Home News in Odia ଅଳିଆ କରୁଛନ୍ତି ଘରୋଇ କମ୍ପାନୀ

ଅଳିଆ କରୁଛନ୍ତି ଘରୋଇ କମ୍ପାନୀ

ଭୁବନେଶ୍ୱର : ରାଜଧାନୀକୁ ପରିସ୍କାର ପରିଚ୍ଛନ୍ନ କରିବ ରଖିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଲାଗି ପଡିଥିବାବେଳେ ଏହି ଦାୟିତ୍ୱରେ ଥିବା କିଛି କମ୍ପାନୀ କିନ୍ତୁ ସହରକୁ ଅଳିଆ କରିବାରେ ଲାଗିଛନ୍ତି । ବ୍ୟବସାୟିକ ଲାଭ ପାଇଁ ଅଳିଆକୁ ଗୋଟିଏ ସ୍ଥାନରୁ ନେଇ ଆଉଗୋଟିଏ ସ୍ଥାନରେ ଗଦାଇ ରଖୁଥିବାବେଳେ ଘାସ କାଟିବା, କଞ୍ଜରଭେନ୍ସି ସଫା କରିବା ଆଦିକୁ ଏମାନେ ଏକପ୍ରକାର ଭୁଲିଗଲେଣି ।

ସହରର ଏକାଧିକ ୱାର୍ଡର ସଫେଇ କାର୍ଯ୍ୟ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦିଆଯାଇଛି । କିଛି କମ୍ପାନୀଙ୍କର କାର୍ଯ୍ୟକାଳ ସରିଗଲା ପରେ ବି ସେମାନଙ୍କ କାର୍ଯ୍ୟକୁ କୌଣସି କାରଣରୁ ମାସେ ମାସେ କରି ବୃଦ୍ଧି କରାଯାଉଛି । ନୂଆ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ ବାଛିବା ବଦଳରେ ପୁରୁଣା ସଂସ୍ଥାଙ୍କ ହାତରେ କାହିଁକି କାମ ଚାଲିଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାମାନେ ସହରର ବିଭିନ୍ନ ସ୍ଥାନରୁ ଝାଡୁମାରି ଏକତ୍ର କରୁଥିବା ଅଳିଆକୁ ବିଭିନ୍ନ ସ୍ଥାନରେ ଗଦା କରୁଛନ୍ତି । ପ୍ରତିଦିନ ଏହାକୁ ଅଳିଆ ଗଦାକୁ ନେବାର ନିୟମ ଥିବାବେଳେ ଖର୍ଚ୍ଚକାଟ୍‍ ପାଇଁ ସମ୍ପୃକ୍ତ ସଂସ୍ଥା ଆଖପାଖ ସ୍ଥାନରେ ଗୋଟିଏ ସ୍ଥାନରେ ଅଳିଆକୁ ଦିନେ ଦୁଇ ଦିନ ଗଦାଇ ରଖୁଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ଆବାସିକ ଅଞ୍ଚଳ, ବିଦ୍ୟାଳୟ ଆଦି ନିକଟରେ ଏହି ଅଳିଆ ଗଦାହେବା ଫଳରେ ଛୋଟ ଛୋଟ ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ରହୁଛି ।

ସେହିଭଳି ବର୍ଷାଦିନରେ ସହରର ଗଳିକନ୍ଦିରେ ଘାସ ମାଡିବାରେ ଲାଗିଥିବାବେଳେ ତାହା କିନ୍ତୁ ନିୟମିତ ଭାବେ କଟାଯାଉ ନାହିଁ । ପ୍ରତ୍ୟେକ ୱାର୍ଡରେ କେତୋଟି ଘାସକଟା ଯନ୍ତ୍ର ରହିଛି ବିଏମସି ୱେବସାଇଟ୍‍ରେ ତାହା ଦର୍ଶାଯାଉଥିବାବେଳେ ଏଗୁଡିକ କେଉଁ କେଉଁ ଅଞ୍ଚଳରେ ଘାସ କାଟୁଛନ୍ତି ତାହା ୱାର୍ଡବାସୀ ଜାଣିପାରୁ ନାହାନ୍ତି । ଯେଉଁଠାରେ ଅଭିଯୋଗ ହେଉଛି ସେଠାରେ ଘାସ କଟାଯାଉଥିବା ଅଭିଯୋଗ ହେଉଛି ।

ତେବେ ସବୁଠାରୁ ବଡକଥା ହେଉଛି ଯେଉଁ ସଂସ୍ଥାମାନଙ୍କର ଟେଣ୍ଡର ଅବଧି ସରିଗଲାଣି ସେମାନେ ଆଉ ସଫେଇ କାମରେ ମନ ଦେଉନାହାନ୍ତି । ଯେଉଁଠାରେ ତିନି ଚାରିଜଣ ଝାଡୁଦାର ଓ ସଫେଇ କର୍ମୀ ଆବଶ୍ୟକ ସେଠାରେ ଜଣେ ଦୁଇଜଣରେ କାମ ଚଳାଇ ନେଉଛନ୍ତି । ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନୂଆ ସଂସ୍ଥା ଚୟନ ବିଳମ୍ବକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି ।

ସେହିଭଳି ଟାଇଲ୍‍ ପକାଇ ଚକ୍‍ ଚକ୍‍ ହୋଇଥିବା କନଜରଭେନ୍ସିକୁ ସଫା କରିବା ସହିତ ସେଠାରେ ପରିବା ହାଟ ହେବ ବୋଲି ବିଏମସି ଘୋଷଣା କରିଥିବାବେଳେ ତାହା କିନ୍ତୁ ଏବେ ପୂର୍ବାବସ୍ଥାକୁ ଫେରିଲାଣି । ଅରମା ବଣ ସହିତ ଆବର୍ଜନା ଗଦାହୋଇ ଗଲାଣି । ଏହାକୁ ସଫାକରିବାକୁ ଦାୟିତ୍ୱ ନେଇଥିବା ସଂସ୍ଥା ସଫେଇ ଅର୍ଥ ଚଳୁ କରିଦେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସେହିଭଳି କନଜରଭେନ୍ସିରେ ସ୍ୱରେଜ ସଫେଇ କରୁଥିବା ସଂସ୍ଥା ମଧ୍ୟ ସେମାନଙ୍କ ବର୍ଜ୍ୟ ଉଠାଉ ନାହାନ୍ତି । ଅବସ୍ଥା ଏଭଳି ହୋଇଛି ସ୍ଥାନୀୟ ଯନ୍ତ୍ରୀଙ୍କୁ ବି ଏହି ସଂସ୍ଥାମାନେ ଖାତିର କରୁନଥିବା ଲକ୍ଷଁ କରାଯାଉଛି ।

ସ୍ୱଚ୍ଛ ସହର ପାଇଁ ପୁରସ୍କାର ପାଉଥିବା ବିଏମସିର ଗଳି କନ୍ଦିରେ ଧିରେ ଧିରେ ଯେଭଳି ପୂତ୍ତିଗନ୍ଧମୟ ଅବସ୍ଥା ସୃଷ୍ଟି ହେଉଛି ତାହା ଆଗାମୀ ଦିନରେ କେବଳ ବିଏମସିକୁ ବଦନାମ କରିବନାହିଁ, ପାର୍ବଣ ସମୟରେ ସ୍ଥିତିକୁ ବିଗାଡିଦେବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)