ଭୁବନେଶ୍ୱର : ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ବଢୁଥିବାବେଳେ ଗୃହ ବିଭାଗରେ ପାଖାପାଖି ୨୭ହଜାର ପଦବୀ ଖାଲି ପଡିଛି । ଇତି ମଧ୍ୟରେ ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭାର ଷ୍ଟାଣ୍ଡିଂ କମିଟି ଗୃହ ବିଭାଗର ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ସହିତ ପୁଲିସ୍ ପ୍ରଶାସନକୁ ଅଧିକ ସୁଦୃଢ କରିବା ଲାଗି ଆହୁରି ଅଧିକ ନୂଆ ପଦବୀ ସୃଷ୍ଟି ଲାଗି ସୁପାରିଶ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ସରକାରଙ୍କ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍ଙ୍କ ସମେତ ଅନନ୍ତ ଦାସ, ପ୍ରଣବ ପ୍ରକାଶ ଦାସ, ବ୍ରଜ କିଶୋର ପ୍ରଧାନ, କେ.ନାରାୟଣରାଓ, ତାରା ପ୍ରସାଦ ବାହିନିପତି, ରମେଶ ଚନ୍ଦ୍ର ସାଏ, ଦେବୀ ରଞ୍ଜନ ତ୍ରିପାଠୀ, ସଞ୍ଜିବ କୁମାର ମଲ୍ଲିକ ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସଦସ୍ୟ ଅଛନ୍ତି ।
କେବଳ ପୁଲିସ୍ ସଂସ୍ଥାରେ ପ୍ରାୟ ୧୮ହଜାର ପର୍ଯ୍ୟନ୍ତ ପଦବୀ ଖାଲି ପଡିଥିବା କୁହାଯାଉଛି । ସରକାରୀ ହିସାବ ମୁତାବକ ୨୦୨୧ ବର୍ଷରେ ରାଜ୍ୟରେ କନେଷ୍ଟବଳଙ୍କ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୬୭,୮୫୨ ଜଣ କାର୍ଯ୍ୟରତ ଥିବାବେଳେ ୨୦୨୨ ବର୍ଷରେ ଏହି ସଂଖ୍ୟା ୫୯,୭୭୭ କୁ ବୃଦ୍ଧି ପାଇଛି ।
ସହରୀକରଣ ସହିତ ଶିଳ୍ପ, ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ସ୍ୱାଭାବିକ ଭାବେ ବିଭିନ୍ନ କିସମର ଅପରାଧ ବଢୁଛି । ଏଥିପାଇଁ ଅବଶ୍ୟ ସାମାଜିକ, ଆର୍ଥିକ, ନୈତିକ ଓ ରାଜନୈତିକ କାରଣ ମଧ୍ୟ ରହୁଛି । ଗତବର୍ଷ ଓଡିଶାରେ ପାଖାପାଖି ଲକ୍ଷେ ୮୦ହଜାର ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ପୂର୍ବବର୍ଷ ତୁଳନାରେ ଏହାର ସଂଖ୍ୟା ଢେର ଅଧିକ ।
ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ୍ କର୍ମଚାରୀ ନଥିବାରୁ ମାମଲରେ ତଦନ୍ତ, ଚାର୍ଜସିଟ୍ ଦାଖଲ ଓ ଅଦାଲତରେ ମାମଲା ପରିଚାଳନା କ୍ଷେତ୍ରରେ ସମସ୍ୟା ଉପୁଜୁଛି । କେବଳ ସେତିକି ନୁହେଁ ଆଇନ୍ଶୃଙ୍ଖଳା ସ୍ଥିତି ସମ୍ଭାଳିବାରେ ଥାନା, ଫାଣ୍ଡିର ପୁଲିସ୍ କର୍ମଚାରୀମାନଙ୍କ ବହୁ ସମୟ ଯାଉଥିବାରୁ ସେମାନେ ଅପରାଧ ନିୟନ୍ତ୍ରଣ ଓ ଅପରାଧିକ ମାମଲାର ତଦନ୍ତ ଲାଗି ପର୍ଯ୍ୟାପ୍ତ ସମୟ ଦେଇପାରୁ ନାହାନ୍ତି ।
ଏହି ସମସ୍ୟାକୁ ଆଖିଆଗରେ ରଖି ଥାନାଗୁଡିକରେ ଆଇନ୍ଶୃଙ୍ଖଳା ରକ୍ଷାପାଇଁ ଜଣେ ଓ ଅପରାଧ ନିୟନ୍ତ୍ରଣ ପାଇଁ ଅନ୍ୟଜଣେ ଇନ୍ସପେକ୍ଟର ନିଯୁକ୍ତି ଦେବା ସହିତ ଆଇନ୍ଶୃଙ୍ଖଳା ରକ୍ଷା ଠାରୁ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ପୃଥକ କରିବାପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ଥିଲା । ରାଜ୍ୟ ସରକାରଙ୍କ ପ୍ରସ୍ତାବ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ଏବେ ସବଇନ୍ସପେକ୍ଟର ଓ କନେଷ୍ଟବଳ ପାହ୍ୟାରେ ସର୍ବାଧିକ ପଦବୀ ଖାଲି ପଡିଛି । ଏହାଛଡା ଆଇପିଏସ୍ କ୍ୟାଡରର ଅନେକ ଅଧିକାରୀ କେନ୍ଦ୍ର ଓ ଅନ୍ୟ ରାଜ୍ୟକୁ ଡେପୁଟେସନରେ ଯାଇଥିବାବେଳେ ଏଠାରେ କ୍ୟାଡରରେ ଅଫିସରଙ୍କ ସଂଖ୍ୟା କମ୍ରହୁଥିବାରୁ କେତେକ କ୍ଷେତ୍ରରେ ଜଣେ ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏକାଧିକ ଦାୟିତ୍ୱରେ ରଖାଯାଉଛି । ଇତି ମଧ୍ୟରେ ବିଧାନସଭାର ଷ୍ଟାଣ୍ଡିଂ କମିଟି ସବୁ ଜିଲ୍ଲା ମୁଖ୍ୟାଳୟରେ ସ୍ୱତନ୍ତ୍ର ପୁଲିସ୍ ଦଳ ମୁତୟନ କରି ଆଇନ୍ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବାକୁ ସୁପାରିଶ୍ କରିଛି । (ତଥ୍ୟ)