Home General ବ୍ୟବସ୍ଥାର ତଣ୍ଟିରେ ଲାଗିଛି ଦାରା କଣ୍ଟା

ବ୍ୟବସ୍ଥାର ତଣ୍ଟିରେ ଲାଗିଛି ଦାରା କଣ୍ଟା

ଭୁବନେଶ୍ୱର : ଦାରା ସିଂ ମୁକ୍ତି ପ୍ରସଂଗ ଏବେ ରାଜ୍ୟ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି । ଗୋଟିଏ ପଟେ ଏ ପ୍ରସଂଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଉଥିବାବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି । ଏ ପରିପ୍ରେକ୍ଷୀରେ ଦାରା ସିଂଙ୍କ କାରାମୁକ୍ତି ଏକ ପ୍ରକାର ଅନିଶ୍ଚିତତା ଘେରରେ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ମସିହାରେ ମନୋହରପୁରଠାରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ୍‍ ଷ୍ଟେନ୍‍ ଓ ତାଙ୍କ ଦୁଇ ଶିଶୁପୁତ୍ର ଫିଲିଫ୍‍ ଓ ତିମୋଟି ଏକ ମୋଟର ଗାଡ଼ିରେ ଶୋଇଥିବାବେଳେ ସେମାନଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ସହ-ଅଭିଯୁକ୍ତମାନଙ୍କୁ ଆଜୀବନ ଓ ଅନ୍ୟ କାରାଦଣ୍ଡାଦେଶ ହୋଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟଙ୍କ ଦାରା ସିଂଙ୍କ ପ୍ରାଣ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ ।

ଇତିମଧ୍ୟରେ ସମସ୍ତ ସହ-ଅଭିଯୁକ୍ତ କାରାଦଣ୍ଡ କାଳ କାଟି ମୁକ୍ତ ହୋଇଥିବାବେଳେ ଆଜୀବନ କାରାଦଣ୍ଡ ଭୋଗୁଥିବା କେନ୍ଦୁଝର ଜିଲ୍ଲାର ମହେନ୍ଦ୍ର ହେମ୍ବ୍ରମ୍‍ଙ୍କୁ ରାଜ୍ୟ ସରକାର କାରାମୁକ୍ତ କରିଛନ୍ତି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ଓରଫ୍‍ ରବୀନ୍ଦ୍ର କୁମାର ପାଲ୍‍ କିନ୍ତୁ ଏବେ ବି କାରା କକ୍ଷରେ ବନ୍ଦୀ ଅଛନ୍ତି । ଇତିମଧ୍ୟରେ ୨୦୨୨ର ରାଜ୍ୟ ସରକାରଙ୍କ ନୂଆ ନୀତି ଅନୁଯାୟୀ ତାଙ୍କୁ ମୁକ୍ତ କରିବାକୁ ଦାରା ରାଜ୍ୟ ସରକାରଙ୍କୁ ବାରମ୍ବାର ଆବେଦନ କରୁଛନ୍ତି ଏବଂ ସବୁଥର ତାଙ୍କର ଆବେଦନ ଖାରଜ ହୋଇଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଦାରାଙ୍କୁ କାରାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ଧାରଣା, ଉପବାସ ଆଦି ଅନେକ କାର୍ଯ୍ୟକ୍ରମ ହୋଇଛି । ଏମିତିକି ବହୁ ରାଜନୈତିକ ନେତା ବି ଧାରଣାରେ ବସି ଦାରାଙ୍କ କାରାମୁକ୍ତି ପାଇଁ ଦାବି କରିଆସୁଛନ୍ତି । ଅନ୍ୟପକ୍ଷରେ ଗ୍ରାହାମ୍‍ ଷ୍ଟେନ୍‍ଙ୍କ ପତ୍ନୀ ତାଙ୍କ ଉଦାରପଣ ଦେଖାଇ ଅପରାଧୀମାନଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା କରିଥିବା ଘୋଷଣା କରିବା ସହ ନିଜ ଦେଶକୁ ଫେରିଯାଇଛନ୍ତି ।

ଦାରା ସୁପ୍ରିମକୋର୍ଟରେ ତାଙ୍କ କାରାମୁକ୍ତି ପାଇଁ ଆବେଦନ କରିବାର ପାଖାପାଖି ୨ବର୍ଷ ସମୟ ଅତିକ୍ରମ କରିବାକୁ ଯାଉଛି । ଏହି ମାମଲାରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ସୁପାରିସ ଆଧାରରେ ନିଷ୍ପତ୍ତି ନେବା ଲାଗି ଅଦାଲତ ବାରମ୍ବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ସରକାର ତାରିଖ ପରେ ତାରିଖ ଗଡ଼ାଇ ଚାଲୁଛନ୍ତି । ପୂର୍ବରୁ ଅ ଗଷ୍ଟ ୧୫ ସୁଦ୍ଧା ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା । କିନ୍ତୁ ଦାରା ଉତ୍ତର ପ୍ରଦେଶର ବାସିିନ୩୍‍ଦା ହୋଇଥବାରୁ ସେଠାକାର ପୁଲିସ ପ୍ରଶାସନଠାରୁ ଦାରାଙ୍କ ଅପରାଧିକ ପୃଷ୍ଠଭୂମି ସଂକ୍ରାନ୍ତରେ ତଥ୍ୟ ମଗାଯାଇଛି କହି ସରକାର ସୁପ୍ରିମକୋର୍ଟରେ ସମୟ ନେଉଛନ୍ତି । ଯଦି ଦାରାଙ୍କ କାରାମୁକ୍ତି ପାଇଁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଆଇନ୍‍ ଅଦାଲତଙ୍କ ରାୟ ଅନୁପାଳନ ନଜିର ଦେଇ ଖସିଯାଇପାରନ୍ତି । କିନ୍ତୁ ରାଜ୍ୟ ସରକାର ଯଦି ନିଜ ଆଡୁ ଦାରାଙ୍କୁ କାରାମୁକ୍ତ କରନ୍ତି ତେବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସହିତ ସମାଲୋଚନା ହେବାର ଆଶଙ୍କା ରହିଛି ।

ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ଗୁଜରାଟର ବିଲ୍‍କିସ୍‍ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣ ଅପରାଧିଙ୍କୁ ସେଠାକାର ସରକାର ଦଣ୍ଡ ସମୀକ୍ଷା ବୋର୍ଡର ସୁପାରିସ ଆଧାରରେ ମୁକ୍ତ କରିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ମୁକ୍ତ ହୋଇଥିବା ଅପରାଧୀମାନଙ୍କୁ ପୁଣିଥରେ କାରାଗାରକୁ ପଠାଇବା ପାଇଁ ସରକାର ବାଧ୍ୟ ହୋଇଥିଲେ । ଏଭଳି ସ୍ଥିତିରେ ଦାରା ସିଂଙ୍କୁ କାରାମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନେବେ କି ଅଦାଲତଙ୍କ ରାୟ ଉପରେ ନିର୍ଭର କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ତେବେ ସରକାର ନିଷ୍ପତ୍ତି ନନେଲେ ବିଭାଗୀୟ ଅଧିକାରୀଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଏବେ କହିବା ପରେ ଏ ପ୍ରସଂଗରେ ପ୍ରଶାସନିକ ସ୍ତରରେ ତନାଘନା ଚାଲିଛି । (ତଥ୍ୟ)