ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ ପ୍ରାୟ ବର୍ଷଟିଏ ଥିବାବେଳେ ଏବେ ବି ରାଜ୍ୟରେ ୧୨୭୬ ପଞ୍ଚାୟତ ପ୍ରତିନିଧି ପଦବୀ ଖାଲି ପଡିଛି । ଦୀର୍ଘଦିନ ଧରି ଖାଲି ପଡିଥିବା ଏହି ପଦବୀରେ ସରକାର ଆଗୁଆ ନିର୍ବାଚନ କରିବେ କି ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ସହିତ ଏହାକୁ କରିବେ ତାହା ସ୍ପଷ୍ଟ ହୋଇନାହିଁ ।
ରାଜ୍ୟରେ ବିଭିନ୍ନ କାରଣରୁ ଖାଲି ପଡିଥିବା ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ୱାର୍ଡ ମେମ୍ବର । ରାଜ୍ୟର ୧୪ଟି ଜିଲ୍ଲାରେ ୭୭୨ ଟି ୱାର୍ଡମେମ୍ବର ପଦବୀ ଖାଲି ପଡିଛି । ଏଗୁଡିକରେ ସାନି ନିର୍ବାଚନ ହୋଇନଥିବାରୁ ନୂଆ ୱାର୍ଡମେମ୍ବର ନିର୍ବାଚିତ ହୋଇପାରି ନାହାନ୍ତି । କେତେକ ସ୍ଥାନରେ ଆଇନ୍ ଅଦାଲତରେ ମାମଲା ବି ରହିଛି ।
ସେହିଭଳି ୭୫ଟି ପଞ୍ଚାୟତରେ ସରପଞ୍ଚ ବି ନାହାନ୍ତି । ଏମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧୧ଜଣ ସରପଞ୍ଚ ନଥିବାବେଳେ ଗଞ୍ଜାମରେ ୮ଜଣ, କନ୍ଧମାଳରେ ୬ଜଣ, ମୟୁରଭଞ୍ଜରେ ୫ଜଣ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡା ଓ ରାୟଗଡା ଜିଲ୍ଲାରେ ୪ଟି କରି ସରପଞ୍ଚ ପଦବୀ ଖାଲି ପଡିଛି । ଭଦ୍ରକ, ଦେବଗଡ, ଖୋରଧା, କୋରାପୁଟ, ମାଲକାନଗିରି, ପୁରୀ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ପଦବୀରେ ସରପଞ୍ଚମାନେ ଅବସ୍ଥାପିତ ଥିବା ଜଣାଯାଇଛି ।
ସେହିଭଳି ପଞ୍ଚାୟତ ସ୍ତରରେ ୫୦ଟି ପଞ୍ଚାୟତ ସମିତି ସଦସ୍ୟ ପଦବୀ ମଧ୍ୟ ଖାଲି ପଡିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ୬ଟି ପଦବୀ ବାଲେଶ୍ୱର ଜିଲ୍ଲାରେ ରହିଛି । କଟକ, ଦେବଗଡ, ଜଗତ୍ସିଂହପୁର, ଖୋରଧା, ସମ୍ବଲପୁର, ଓ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ପଦବୀରେ ପଞ୍ଚାୟତ ସମିତି ସଦସ୍ୟମାନେ ରହିଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ କିମ୍ବା ଅଧିକ ସମିତି ସଭ୍ୟ ପଦବୀ ଖାଲି ପଡିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ରାଜ୍ୟରେ ରାଜ୍ୟରେ ୫ଟି ଜିଲ୍ଲା ପରିଷଦ ପଦବୀ ଖାଲି ପଡିଛି । ଏହି ପାଞ୍ଚଟି ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାରେ ୨ଟି ଥିବାବେଳେ କେନ୍ଦୁଝରରେ ଦୁଇଟି ଓ ସମ୍ବଲପୁର ଜିଲ୍ଲାରେ ଗୋଟିଏ ପଦବୀ ଖାଲି ପଡିଛି ।
ତେବେ ଦୀର୍ଘଦିନ ଧରି ଏତେ ସଂଖ୍ୟାରେ ପଞ୍ଚାୟତ ସ୍ତରୀୟ ପଦବୀ ଖାଲି ପଡିଥିବାବେଳେ ଏଠାରେ ସରକାରୀ ବାବୁମାନେ ମୁଖତଃ ଦାୟିତ୍ୱ ସମ୍ଭାଳୁଛନ୍ତି । ଏହାଦ୍ୱାରା କେତେକ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଅଂଶୀଦାର ହ୍ରାସ ପାଉଥିବାର ବି ଅଭିଯୋଗ ଆସୁଛି । ସେହିଭଳି ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ପଦବୀ ଖାଲିଥିବା ପଞ୍ଚାୟତଗୁଡିକରେ ଉନ୍ନୟନକାର୍ଯ୍ୟରେ ବାଧା ବି ଉପୁଜୁଛି ।
ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଏହା ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ଯଦି ଏହି ନିର୍ବାଚନ ଠିକଣା ସମୟରେ ହୁଏ ତେବେ ଚଳିତବର୍ଷ ଖାଲି ପଡିଥିବା ପଞ୍ଚାୟତ ପଦବୀଗୁଡିକ ପାଇଁ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ । ତେବେ ଜନଗଣନା କିମ୍ବା ଅନ୍ୟ କୌଣସି କାରଣରୁ ଯଦି ପଞ୍ଚାୟତ ନିର୍ବାଚନରେ ବିଳମ୍ବ ହୁଏ ତେବେ ଖାଲି ପଡିଥିବା ଏହି ପଞ୍ଚାୟତ ପଦବୀଗୁଡିକ ସେହି ଅବସ୍ଥାରେ ରହିବା ନେଇ ଆଶଙ୍କା ବ୍ୟକ୍ତ କରାଯାଉଛି । (ତଥ୍ୟ)

