଅଧିକ ହେବ ତେବେ ବଳକା ଅର୍ଥ ଜମି ନେଉଥିବା ଲୋକଙ୍କୁ ଦେବାକୁ ପଡିବ ।

୫-ଟିର ଏକ ପଦକ୍ଷେପ ଭାବେ ୨୦୧୯ ମସିହାରେ ରାଜ୍ୟ ସରକାର ଏସ୍‍ସିବି ମେଡିକାଲ କଲେଜ ହସ୍ପିଟାଲରର ପୁନଃ ବିକାଶ ଯୋଜନା ଘୋଷଣା କରିଥିଲେ । ତଦନୁଯାୟୀ ଦୁଇଟି ପର୍ଯ୍ୟାୟରେ ୫୦୦୦ କୋଟି ଟଙ୍କା ବ୍ୟୟରେ ଏସ୍‍ସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରଯିବ । ଏଠାରେ ଶଯ୍ୟା ସଂଖ୍ୟା ୫୦୦୦ କୁ ବୃଦ୍ଧି ସହିତ ଏହାକୁ ଏମ୍‍ସ ପ୍ଲସ ପର୍ଯ୍ୟାୟକୁ ଉନ୍ନୀତ କରାଯିବ ।

ଅନୁରୂପ ଭାବେ କଟକରୁ ଜଗତ୍‍ସିଂହପୁର ଜିଲ୍ଲାକୁ ଲମ୍ବିଥିବା ବ୍ରିଟିଶ ଅମଳର ପୁରାତନ ତାଳଦଣ୍ଡା କେନାଲର ପୂର୍ବ ଗୌରବ ଫେରିବାକୁ ଯାଉଛି । ଏହା ସହର ପାଇଁ ଏକ ପ୍ରମୁଖ ସ୍ଥାନ ହେବ ଏବଂ ଏହି କେନାଲର ଦୁଇ ପାଶ୍ୱର୍ରେ ନିର୍ମାଣ ହେଉଥିବା ସଡକ ମେଡିକାଲ କଲେଜ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବ । (ତଥ୍ୟ)