Home Education ମାଗଣା ଶିକ୍ଷା ଚିନ୍ତାରେ ଶିକ୍ଷାନୁଷ୍ଠାନ

ମାଗଣା ଶିକ୍ଷା ଚିନ୍ତାରେ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟ ସରକାର କେଜି ରୁ ପିଜି ପାଠପଢାକୁ ସମ୍ପୂର୍ଣ୍ଣ ମାଗଣା ଘୋଷଣା କରିବାପରେ ଏବେ ବିଭିନ୍ନ କଲେଜ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ବିଶେଷକରି ଯେଉଁସବୁ ଶିକ୍ଷାନୁଷ୍ଠାନରେ ନାମଲେଖା ହୋଇଛି ସେମାନେ ନେଇଥିବା ଫି ବାବଦୀୟ ଅର୍ଥ କିଭଳି ଫେରସ୍ତ କରିବେ ସେହି ଚିନ୍ତାରେ ପଡିଛନ୍ତି ।

ରାଜ୍ୟ ସରକାର ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପର୍ବ ଆରମ୍ଭ ହୋଇଯାଇଛି । ବିଶେଷକରି ଯୁକ୍ତ ତିନି ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଛି । ନାମଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମଲେଖା ଫି ସହିତ ଏଷ୍ଟାବ୍ଲିସମେଣ୍ଟ, ପରୀକ୍ଷା ଫି ଆଦି ଆଦାୟ କରାଯାଇଛି । ଏଥି ସହିତ ଆଉ କିଛି ଫି ମଧ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଛି ।

ତେବେ କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫି ଛାଡ କରାଯିବ । କିନ୍ତୁ ଅନ୍ୟାନ୍ୟ ଫି ଆଦାୟ ହେବ । ତେଣୁ ଆଦାୟ ହୋଇଥିବା ଫି କିଭଳି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ହେବ ତାହାର ତର୍ଜମା ଚାଲିଛି । କାରଣ ଛାତ୍ରଛାତ୍ରୀମାନେ ଦାଖଲ କରିଥିବା ଅର୍ଥ ବର୍ତ୍ତମାନ ବ୍ୟାଙ୍କ୍‍ରେ ଜମା ସରିଥିବାବେଳେ ତାହାକୁ ଅନଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ପିଲାଙ୍କୁ ଫେରସ୍ତ ହେବ ।

ଏଥି ସହିତ ନାମଲେଖା ସମୟରେ କେତେକ ଛାତ୍ରଛାତ୍ରୀ ହଷ୍ଟେଲ ବାବଦୀୟ ଅର୍ଥ ମଧ୍ୟ ପଇଠ କରିଛନ୍ତି । ଏହା ଛାତ୍ରଛାତ୍ରୀମାନଙ୍କୁ ଫେରସ୍ତ ହେବ କି ନାହିଁ ତାହାକୁ ନେଇ କଲେଜ କର୍ତ୍ତୃପକ୍ଷ ଦ୍ୱନ୍ଦରେ ପଡିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟ ସରକାର ମାଗଣା ପାଠପଢା ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏହାପରେ ନାମଲେଖା ସମୟରେ କିଭଳି ଅର୍ଥ ଆଦାୟ କରାଯିବ ତାହାକୁ ନେଇ କଲେଜଗୁଡିକରେ ହିସାବ ନିକାଶ ଚାଲଛି । ଏଥିଯୋଗୁଁ ଯୁକ୍ତ ତିନି ଶ୍ରେଣୀର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଘୁଞ୍ଚୁଥିବା ଜଣାଯାଇଛି । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଠାରୁ ଠିକଣା ଭାବେ ଫି ଆଦାୟ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକ ନାମଲେଖା ଫି ଆଦାୟ କରିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ ରହିଛି । ସେହିଭଳି ଏହିସବୁ ଶିକ୍ଷାନୁଷ୍ଠାନ ଗୁଡିକ ନାମଲେଖା ଫି ବାହାରେ ଆଦାୟ କରୁଥିବା ଅନ୍ୟାନ୍ୟ ଫିର ପରିମାଣ କେତେକ ରହିବ ତାହାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହିଛନ୍ତି ।

ରାଜ୍ୟ ସରକାରଙ୍କ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପାଠପଢା ନିଷ୍ପତ୍ତିକୁ ସବୁ ସ୍ତରରୁ ସ୍ୱାଗତ କରାଯାଉଥିବାବେଳେ ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ ସହିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକୁ ସାମିଲ କରାଯାଇ ପାରିଲେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇପାରନ୍ତେ ବୋଲି ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)