Home Administration ଅନୁକମ୍ପାମୂଳକ ନିଯୁକ୍ତି ଆଦେଶ ମାନୁନାହାନ୍ତି

ଅନୁକମ୍ପାମୂଳକ ନିଯୁକ୍ତି ଆଦେଶ ମାନୁନାହାନ୍ତି

ଭୁବନେଶ୍ୱର : ନ୍ୟାୟାଳୟଙ୍କ ନିର୍ଦ୍ଦିଷ୍ଟ ରାୟ ଓ ଏହାର ଅନୁପାଳନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଡଭୋକେଟ୍‍ ଜେନେରାଲଙ୍କୁ ଚିଠି ଏବଂ ସର୍ବୋପରି ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଅମଲାତାନ୍ତ୍ରିକ କାରସାଦି ଯୋଗୁ ଜଣେ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଠିକଣା ଭାବେ ଦିଆଯାଇପାରୁ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ‘ନାରୀ ଶକ୍ତି ବନ୍ଦନ’ ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିବାବେଳେ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଥିବା ଜଳ ସଂପଦ ବିଭାଗର ତଳିଆ କର୍ମଚାରୀଙ୍କ ଷଡ଼ଯନ୍ତ୍ର ଯୋଗୁ ଏଭଳି ଘଟୁଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଶାସକ ଦଳର କେତେକ ବିଧାୟକ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

୨୦୧୮ ମସିହାରେ ଜଳ ସଂପଦ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ଆବେଦନକାରିଣୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ବି ତାଙ୍କ ନିଯୁକ୍ତିକୁ ଅମଲାତାନ୍ତ୍ରିକ କାରସାଦି ଯୋଗୁ ଅଯଥାରେ ବିଳମ୍ବ କରାଯାଇଥିଲା । ତେଣୁ ସେ ବାଧ୍ୟ ହୋଇ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଉଭୟ ପକ୍ଷର ଶୁଣାଣି କରିବା ପରେ ଆବେଦନକାରିଣୀଙ୍କୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ହାଇକୋର୍ଟ କହିଥିଲେ ।

ଏହି ପ୍ରସଂଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗୁଡ଼ିଏ ମାମଲା ସୁପ୍ରିମକୋର୍ଟରେ ରୁଜୁ କରାଯାଇଥିଲା । ବିଶେଷକରି ୨୦୨୦ରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ କେତେକ ସଂଶୋଧନ ଆଣିଥିଲେ । ତେବେ ଆଇନ୍‍ ଅଦାଲତ ସ୍ପଷ୍ଟ କରିଦେଇଥିଲେ ଯେ ସଂଶୋଧନ ଆସିବା ପୂର୍ବରୁ ଯେତେସବୁ ଆବେଦନ ରହିଛି ସେ ସବୁକୁ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ନିୟମ ଆଧାରରେ ବିଚାର କରାଯିବା କଥା । ରାଜ୍ୟର ନୂଆ ବିଜେପି ସରକାର ମଧ୍ୟ ଏ ସଂକ୍ରାନ୍ତରେ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ପରେ ଆଡଭୋକେଟ୍‍ ଜେନେରାଲ ସୁପ୍ରିମକୋର୍ଟରେ ତାହା ଉପସ୍ଥାପନ କରିଥିଲେ ।

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗର ଦାୟିତ୍ୱରେ ଥିବାବେଳେ ଆବେଦନକାରୀଙ୍କୁ ଏକ ତୃତୀୟ ଶ୍ରେଣୀ ପଦବୀରେ ୩ଦିନ ଭିତରେ ନିଯୁକ୍ତି ଦେବା ପାଇଁ ସ୍ପଷ୍ଟ ଭାବେ ବିଭାଗୀୟ ଇଆଇସିଙ୍କୁ ପତ୍ର ଲେଖିଥିଲେ । ଏଥିରେ ବି ଆଡଭୋକେଟ୍‍ ଜେନେରାଲଙ୍କ ଚିଠି ଓ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଳେଖ ଥିଲା । କିନ୍ତୁ ଇଆଇସିଙ୍କ ଦପ୍ତରର କିଛି ନ୍ୟସ୍ତସ୍ୱାର୍ଥ କର୍ମଚାରୀଙ୍କ ଯୋଗୁ ଏହି ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା । ଏହାପରେ ଜଳ ସଂପଦ ବିଭାଗରୁ ଅନେକ ପତ୍ର ଇଆଇସିଙ୍କ ଦପ୍ତରରୁ ଏ ସଂକ୍ରାନ୍ତରେ ଆସିଛି । ସଚିବାଳୟରୁ ଚାପ ବଢ଼ିବାରୁ ଏବେ ତରବରିଆ ଭାବେ ଆବେଦନକାରିଣୀଙ୍କୁ ଏକ ଚତୁର୍ଥ ଶ୍ରେଣୀ ପଦବୀରେ ଯୋଗଦେବାକୁ କୁହାଯାଇଛି ।

ଆଇନ୍‍ ଅଦାଲତ ତାଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପ୍ରସଂଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଏବଂ ଆବେଦନକାରିଣୀ ଜଣେ ସ୍ନାତୋକତ୍ତର ଡିଗ୍ରୀଧାରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ତୃତୀୟ ଶ୍ରେଣୀ ପଦବୀରେ ୩ଦିନ ଭିତରେ ନିଯୁକ୍ତି ଦେବା ଲାଗି ଜଳ ସଂପଦ ବିଭାଗ ଗତ ଡିସେମ୍ବର ମାସରେ ସ୍ପଷ୍ଟ ଉଲ୍ଳେଖ କରିଥିଲେ ମଧ୍ୟ ବର୍ଷବର୍ଷ ଧରି ଇଆଇସି ଦପ୍ତରରେ ଡେପୁଟେସନ୍‍ରେ ଗାଦି ମାଡ଼ି ବସିଥିବା ଜଣେ ବାବୁଙ୍କ କାରସାଦି ଯୋଗୁ ଏଭଳି ଘଟିଥିବା କୁହାଯାଉଛି । ଏଠାରେ ଉଲ୍ଳେଖନୀୟ ଯେ ଆବେଦନକାରିଣୀ ଜଣେ ଅନୁସୂଚିତ ଜନଜାତି ବର୍ଗର ଓ ତାଙ୍କ ସ୍ୱାମୀ ସହକାରୀ ଯନ୍ତ୍ରୀ ଥିବାବେଳେ ୨୦୧୮ ମସିହାରେ ଅକଳ ମୃତ୍ୟୁବରଣ କରିଥିଲେ । ଏ ସଂକ୍ରାନ୍ତରେ ଜାଣିବା ପରେ କିଛି ବିଧାୟକ ବିଭାଗୀୟ କର୍ତ୍ତ÷ୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ତୃତୀୟ ଶ୍ରେଣୀ ପଦବୀରେ ନିଯୁକ୍ତି ଦେବାକୁ କହିଥିବା ଜଣାପଡିଛି ।

ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହା ଏକ ଉଦାହରଣ ମାତ୍ର । ବର୍ତ୍ତମାନର ସରକାର ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଉଦାର ମନୋଭାବ ପୋଷଣ କରି ବ୍ୟବସ୍ଥାରେ ସଂଶୋଧନ ଆଣିଥିବାବେଳେ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଅର୍ଥ ନପାଇଲେ ଅନର୍ଥ ସୃଷ୍ଟି କରି ଆବେଦନକାରୀମାନଙ୍କୁ ଅଯଥାରେ ହଇରାଣ କରୁଛନ୍ତି ବୋଲି ଆଉ କେତେକ ସ୍ଥାନରୁ ମଧ୍ୟ ଅଭିଯୋଗ ଆସୁଛି । (ତଥ୍ୟ)