Home Administration ଅମଲାତନ୍ତ୍ରର ଖେଳ ନିଯୁକ୍ତି ପ୍ରତ୍ୟାଶୀଙ୍କ କାଳ

ଅମଲାତନ୍ତ୍ରର ଖେଳ ନିଯୁକ୍ତି ପ୍ରତ୍ୟାଶୀଙ୍କ କାଳ

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗର ଅମଲାତାନ୍ତ୍ରିକ ତ୍ରୁଟି ଯୋଗୁଁ କନିଷ୍ଠ ଯନ୍ତ୍ରୀ ଚାକିରିରୁ ବଞ୍ଚିତ ହୋଇ ୫୦ରୁ ଅଧିକ ପଛୁଆବର୍ଗର ଯୋଗ୍ୟ ପ୍ରାର୍ଥୀ ପ୍ରାୟ ୮ ବର୍ଷ ଧରି ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ପ୍ୟାନେଲ ତାଲିକାରେ ଏମାନଙ୍କଠାରୁ ଢ଼େର ତଳେ ଥିବା ଅନେକ ଡିପ୍ଲୋମା ଇଞ୍ଜିନିୟର ଠିକା ନିଯୁକ୍ତି ପାଇ ଇତିମଧ୍ୟରେ ନିୟମିତ ହେବା ସହ କ୍ୟାଡରରେ ଉଚ୍ଚ ପାହ୍ୟାକୁ ପଦୋନ୍ନତି ପାଇବାକୁ ଯାଉଥିବା ବେଳେ ଏହି ବଞ୍ଚିତ ପ୍ରାର୍ଥୀମାନଙ୍କ କଥା ବିଭାଗୀୟ ଅଧିକାରୀ ବୁଝୁନଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ନ୍ୟାୟ ପାଇବା ପାଇଁ ଏହି ବଞ୍ଚିତ ପ୍ରାର୍ଥୀମାନେ ପ୍ରାୟ ୮ବର୍ଷ ଧରି ମାମଲା ଲଢ଼ୁଥିବା ବେଳେ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବିତ କରିବା ପାଇଁ ବହୁ ମାମଲାରେ ସରକାରଙ୍କ ପକ୍ଷରୁ ଉତ୍ତର ଦାଖଲ କରାଯାଉନଥିବା ଘେନି ଆରୋପ ଉଠୁଛି ।

ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବା ପାଇଁ ୨୦୧୨ ମସିହାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ । ତଦନୁଯାୟୀ ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବା କଥା । ତେବେ ଏହି ନିଯୁକ୍ତି ଆଇନର ୧୯ ଧାରା ଅନୁଯାୟୀ ରାଜ୍ୟ ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ପ୍ୟାନେଲଭୁକ୍ତ ତାଲିକାରୁ ୨୦୧୪ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କରାଯିବ ଏବଂ ଏଥିଲାଗି ସଂପୃକ୍ତ ସରକାରୀ ବିଭାଗ ଓ ସଂସ୍ଥାମାନେ ପ୍ୟାନେଲରୁ କାହାର କେତେ କେଉଁ ବର୍ଗର ପ୍ରାର୍ଥୀ ଦରକାର ସେ ସଂକ୍ରାନ୍ତରେ ତାଲିକା ଦେବା ପାଇଁ କୁହାଯାଇଥିଲା ।

ପଞ୍ଚାୟତିରାଜ ବିଭାଗ ୨୦୧୪ ଜାନୁଆରୀ ୨୪ରେ ଏକ ସଂକଳ୍ପ ପାରିତ କରି ପ୍ୟାନେଲରୁ ୭୪୩ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଲାଗି ନିଷ୍ପତ୍ତି ନେଇ ୬୯୩ ନାମ ମାଗିଥିଲେ । ତେବେ ପ୍ୟାନେଲରୁ ୫୫୫ଟି ନାମ ପଠାଯାଇଥିଲା । ଏଥିମଧ୍ୟରେ ରିକ୍ୟୁଜିସନ ଅନୁଯାୟୀ ପଛୁଆବର୍ଗ ବା ଏସଇବିସିର ୧୨୯ ପୁରୁଷ ଓ ୫୯ଜଣ ମହିଳା ପ୍ରାର୍ଥୀଙ୍କ ନାମ ଥିଲା । ଏଥିମଧ୍ୟରୁ କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇ ଅନ୍ୟମାନଙ୍କୁ କୌଣସି କାରଣରୁ ଝୁଲାଇ ରଖାଯାଇ ସମୟସୀମା ପାର ହେବା ପରେ ସେମାନଙ୍କ ନାମ ଫେରାଇ ଦିଆଯାଇଥିଲା ।

ବିଭିନ୍ନ ବିଭାଗର ଚାହିଦା ମୁତାବକ ପ୍ୟାନେଲ ତାଲିକାରେ ଏହି ଏସଇବିସି ପ୍ରାର୍ଥୀମାନଙ୍କଠାରୁ ଢ଼େର୍‍ ତଳ ସ୍ଥାନରେ ଥିବା ଅନେକ ଡିପ୍ଲୋମା ଇଞ୍ଜିନିୟରଙ୍କ ନାମ ଅନ୍ୟ ବିଭାଗକୁ ପଠାଯାଇଥିଲା ଏବଂ ସେମାନେ ନିଯୁକ୍ତି ପାଇଗଲେ । କିନ୍ତୁ ପ୍ୟାନେଲର ଉପର ସ୍ଥାନରେ ଥିବା ଏହି ପ୍ରାର୍ଥୀମାନଙ୍କୁ ପଞ୍ଚାୟତିରାଜ ବିଭାଗ ନିଯୁକ୍ତି ଦେଲେନାହିଁ । ପଦବୀ ଖାଲି ଥିବା ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ପୁଣି ନାମ ପଠାଇବା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ୟାନେଲକୁ ଚିଠି ଲେଖିଥିଲେ ମଧ୍ୟ ସମୟ ଅତିକ୍ରାନ୍ତ କରିଯାଇଥିବାରୁ ଏବଂ ଏହି ବଞ୍ଚିତ ପ୍ରାର୍ଥୀମାନଙ୍କ ନାମ ପୂର୍ବରୁ ପଠାଯାଇଥିବା ଦୃଷ୍ଟିରୁ ପ୍ୟାନେଲରୁ ବାଦ୍‍ ଦିଆଯାଇଥିବା ଯୋଗୁଁ ଆଉ ନାମ ଆସିପାରିଲା ନାହିଁ । କେବଳ ସେତିକି ନୁହେଁ, ନିଯୁକ୍ତିରୁ ବଞ୍ଚିତ ଏହି ଏସଇବିସି ପ୍ରାର୍ଥୀଙ୍କଠାରୁ ଢ଼େର୍‍ କମ୍‍ ନମ୍ବର ରଖିଥିବା ଅଣସଂରକ୍ଷିତ ବର୍ଗର ବହୁ ପ୍ରାର୍ଥୀ ନିଯୁକ୍ତି ପାଇଥିଲେ ମଧ୍ୟ ଏମାନଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଅଣଦେଖା କରାଯାଇଥିବା ଘେନି ଅଭିଯୋଗ ହେଉଛି ।

ବଞ୍ôଚତ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନାମ ପଞ୍ଚାୟତିରାଜ ବିଭାଗକୁ ପଠାଇବା ଲାଗି ସେମାନେ କେବେହେଲେ ଆବେଦନ କରିନାହାନ୍ତି । କର୍ତ୍ତୃପକ୍ଷଙ୍କ ଚାହିଦା ମୁତାବକ ପ୍ୟାନେଲରୁ ସେମାନଙ୍କ ନାମ ପଠାଯାଇଥିଲା ଏବଂ ସେମାନଙ୍କୁ ସାର୍ଟିଫିକେଟ ଇତ୍ୟାଦିର ଯାଞ୍ଚ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ଅକୁହା କାରଣ ଯୋଗୁଁ ନିଯୁକ୍ତି ଦେଲେ ନାହିଁ । ଅନୁରୂପ ଭାବେ ଜଳ ସଂପଦ ବିଭାଗରେ ଏସଟି ବର୍ଗର ୬୨ଜଣ ଡିପ୍ଲୋମା ଇଞ୍ଜିନିୟର ଚାକିରିରୁ ବଞ୍ଚିତ ହୋଇଥିବା ବେଳେ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ୨୦୧୯ରେ ସେମାନଙ୍କୁ ଠିକା ନିଯୁକ୍ତି ଦିଆଯାଇ ଇତିମଧ୍ୟରେ ନିୟମିତ କରାଯାଇଛି । ପଛୁଆବର୍ଗର ପ୍ରାର୍ଥୀମାନଙ୍କୁ ସରକାର ଅନୁରୂପ ଭାବେ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି । (ତଥ୍ୟ)