ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ କରିବାପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ମାରକପତ୍ର ମାଧ୍ୟମରେ ଦାବି ଉଠାଯିବା ପରେ ଦୀର୍ଘବର୍ଷ ଧରି ବନ୍ଦ ଥିବା ଛାତ୍ରସଂସଦ ନିର୍ବାଚନ ହେବ କି ନାହିଁ ସେଥିଘେନି ସଂଶୟ ଉପୁଜିଛି । ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ଏବିଭିପି ପକ୍ଷରୁ ଅନ୍ୟାନ୍ୟ ଦାବି ସହ ନିର୍ବାଚନ ପ୍ରସଙ୍ଗ ଉଠାଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସ୍ମାରକପତ୍ର ଦିଆଯାଇଛି ।
ପ୍ରାୟ ଆଠ ବର୍ଷ ଧରି ଓଡିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଫଳରେ ଛାତ୍ର ନେତୃତ୍ୱ ସୃଷ୍ଟିରେ ବାଧା ଉପୁଜୁଥବାବେଳେ ବିଭିନ୍ନ ରାଜନୈତିକଦଳର ଛାତ୍ରଶାଖାଗୁଡିକ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲିଆସିଛନ୍ତି । ଓଡିଶାରେ ବିଜେଡି ସରକାର ଚାଲୁଥିବା ସମୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇଥିଲା । ପ୍ରାକୃତିକ ଦୁର୍ବିପାକ, ଆଇନ୍ଶୃଙ୍ଖଳା ପରିସ୍ଥିତି, ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ଓ କରୋନା କଟକଣା ଆଦି କାରଣ ଦର୍ଶାଇ ସେତେବେଳେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ପଞ୍ଚାୟତ, ପୌରସଂସ୍ଥା, ସମବାୟ ସଂସ୍ଥାଠାରୁ ବିଧାନସଭା ଓ ସଂସଦ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ସମୟ ଭିତରେ ନିର୍ବାଚନ ହୋଇଥିବାବେଳେ କେବଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇଥିଲା ।
ସେତେବେଳେ ବିରୋଧିଦଳରେ ଥାଇ ବିଜେପି, କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ଅନ୍ୟ ରାଜନୈତିକ ସଂଗଠନମାନେ ଛାତ୍ରସଂସଦ ନିର୍ବାଚନ କରାଇବାପାଇଁ ଦାବି ଉଠାଉଥିଲେ । ଏମିତିକି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରାଯିବାକଥା କୁହାଯାଉଥିଲା । ୨୦୨୪ରେ ଓଡିଶାରେ ବିଜେପି ନେତୃତ୍ୱରେ ସରକାର ଗଠିତ ହେବାପରେ ଛାତ୍ର ସଂସଦ ନିର୍ବାଚନ ହେବବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିଥିବାବେଳେ ଅନ୍ୟ କେତେକ ମନ୍ତ୍ରୀ କିନ୍ତୁ ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ପରବର୍ତ୍ତୀ ବର୍ଷରେ ହେବ ବୋଲି ବିବୃତ୍ତି ଜାରି କରିଥିଲେ ।
୨୦୨୫ରେ ବି ଛାତ୍ର ସଂସଦ ନିର୍ବାଚନ ହୋଇନଥିଲା । ଚଳିତ ଶିକ୍ଷାବର୍ଷ ପାଇଁ ଯେଉଁ କ୍ୟାଲେଣ୍ଡର ଘୋଷଣା କରାଯାଇଛି ସେଥିରେ ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତରେ କିଛି ସୂଚନା ନାହିଁ । ଆଗେ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ର୍ନିବାଚନ ହେଉଥିଲା । ପରବର୍ତ୍ତୀ ସମୟରେ ସରକାର ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ସାରା ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ସ୍ଥିର କରୁଥିଲେ । ତେବେ ଆଠବର୍ଷ ଧରି ଆଉ ଏହି ନିର୍ବାଚନ ହୋଇପାରୁ ନାହିଁ ।
ଚଳିତ ଶିକ୍ଷାବର୍ଷରେ ଦୁର୍ଗପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଏକ ପ୍ରକାର ଧାରଣା ସୃଷ୍ଟି ହେବାରୁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଂଗଠନମାନେ ସମ୍ପର୍କ ଅଭିଯାନ ଜୋରଦାର କରିଥିଲେ । ଏଥିଯୋଗୁଁ କେତେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଗୋଷ୍ଠି ସଂଘର୍ଷ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତରେ କିଛି ସୂଚନା ଦିଆଯାଉନାହିଁ । ଏମିତିକି ଏପର୍ଯ୍ୟନ୍ତ ସ୍ନାତକୋତ୍ତର ଓ ସ୍ନାତକ ଶ୍ରେଣୀଗୁଡିକ ପାଇଁ ନାମାଙ୍କନ କାର୍ଯ୍ୟ ଶେଷ ହେଉନଥିବାବେଳେ ଉପର ଶ୍ରେଣୀଗୁଡିକ ଲାଗି ସେମିଷ୍ଟାର ପରୀକ୍ଷାଗୁଡିକର ଯେଉଁ କାର୍ଯ୍ୟ ନିର୍ଘଣ୍ଟ ରହିଛି ବିଳମ୍ବରେ ନିର୍ବାଚନ ହେଲେ ତାହା ପରୀକ୍ଷାକୁ ପ୍ରଭାବିତ କରିପାରେ ବୋଲି ଅନେକ ଅଧ୍ୟାପକ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଦବ୍ଦବା ଜାହିର ପାଇଁ ରାଜନୈତିକଦଳଗୁଡିକ ଗୋଟି ଚାଳନା କରିବା ଫଳରେ ଯେଭଳି ସଂଘର୍ଷ ସୃଷ୍ଟି ହୋଇଛି ସେଥିରେ ବହୁ ଅଭିଭାବକ, ଦଳଭୁକ୍ତ ନଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ ନିର୍ବାଚନ ସପକ୍ଷରେ ନାହାନ୍ତି । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକ ଉତ୍କଟ ଶିକ୍ଷକ ଓ କର୍ମଚାରୀ ମରୁଡି ସମସ୍ୟାଦେଇ ଗତି କରୁଥିବାବେଳେ ଅତିଥି ଅଧ୍ୟାପକଙ୍କ ଭରସାରେ କାମ ଚଳାଯାଉଛି । ତେବେ ଅତିଥି ଅଧ୍ୟାପକମାନେ ପରୀକ୍ଷା ପ୍ରକ୍ରିୟା, ଛାତ୍ର ସଂସଦ ନିର୍ବାଚନ ଆଦିରେ ଦାୟିତ୍ୱ ଗ୍ରହଣ କରିପାରିବେ ନାହିଁ । ଏଭଳି ସ୍ଥିତିରେ ନିର୍ବାଚନ ରିସ୍କ ନେବାକୁ ସ୍ୱାଭାବିକ ଭାବେ କଲେଜ କର୍ତ୍ତୃପକ୍ଷ ବହୁ ସ୍ଥଳରେ ନଚାହିଁବା ସ୍ୱାଭାବିକ । (ତଥ୍ୟ)

