ଭୁବନେଶ୍ୱର : ଏମଏମଡିଆର ସଂଶୋଧନ ଆଇନ୍ ସଂସଦରେ ପାରିତ ହେବା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ । ତେବେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଏ ବାବଦରେ ସଂସଦରେ ମୁଁହ ଖୋଲିଲେ ନାହିଁ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡେଇ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀ ଘଡ଼େଇ କହିଛନ୍ତି ଯେ, ଉକ୍ତ ଆକ୍ଟକୁ ବିଜେପି ସରକାର ବିନା ଆଲୋଚନାରେ ସଂସଦରେ ପାରିତ କରାଇଛନ୍ତି । ଏହା ଦ୍ୱାରା ଓଡ଼ିଶା ବ୍ୟାପକ କ୍ଷତି ସହିବ । ରାଜ୍ୟର ସମସ୍ତ ଖଣି ଗୁଡିକର ରାଜସ୍ୱ କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯିବ । ଖଣିଜ ସମ୍ପଦରେ ଭରା ଓଡ଼ିଶାର ଖଣି ରାଜସ୍ୱ କେନ୍ଦ୍ର ସରକାରଙ୍କୁ ଟେକି ଦିଆଯାଇଛି । କିନ୍ତୁ ଏ ବାବଦରେ ବିଜେପି ସାଂସଦ ମାନେ ସଂସଦରେ ମୁଁହ ଖୋଲିଲେ ନାହିଁ । ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସଂସଦରେ ଚୁପ ରହିଲେ । ସଂସଦରେ ଆକ୍ଟ ବାବଦରେ ମୁଁହ ଖୋଲି ପ୍ରଶ୍ନ ମଧ୍ୟ କରିଲେ ନାହିଁ ।
ରାଜ୍ୟ ସ୍ୱାର୍ଥ ବିରୋଧରେ ଭୋଟ ଦେଇ ରାଜ୍ୟର ବ୍ୟାପକ କ୍ଷତି ହେବାକୁ ସମର୍ଥନ ଜଣାଇଛନ୍ତି । ଯାହାକୁ ଓଡ଼ିଶା ବାସୀ କେବେ ଭୁଲି ପାରିବେ ନାହିଁ । ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି । ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ ।
ଏହି ବିଚାରରେ, ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକ ମାନଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ସେହି ଅନୁସାରେ, ଓଡିଶା କେବଳ ବକେୟା ଆକାରରେ ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିପାରିବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ । ଆଗାମୀ ଦିନରେ ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ।
ସେହିପରି ଶ୍ରୀ ରାୟ କହିଛନ୍ତି ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଯୋଗୁଁ ଓଡ଼ିଶାର ଅନେକ କ୍ଷତି ହେବ । ଯାହାକୁ ନେଇ ରାଜ୍ୟସାରା ସମସ୍ତ ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରତ୍ନଗର୍ଭା ଓଡ଼ିଶା ଖଣିଜ ସମ୍ପଦର ଲୁଟିବା ପାଇଁ ବିଜେପି ପକ୍ଷରୁ ଏକ ଷଡ଼ଯନ୍ତ୍ର କରାଯାଇଛି । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ବିଜେପି ସାଂସଦ ଓ ନେତୃତ୍ୱଗଣ ଦାୟୀ । କେନ୍ଦୁଝର ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାରୁ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । କେବଳ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ବର୍ତ୍ତମାନ ଜଣାପଡୁଛି । ଝାଡଖଣ୍ଡ ରାଜ୍ୟ ତାହାର ବକେୟା ରାଜସ୍ୱ ଆଦାୟ କରିପାରିଥିବା ବେଳେ ଓଡ଼ିଶା ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ କରି ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

