Home Health ଅପମିଶ୍ରଣ ସାମଗ୍ରୀର ପେଣ୍ଠସ୍ଥଳୀ ପୂଜା ଦୋକାନ

ଅପମିଶ୍ରଣ ସାମଗ୍ରୀର ପେଣ୍ଠସ୍ଥଳୀ ପୂଜା ଦୋକାନ

ଭୁବନେଶ୍ୱର : ଅପମିଶ୍ରଣ ଓ ନିମ୍ନମାନର ସାମଗ୍ରୀର ପେଣ୍ଠସ୍ଥଳ ହେଉଛି ସହର ଠାରୁ ଗାଁରେ ଥିବା ଅଧିକାଂଶ ପୂଜା ସାମଗ୍ରୀ ଦୋକାନୀ । ଏଠାରେ ନକଲି ଘିଅ ଠାରୁ ଆରମ୍ଭକରି କେବଳ ଠାକୁର ଖାଇବାପାଇଁ ଉଦ୍ଦିଷ୍ଟ ଭୋଗ ଆଦି ବିକ୍ରି ହେଉଛି । ଲୋକେ ଏହାକୁ ନେଇ ପୂଜା କରି ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପାର୍ବଣଋତୁ ଆରମ୍ଭ ହୋଇଥିବାବେଳେ ପୂଜା ସାମଗ୍ରୀ ଦୋକାନଗୁଡିକରେ ଭିଡ ବଢିବାରେ ଲାଗିଛି । ହେଲେ ଅଧିକାଂଶ ପୂଜା ସାମଗ୍ରୀ ଦୋକାନରେ ବିକ୍ରି ହେଉଥିବା ବହୁ ସାମଗ୍ରୀ ନିମ୍ନମାନର ଓ ଅପମିଶ୍ରଣରୁ ପ୍ରସ୍ତୁତ । ପୂଜା ଦୋକାନରେ ବିକ୍ରି ହେଉଥିବା ଘିଅ କିଲୋପ୍ରତି ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । ବୋତଲ ଉପରେ ଶୁଦ୍ଧ ଘିଅ ଲେଖା ହୋଇଥିଲେ ମଧ୍ୟ ଏହାକୁ ଖାଇବା ମନା ବୋଲି ଦୋକାନୀମାନେ ଲୋକଙ୍କୁ ବୁଝାଉଛନ୍ତି । କେତେକ ଘିଅ ବୋତଲରେ ଏହା କେବଳ ପୂଜା ପାଇଁ ବୋଲି ବି ଲେଖାଯାଉଛି ।

ହେଲେ ଏହି ଅପମିଶ୍ରିତ ଶସ୍ତା ଘିଅ ପୂଜା ହେବା ସହିତ ନିଜ ଅଜାଣତରେ ବହୁ ଲୋକେ ତାକୁ ଭୋଗ ଆକାରରେ ଗ୍ରହଣ କରୁଛନ୍ତି । କେବଳ ଘିଅ ନୁହେଁ, ପୂଜା ଭିଡକୁ ଦେଖି ବହୁ ଭୋଗ ଦୋକାନୀ ସେଉ ବୁନ୍ଦି, ଉଖୁଡା, ଲଡୁ ଆଦି ବିକ୍ରି ହେଉଛନ୍ତି । ଏହାର ମାନ ପରଖିବାକୁ କେହି ନାହିଁ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଓ ନିମ୍ନମାନ ସାମଗ୍ରୀରେ ପ୍ରସ୍ତୁତ ହେଉଥିବା ଏହି ଭୋଗ ସାମଗ୍ରକୁ ଲୋକେ ପାଦୁଅ ଆକାରରେ ପାଉଛନ୍ତି ।

କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ପୂଜା ଦୋକାନରେ ବିକ୍ରି ହେଉଥିବା ଝୁଣା, ଗଙ୍ଗାଜଳ, ମହ. କର୍ପୁର ସମେତ ବିଭିନ୍ନ ନାମୀଦାମୀ କମ୍ପାନୀର ଯେଉଁ ଧୂପକାଠି ଆଦି ବିକ୍ରି ହେଉଛି ସେଥିରୁ ଅଧିକାଂଶ ଅପମିଶ୍ରିତ ଓ ନିମ୍ନମାନର । ଲୋକଙ୍କ ଆସ୍ଥା ସହିତ ଯୋଡି ଏହାର ବହୁ ବିକ୍ରି ହେଉଥିବାବେଳେ ଥରୁଟିଏ ହେଲେ ଖାଦ୍ୟ ସୁରକ୍ଷା ଅଧିକାରୀ କିମ୍ବା ଅନ୍ୟ କେହି ଏହାର ଯାଞ୍ଚ କରନ୍ତି ନାହିଁ ।

ବର୍ତ୍ତମାନ ରାଜ୍ୟରେ ବିଶେଷକରି ଭୁବନେଶ୍ୱର, କଟକ ଆଦି ସହରର ବିଭିନ୍ନ ସ୍ଥାନରେ ଛେନା, ପନୀର ଭଳି ଖାଦ୍ୟ ସାମଗ୍ରୀର ବ୍ୟାପକ ଯାଞ୍ଚ ହେଉଥିବାବେଳେ ପୂଜା ସାମଗ୍ରୀ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର କିନ୍ତୁ ଯାଞ୍ଚ କର।।ଯାଉ ନାହିଁ । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଠାକୁର ନାମରେ ବିକ୍ରି ହେଉଥିବା ଏହି ସାମଗ୍ରୀର ଯାଞ୍ଚ ପାଇଁ ଏବେ ସାଧାରଣରେ ମତପ୍ରକାଶ ପାଉଛି । ରାଜ୍ୟରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ପୂଜା ଦୋକାନ ଜରିଆରେ ଏଳଭି ଅପମିଶ୍ରିତ ଓ ନିମ୍ନମାନର ସାମଗ୍ରୀ ବିକ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହା ଫଳରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ଖାଇ ବିଭିନ୍ନ ପ୍ରକାର ପେଟ ରୋଗରେ ପଡିବାର ସମ୍ଭାବନା ରହିଛି । (ତଥ୍ୟ)