Home General ଆରପାରିରେ ମନୋଜ ଦାସ

ଆରପାରିରେ ମନୋଜ ଦାସ

ଭୁବନେଶ୍ୱର : ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ପଦ୍ମବିଭୂଷଣ ମନୋଜ ଦାସଙ୍କର ଆଜି ପଣ୍ଡିଚେରୀ ଠାରେ ପରଲୋକ ହୋଇଯାଇଛି । ଶ୍ରୀଅରବିନ୍ଦ ଆଶ୍ରମରେ ଜଣେ ସାଧକ ଭାବେ ଶ୍ରୀ ଦାସ ଦୀର୍ଘବର୍ଷ ଧରି ଅବସ୍ଥାନ କରିବା ସହିତ ଆଧ୍ୟାତ୍ମିକତା ଏବଂ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ସାଧନା ଜାରି ରଖିଥିଲେ ।

ଅଧ୍ୟାପନାରୁ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିବା ମନୋଜ ବାବୁ ଚାକିରି ଛାଡି ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀ ଆଶ୍ରମକୁ ତାଙ୍କ ସାଧନାର ଭୂମି ଭାବେ ବାଛିଥିଲେ । ବିଭିନ୍ନ ପ୍ରସଙ୍ଗରେ ଦେଶ ବିଦେଶରେ ସେ ସହସ୍ରାଧିକ ସମ୍ପାନରେ ଅତ୍ୟନ୍ତ ଉଚ୍ଚକୋଟୀର ବକ୍ତବ୍ୟ ରଖି ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ ।

ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ଓ ରହିଥିବ ମଧ୍ୟ । ମନୋଜ ବାବୁ ହେଉଛନ୍ତି ପୂର୍ବତନ କୁଳପତି ତଥା ବିଶିଷ୍ଟ ଐତିହାସିକ ପ୍ରଫେସର ମନ୍ମଥନାଥ ଦାସଙ୍କ ସାନ ଭାଇ । ତାଙ୍କ ଜନ୍ମମାଟି ବାଲେଶ୍ୱରର ଚନ୍ଦନେଶ୍ୱର । ସେ ବହୁ ପତ୍ର ପତ୍ରିକା ସହ ଜଡିତ ଥିଲେ । ତାଙ୍କ ସମ୍ପାଦନାରେ ହେରିଟେଜ ନାମକ ଏକ ଉଚ୍ଚକୋଟୀର ଇଂରାଜୀ ପତ୍ରିକା ପ୍ରକାଶ ପାଉଥିଲା ।

ତାଙ୍କର କାଳଜୟୀ ଲେଖା ପାଇଁ ୨୦୦୦ ମସିହାରେ ସରସ୍ୱତୀ ସମ୍ମାନ ପାଇଥିବାବେଳେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଏଥି ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଦେଶ ବିଦେଶରୁ ବହୁ ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା ।

ଦେଶର ବିଭିନ୍ନ ଅଞ୍ଚଳରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପନ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଥିଲା । ଅଜାତଶତ୍ରୁ ମନୋଜ ଦାସ କିଛିଦିନ ତଳେ କର୍କଟ ରୋଗରେ ପୀଡିତ ଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ଚିକିତ୍ସା ପାଇଁ ବେଶ୍‍ ତତ୍ପର ଥିଲେ । ଶେଷରେ ପଣ୍ଡିଚେରୀ ଆଶ୍ରମରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତାଙ୍କ ଆବର୍ତ୍ତମାନରେ କେବଳ ଓଡିଶାର କାହିଁକି ଭାରତର ସାହିତ୍ୟ,ସଂସ୍କୃତି ଓ ଆଧ୍ୟାତ୍ମ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ମନୋଜ ବାବୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ସହିତ ଶୋକାଞ୍ଜଳି ବ୍ୟକ୍ତ କରିଛନ୍ତି ।