Home Excise ଅବକାରୀ ରାଜସ୍ୱ ବୃଦ୍ଧି ସନ୍ତୋଷଜନକ

ଅବକାରୀ ରାଜସ୍ୱ ବୃଦ୍ଧି ସନ୍ତୋଷଜନକ

ଭୁବନେଶ୍ୱର : ଓଡିଶାରେ ଅବକାରୀ ରାଜସ୍ୱର ଅଭିବୃଦ୍ଧି ବେଶ୍‍ ସନ୍ତୋଷଜନକ । ୨୦୦୦-୦୧ ବର୍ଷ ବେଳକୁ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୧୩୫ କୋଟି ଟଙ୍କା ଥିବାବେଳେ ୨୦୨୧ରେ ଏହା ୫୫୨୮ କୋଟି ଟଙ୍କାକୁ ଟପିଥିଲା ଏବଂ ଚଳିତବର୍ଷ ଏହାର ପରିମାଣ ୫୬୦୦ କୋଟି ଟଙ୍କାକୁ ଟପିଯିବ ବୋଲି ଆଶା କରାଯାଉଛି ।

ସରକାରୀ ସୂଚନା ମୁତାବକ ୨୦୧୩-୧୪ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ବଢି ବଢି ୧୭୮୦ କୋଟି ଟଙ୍କା ହୋଇଥିବାବେଳେ ୨୦୧୪-୧୫ ବର୍ଷରେ ତାହା ୨୦୩୮ କୋଟି ୭୯ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଏହି ହାର ସେବେଠାରୁ ୨୦୧୯-୨୦ ପର୍ଯ୍ୟନ୍ତ କ୍ରମାଗତ ଭାବେ ବଢି ଚାଲିଥିଲା ।

୨୦୧୬-୧୭ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୨୭୮୫ କୋଟି ଟଙ୍କାକୁ ଟପିଥିବାବେଳେ ୨୦୧୭-୧୮ରେ ଏହା ୩୨୨୧ କୋଟି ଓ ୨୦୧୮-୧୯ ରେ ୩୯୨୫ କୋଟି ଟଙ୍କାକୁ ଅତିକ୍ରମ କରିଥିଲା । ୨୦୧୯-୨୦ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୪୪୯୫ କୋଟି ୫୨ଲକ୍ଷ ଟଙ୍କା ଥିବାବେଳେ କୋଭିଡ ଯୋଗୁଁ ୨୦୨୦-୨୧ ବର୍ଷରେ ମଦଦୋକାନ କିଛି ଦିନ ପାଇଁ ବନ୍ଦ ରହିବା ଫଳରେ ଅବକାରୀ ରାଜସ୍ୱ ପରିମାଣ ୪୦୫୩ କୋଟି ୫୧ଲକ୍ଷ ଟଙ୍କାକୁ କମିଥିଲା ।

ତେବେ ପୁର୍ନବାର ମଦ ଦୋକାନ ଖୋଲାଯିବାର ୨୦୨୧-୨୨ ବର୍ଷରେ ଅବକାରୀ ରାଜସ୍ୱ ପରିମାଣ ୫୫୨୮ କୋଟି ୪୦ଲକ୍ଷ ଟଙ୍କାକୁ ଛୁଇଁଥିଲା । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୨-୨୩ର ଫେବୃୟାରୀ ମାସ ସୁଦ୍ଧା ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ଅବକାରୀ ରାଜସ୍ୱର ପରିମାଣ ୫୫୪୫ କୋଟି ୩୪ଲକ୍ଷ ଟଙ୍କା ବୋଲି ସରକାରୀ ଭାବେ କୁହାଯାଇଛି । ଚଳିତ ମାର୍ଚ୍ଚମାସର ଅବକାରୀ ରାଜସ୍ୱକୁ ହିସାବକୁ ନେଲେ ଏହାର ପରିମାଣ ୫୬୦୦ କୋଟି ଟଙ୍କାକୁ ଟପି ସର୍ବକାଳୀନ ରେକର୍ଡ ହେବବୋଲି ଆଶା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶାର ନିଜସ୍ୱ ରାଜସ୍ୱ କ୍ଷେତ୍ରରେ ଖଣି ପଛକୁ ଅବକାରୀର ଉଲ୍ଲେଖନୀୟ ଯୋଗଦାନ ରହୁଛି । ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ମଦ୍ୟପାନରେ ଅଭ୍ୟସ୍ତ ଥିବା ଲୋକଙ୍କ ଚାହିଦାକୁ ଆଖିଆଗରେ ରଖି ନୂଆ ମଦ ଦୋକାନ ଖୋଲାଯିବ କି ନାହିଁ ସେ ସଂକ୍ରାନ୍ତରେ ବିଭିନ୍ନ ସ୍ତରରେ ତର୍ଜମା କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କିଏ ନିଶା ସେବନ କରିବ ନକରିବ ତାହା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଅଧିକାର ହୋଇଥିବାରୁ ସରକାର ଜୋର ଜବରଦସ୍ତ କାହାକୁ ନିଶାପାନରୁ ବିରତ କରିପାରୁ ନାହାନ୍ତି ।

ବିଭିନ୍ନ କିସମର ମଦବୋତଲ ଉପରେ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଉଲ୍ଲେଖ କରାଯିବା ସହିତ ନିଶା ଠାରୁ ଦୂରେଇ ରହିବାପାଇଁ ଭିନ୍ନ ତରିକାରେ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ସ୍ୱତନ୍ତ୍ର ଶିବିର ମଧ୍ୟ ଆୟୋଜିତ ହେଉଛି । ଏସବୁ ସତ୍ୱେ ଓଡିଶାରେ ନିଶା କାରବାର କିନ୍ତୁ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । (ତଥ୍ୟ)