ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ଏକ ବ୍ୟାପକ ସମୀକ୍ଷା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’ ଅନୁଷ୍ଠିତ ହୋଇଯାଇଛି । ସହର ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ସହ ଦକ୍ଷ, ସ୍ଥାୟୀ ଏବଂ ନାଗରିକ-କୈନ୍ଦ୍ରିକ ସହର ପରିଚାଳନା ରଣନୀତି ଉପରେ ଆଲୋଚନା କରିବା ପାଇଁ ଏହି କନକ୍ଲେଭରେ ବରିଷ୍ଠ ଅଧିକାରୀ, ପୌର ପରିଚାଳକ, ସହର ଯୋଜନାକାରୀ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏକତ୍ରିତ ହୋଇଥିଲେ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡ଼ିଶାର ସହରାଞ୍ଚଳର ରୂପାନ୍ତରଣ ପାଇଁ ବ୍ୟାପକ ଦୃଷ୍ଟିକୋଣ ଏବଂ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ସେ ସୁଦୃଢ଼ ପ୍ରତିଷ୍ଠାନଗତ ଦକ୍ଷତା, ପୌରସଂସ୍ଥାର ଉନ୍ନତ କାର୍ଯ୍ୟଦକ୍ଷତା, ପ୍ରଭାବଶାଳୀ ଆର୍ଥିକ ପରିଚାଳନା ଏବଂ ଫଳାଫଳ-ଭିତ୍ତିକ ସହର ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଥମାର୍ଦ୍ଧର ବୈଷୟିକ ଅଧିବେଶନରେ ବଜେଟ୍ ଏବଂ ଆର୍ଥିକ ପରିଚାଳନା, ରାଜସ୍ୱ ବୃଦ୍ଧି, ଖର୍ଚ୍ଚ ବିଶ୍ଳେଷଣ ତଥା ପୌରସଂସ୍ଥାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ବିଶେଷ କରି କମ୍ ପ୍ରଦର୍ଶନ କରୁଥିବା ପୌରାଞ୍ଚଳଗୁଡ଼ିକର ସମୀକ୍ଷା କରାଯାଇଥିଲା ।
ଏହି ଆଲୋଚନାର ଉଦ୍ଦେଶ୍ୟ ଥିଲା ମ୍ୟୁନିସିପାଲିଟି ଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସେବା ପ୍ରଦାନର ଦକ୍ଷତା, ଉତ୍ତରଦାୟିତ୍ୱ ତଥା ଗୁଣବତ୍ତା ବୃଦ୍ଧି କରିବା ।
ସହରାଞ୍ଚଳ ଯୋଜନା ଓ ଭିତ୍ତିଭୂମି ବିକାଶ, ଟାଉନ୍ ପ୍ଲାନିଂ ଯୋଜନାର ମାନକ କାର୍ଯ୍ୟପ୍ରଣାଳୀ , ସମୃଦ୍ଧ ସହର ଢାଞ୍ଚା, ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ, ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକର ଯୋଜନାବଦ୍ଧ ବିକାଶ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ପଦଯାତ୍ରୀ-ଅନୁକୂଳ ରାସ୍ତା ଏବଂ ଗ୍ରାମୀଣ-ସହରାଞ୍ଚଳ ରୂପାନ୍ତରଣ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସହରର ଅଭିବୃଦ୍ଧି ଯେପରି ସର୍ବସମାବେଶୀ, ସ୍ଥିର ଏବଂ ନିରନ୍ତର ରହିବ, ତାହା ନିଶ୍ଚିତ କରିବାକୁ ଏକୀକୃତ ଯୋଜନା ତଥା ଭିତ୍ତିଭୂମି ବିକାଶର ଗୁରୁତ୍ୱ ଉପରେ ଏହି ଅଧିବେଶନରେ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହିତ ପ୍ରଧାନମନ୍ତ୍ରୀ ସ୍ୱନିଧି , ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ, ସହଯୋଗ, ସହଯୋଗ ପ୍ଲସ୍ ଏବଂ ଆହାର ଯୋଜନା ଭଳି ପ୍ରମୁଖ ଲୋକାଭିମୁଖୀ କଲ୍ୟାଣକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇ ହିତାଧିକାରୀଙ୍କ ପାଖରେ ଏଗୁଡ଼ିକୁ ସଠିକ୍ ଭାବେ ପହଞ୍ଚାଇବା ଉପରେ ଜୋର୍ ଦିଆଯାଇଥିଲା ।
କନକ୍ଲେଭରେ ଉଦବୋଧନ ଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସ୍ଥାୟୀ ସହରୀ ରୂପାନ୍ତରଣ, ନାଗରିକ-କୈନ୍ଦ୍ରିକ ସେବା ଏବଂ ଯୋଜନାବଦ୍ଧ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସହରାଞ୍ଚଳ ନାଗରିକମାନଙ୍କ ବର୍ଦ୍ଧିତ ଆଶା ଓ ଆକାଂକ୍ଷା ଅନୁଯାୟୀ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକ ସେମାନଙ୍କର ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ସେବା ପ୍ରଦାନର ମାନରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ଆଲୋଚନା ରାଜ୍ୟରେ ଉନ୍ନତ ପରିମଳ, ବର୍ଜ୍ୟଜଳ ପରିଚାଳନା ଏବଂ ପରିବେଶ ସ୍ଥିରତା ଦିଗରେ ପ୍ରଯୁକ୍ତିବିଦ୍ୟା-ଆଧାରିତ ସମାଧାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

