Home Health ଆନ୍ଦୋଳନ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଆନ୍ଦୋଳନ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଡାକ୍ତରମାନଙ୍କ କାମ ବନ୍ଦ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ସେବା ବ୍ୟାହତ ହୋଇଥିବାବେଳେ ପରିସ୍ଥିତିର ମୁକାବିଲା ପାଇଁ ଉଭୟ ସରକାର ଓ ଆନ୍ଦୋଳନକାରୀମାନେ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଥିବାଭଳି ମନେ ହେଉଛି । ଏ ପରିପ୍ରେକ୍ଷୀରେ ବିଜେଡି ସରକାର ସମୟରେ ଡାକ୍ତରମାନଙ୍କ ଆନ୍ଦୋଳନକୁ ମୁକାବିଲା କରିବା ଲାଗି ଯେଭଳି ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ତା’ର ପୁଣି ପୁନରାବୃତ୍ତି ଘଟିପାରେ ବୋଲି ଆଶଙ୍କା କରାଯାଉଛି ।

ଓଡ଼ିଶା ମେଡିକାଲ୍‍ ସର୍ଭିସେସ୍‍ ଆସୋସିଏସନ୍‍ (ଓମ୍‍ସା)ର ଆହ୍ୱାନକ୍ରମେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ କାମ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଓମ୍‍ସାର ପ୍ରତିନିଧିମାନଙ୍କ ସହ ଦାବି ସଂପର୍କରେ ଆଲୋଚନା କରିବା ଲାଗି ଓମ୍‍ସାର ନେତାମାନେ ଅଡ଼ି ବସିଥିôବାବେଳେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ବିଜେଡି ସରକାର ସମୟରେ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଥିବାବେଳେ ଓମ୍‍ସା ପକ୍ଷରୁ ବିଭିନ୍ନ ଦାବି ନେଇ କାମ ବନ୍ଦ ଆନ୍ଦୋଳନ ଚାଲିଥିଲା । ସେତେବେଳେ ଓମ୍‍ସାର ନେତାମାନଙ୍କୁ ଚିହ୍ନଟ କରି ରାଜ୍ୟ ଶାଖା ସଭାପତିଙ୍କ ସମେତ ଅଗ୍ରଣୀ ବ୍ୟକ୍ତିବିଶେଷ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ରାଜ୍ୟ ସରକାର ଦୂରଦୂରାନ୍ତକୁ ବଦଳି କରିଥିଲେ । ଏହି ବଦଳିକୁ ବିରୋଧ କରି ସ୍ୟାଟ୍‍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଚାଲିଥିଲା ଏବଂ ଶେଷରେ ସୁପ୍ରିମକୋର୍ଟ ସ୍ୟାଟ୍‍ର ରାୟକୁ ଗ୍ରହଣ କରିବାରେ ବଦଳି ହୋଇଥିବା ଓମ୍‍ସା ନେତାମାନେ ନୂତନ ସ୍ଥାନରେ ଯୋଗଦେବାକୁ ବାଧ୍ୟ ହୋଇଥିଲେ । ସେ ସମୟରେ ବି ଡାକ୍ତରମାନଙ୍କୁ ଏସ୍‍ମା ଭୟ ଦେଖାଯିବା ସହିତ ‘କାମ ନାହିଁ ତ ଦରମା ନାହିଁ’ ଚେତାବନୀ ଦିଆଯାଇଥିଲା ଏବଂ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଠିକା/ଅସ୍ଥାୟୀ ଡାକ୍ତରମାନଙ୍କୁ ବିଦା କରିବାକୁ ବି ଧମକ ଦିଆଯାଇଥିଲା । ଅବଶ୍ୟ ସେ ସମୟରେ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା ପାଇଁ ସରକାର ଦ୍ୱାର ଖୋଲା ରଖିଥିଲେ ମଧ୍ୟ କେତେକ କାରଣରୁ ତାହା ସମ୍ଭବପର ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ସହିତ ଓମ୍‍ସାର କଥାବାର୍ତ୍ତା ହେବା ପରେ ପୁଣି ସରକାରୀ ଡାକ୍ତରମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଏବେ ଓମ୍‍ସାର ନେତାମାନେ କହୁଛନ୍ତି ଯେ ଅତୀତରେ ବାରମ୍ବାର ସରକାରଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନାତ୍ମକ ମାର୍ଗରୁ ଓହରିଥିଲେ ମଧ୍ୟ ସେମାନଙ୍କ ଦାବି ସବୁ ପୂରଣ ହୋଇନାହିଁ । ଅବଶ୍ୟ ଅଳ୍ପ କେତୋଟି ଦାବି ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ଆଦିଙ୍କ ଉପସ୍ଥିତିରେ ଓମ୍‍ସାର ନେତାମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏଯାବତ୍‍ ସେମାନଙ୍କୁ ଆଲୋଚନା ଲାଗି ଡକାଯାଉ ନାହିଁ । ଦେଶର ଅନ୍ୟ ରାଜ୍ୟରେ ସରକାରୀ ଡାକ୍ତରମାନେ ଯେଭଳି ସୁବିଧା ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କ ପଦୋନ୍ନତି ତଥା ଅନ୍ୟାନ୍ୟ ଆର୍ଥିକ ସୁବିଧା ମିଳୁଛି ଓଡ଼ିଶାରେ ତାହା ସମ ଅନୁପାତରେ ଲାଗୁ କରିବା ପାଇଁ ଓମ୍‍ସା ଅଡ଼ି ବସିଛି ।
ଆଲୋଚନା ମାଧ୍ୟମରେ ସମସ୍ୟାର ତୁରନ୍ତ ସମାଧାନ ସହ ରୋଗୀ ସେବା କିଭଳି ସ୍ୱାଭାବିକ ହୋଇପାରିବ ଏବଂ ସ୍ୱାସ୍ଥ୍ୟ ବିଭାଗରେ ଖାଲି ଥିବା ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଏବଂ ସରକାରୀ ଡାକ୍ତରମାନେ ବାସ୍ତବତାକୁ ଅନୁଭବ କରି ରୋଗୀ ସେବାକୁ ସ୍ୱାଭାବିକ କରିବା ଲାଗି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।(ତଥ୍ୟ)