Home Administration ୨.୨୬ ଲକ୍ଷରୁ ଅଧିକ ପଦବୀ ଖାଲି

୨.୨୬ ଲକ୍ଷରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୨୬ହଜାରରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ପାଖାପାଖି ୪ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ ବିଭିନ୍ନ ବିଭାଗରୁ ଅନ୍‍ଲାଇନ୍‍ ମାଧ୍ୟମରେ ୨୦୨୧ ଡିସେମ୍ବର ଶେଷସୁଦ୍ଧା ସଂଗୃହୀତ ତଥ୍ୟ ଅନୁଯାୟୀ ସରକାରଙ୍କ ବିଭିନ୍ନ ବିଭାଗରେ ମୋଟ୍‍ ୩,୯୮,୫୭୭ ଜଣ କାର୍ଯ୍ୟରତ ଥିବାବେଳେ ୨,୨୬,୫୫୯ଟି ପଦବୀ ଖାଲି ପଡିଛି ।

ଖାଲି ପଡିଥିବା ପଦବୀ ମଧ୍ୟରେ ସର୍ବାଧିକ ୬୧,୮୩୬ଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିମାଣ କଲ୍ୟାଣ ବିଭାଗରେ ଦ୍ୱିତୀୟ ସର୍ବାଧିକ ୩୬,୦୪୫ ରହିଛି । ସେହିଭଳି ଗୃହ ବିଭାଗରେ ୨୬,୭୯୮, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୧୨,୭୬୧, ଉଚ୍ଚଶିକ୍ଷା ବିଭାଗରେ ୧୧,୫୨୨ ପଦବୀ ଖାଲି ପଡିଛି । ସବୁଠାରୁ କମ୍‍ ମାତ୍ର ୨୨ଟିପଦବୀ ସାଧାରଣ ଉଦ୍ୟୋଗ ବିଭାଗରେ ଖାଲିଥିବା ଦର୍ଶାଯାଇଛି ।

ତେବେ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀ ମଧ୍ୟରେ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୧,୧୩,୫୩୬ ପଦବୀ ଖାଲି ପଡିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୪୫,୯୬୯, ଚତୁର୍ଥ ଶ୍ରେଣୀରେ ୩୫,୦୯୮ ପଦବୀ ଏବଂ ପ୍ରଥମଶ୍ରେଣୀ ପାହ୍ୟାରେ ୧୨,୩୩୭ ଏବଂ ଗ୍ରାଣ୍ଟଇନ୍‍ଏଡ୍‍ ପଦବୀ ମଧ୍ୟରୁ ୧୯,୬୧୯ ଟି ଖାଲି ପଡିଛି ।

ସେହିଭଳି ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୧,୮୮୭୯୦ ଜଣ କାର୍ଯ୍ୟରତ ଥିବାବେଳେ ଗୃହ ବିଭାଗରେ ୬୩,୧୨୫, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୩,୭୧୩, ଉଚ୍ଚଶିକ୍ଷା ବିଭାଗରେ ୨୨,୯୫୬, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୧୧,୧୬୧ ଜଣ କାର୍ଯ୍ୟ କରୁଛନ୍ତି ।

ସବୁଠାରୁ କମ୍‍ ମାତ୍ର ୩୮ଜଣ କର୍ମଚାରୀ ସାଧାରଣ ଉଦ୍ୟୋଗ ବିଭାଗରେ ଥିବାବେଳେ ଶିଳ୍ପ ବିଭାଗରେ ୪୫, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗରେ ୫୯ ଜଣ କାର୍ଯ୍ୟ କରୁଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)